ଅବ୍‌ସେସିଭ୍‌ କମ୍ପଲ୍‌ସିଭ୍‌ ଡିସ୍‌ଅର୍ଡର (ଓସିଡି) ଏଭଳି ଏକ ମାନସିକ ସମସ୍ୟା ଯାହାଫଳରେ ବ୍ୟକ୍ତି ଗୋଟିଏ କାମକୁ ବାରମ୍ବାର କରିବାକୁ ବାଧ୍ୟ ହୋଇଥାଏ।

ବାରମ୍ବାର ଘରସଫା କରିବା, ଘରର ସୁରକ୍ଷା, ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଇତ୍ୟାଦି ସଂପର୍କରେ ଚିନ୍ତା କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହି ଅଭ୍ୟାସ ଯୋଗୁ ଯେତେବେଳେ କୌଣସି ଲୋକର ସ୍ୱାସ୍ଥ୍ୟ ଏବଂ ସଂପର୍କ ପ୍ରଭାବିତ ହୋଇଥାଏ। ସେତେବେଳେ ପରିବାର ଲୋକଙ୍କୁ ସଚେତନ ହେବା ଆବଶ୍ୟକ। କାରଣ ଏହା ଅବସେସିଭ କମ୍ପଲସିଭ ଡିସଅର୍ଡର ଭଳି ଏକ ମାନସିକ ସମସ୍ୟାର ଲକ୍ଷଣ ହୋଇପାରେ।

ଓସିଡିର ଲକ୍ଷଣ

ଏହି ରୋଗରେ ପୀଡ଼ିତ ଲୋକଙ୍କ ନିକଟରେ ଏହାର ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ। ଉଦାହରଣ ସ୍ୱରୂପ ଯଦି କୌଣସି ଲୋକ ସଫାସୁତରା ହେବାକୁ ଭଲପାଆନ୍ତି ତା’ ହେଲେ ସେ ବାରମ୍ବାର ଘର ସଫା କରିଚାଲନ୍ତି। ବାରମ୍ବାର ହାତ ମଧ୍ୟ ଧୋଇଥା’ନ୍ତି। ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ବିଲକୁଲ ରାଗିଯାଆନ୍ତି। କିଛି ଲୋକ ନିଜକୁ ଅସୁରକ୍ଷିତ ଅନୁଭବ କରିଥାଆନ୍ତି। ତେଣୁ ନିଜର ଜିନିଷକୁ ସବୁବେଳେ ସଜାଡ଼ିବାକୁ ଚେଷ୍ଟା କରନ୍ତି।

ଅଧିକ ପଢ଼ନ୍ତୁ: ମାନସିକ ରୋଗକୁ କେମିତି ଚିହ୍ନିବେ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ମନୋବୈଜ୍ଞାନିକମାନେ ଏହାକୁ ସାଇକୋ ନ୍ୟୁରୋଟିକ ଡିସଅର୍ଡର ଶ୍ରେଣୀରେ ରଖିଥା’ନ୍ତି। ଏଥିରେ ପ୍ରଭାବିତ ଲୋକମାନେ ବିଲକୁଲ ସାମାନ୍ୟ ଦେଖାଯା’ନ୍ତି। ଏମାନେ ଅନ୍ୟମାନଙ୍କ ସହିତ ରୋଗ ନେଇ ଆଲୋଚନା କରିପାରିବେ। ପ୍ରାଥମିକ ଅବସ୍ଥାରେ କିନ୍ତୁ ରୋଗୀ କିମ୍ବା ପରିବାରର ଅନ୍ୟ ସଦସ୍ୟ କେହିହେଲେ ଏହାର ଲକ୍ଷଣକୁ ଜାଣିପାରନ୍ତି ନାହିଁ। ସେମାନେ ଏହାକୁ ତା’ର ଅଭ୍ୟାସ ବୋଲି ଭାବି ନଜରଅନ୍ଦାଜ କରି ଦିଅନ୍ତି, ଯାହାକି ପରେ ଓସିଡିର କାରଣ ପାଲଟିଥାଏ।

ଓସିଡି ହେଲେ ରୋଗୀ ନିଜର କ୍ରିୟାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ସେମାନଙ୍କୁ ଏଭଳି କରିବାକୁ ରୋକିଲେ ରୋଗୀ ବିଚଳିତ ହୋଇଥାନ୍ତି। ଅନେକ ସମୟରେ ତାଙ୍କର ବ୍ୟବହାର ହିଂସକ ପାଲଟିଯାଏ। ଏପରିସ୍ଥଳରେ ରୋଗୀର ବ୍ୟକ୍ତିଗତ ଜୀବନ ଓ ପ୍ରଫେସନାଲ ଜୀବନ ଅସ୍ତବ୍ୟସ୍ତ ହୋଇଯାଏ।

ଓସିଡିର କାରଣ

ଏଥିପାଇଁ କେବେହେଲେ କୌଣସି ଗୋଟିଏ କାରଣକୁ ଦାୟୀ କରାଯାଇପାରିବ ନାହିଁ। ତଥାପି ଘରର ପରିସ୍ଥିତି ସହ ଏହି ରୋଗର ଅନେକ ସଂପର୍କ ରହିଛି। ଯେଉଁ ପିଲାମାନଙ୍କ ଘରେ ମୂଳରୁ ଗମ୍ଭୀର ବାତାବରଣ ଥାଏ ସେମାନଙ୍କର ମନରେ ନିରାଶା, ଅସୁରକ୍ଷା, ଭୟ ଏବଂ ଅସନ୍ତୁଷ୍ଟି ଭଳି ନକରାତ୍ମକ ଭାବନା ବସା ବାନ୍ଧିଥାଏ। ଏହାଛଡ଼ା ଚିନ୍ତା ଓ ମାନସିକ ଅବସାଦ ବି ଏହାର କାରଣ। ସେହିପରି ବାପା ମା’ ଏବଂ ପିଲା ପରସ୍ପରକୁ ବୁଝି ନ ପାରିଲେ ବି ଏହି ସମସ୍ୟା ହୋଇଥାଏ।

ଉପଚାର

ଏହାର ଉପଚାର ପାଇଁ ସାଇକୋ ଥେରାପି ସହିତ ରୋଗୀକୁ କିଛି ଔଷଧ ଦିଆଯାଏ। ଯେଉଁ ପରିସ୍ଥିତିରେ ରୋଗୀକୁ ଏହି ରୋଗ ହୋଇଥାଏ ସେହି ବାତାବରଣରୁ ତାକୁ ଦୂରେଇ ନେଇଯାଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼େ। ଏହାର ଉପଚାର ଟିକେ ଦୀର୍ଘ ହେବା ସହିତ ସମୟ ଲାଗିଥାଏ। ଚିକିତ୍ସା ସରିବା ପରେ ଯଦି ରୋଗୀକୁ ପୁଣି କିଛି ସମସ୍ୟା ଆସେ ତା’ ହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।