ପାର୍କିନସନ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଖିଳ କୁମାର ପଣ୍ଡାଙ୍କଠାରୁ ଆସନ୍ତୁ ଜାଣିବା।
- ପାର୍କିନ୍ସନ୍ ରୋଗ କ’ଣ?
- ପାର୍କିନ୍ସନ୍ ରୋଗ କେତେ ପ୍ରକାରର?
- ପାର୍କିନସନ ରୋଗର ଲକ୍ଷଣ
- ପାର୍କିନ୍ସନ୍ ରୋଗର କାରଣ
- ପାର୍କିନସନ ରୋଗକୁ ଚିହ୍ନିବା କେମିତି?
- ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ?
- ପାର୍କିନସନ ରୋଗର ଚିକିତ୍ସା କେମିତି ହୁଏ?
- ପାର୍କିନସନ ରୋଗର ନିରାକରଣ
ବୟସ ବଢ଼ିବା ସହିତ ଅନେକ ସମୟରେ ହାତ ଗୋଡ଼ ଥରିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ପାର୍କିନସନ୍ ରୋଗର ଲକ୍ଷଣ ହୋଇପାରେ। ଏହାର ଚିକିତ୍ସା ସମ୍ଭବ।
ପାର୍କିନ୍ସନ୍ ରୋଗ କ’ଣ? (What is Parkinson’s disease in Odia)
ଆପଣ ଦେଖିଥିବେ, କେତେକ ଲୋକଙ୍କର ହାତ ଗୋଡ଼ ଥରିଥାଏ। କାହାର ଗୋଟେ ହାତ ଥରିଥାଏ ତ କାହାର ଦୁଇଟି ହାତ ଥରିଥାଏ। କେତେକ ଲୋକ ଧୀରେ ଧୀରେ ଚାଲନ୍ତି ତ କେତେକ ଲୋକ ଗୋଟେ ଗୋଡ଼ ଘୋଷାଡ଼ି ଚାଲନ୍ତି। ଏହିସବୁ ଲକ୍ଷଣକୁ ଲୋକେ ବୟସଜନିତ ସମସ୍ୟା ଭାବି ଅଣଦେଖା କରନ୍ତି। ହେଲେ ଏସବୁ ଲକ୍ଷଣ ହେଉଛି ପାର୍କିନ୍ସନ୍ ରୋଗର ଲକ୍ଷଣ।
୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୪ ଜଣ ଲୋକ ପାର୍କିନ୍ସନ୍ ରୋଗର ଶୀକାର ହୋଇଥାଆନ୍ତି। ବୟସ ଅଧିକ ହେଲେ ପାର୍କିନ୍ସନ୍ ରୋଗ ହୋଇଥାଏ। କିନ୍ତୁ, କେତେକ କ୍ଷେତ୍ରରେ ୪୦ ବର୍ଷରୁ କମ୍ ବୟସର ଲୋକଙ୍କଠାରେ ଏହି ରୋଗ ହୋଇପାରେ, ଯାହାକୁ ୟଙ୍ଗ ଅନ୍ସେଟ୍ ପାର୍କିନ୍ସନ୍ ରୋଗ ବୋଲି କୁହାଯାଏ।
ପାର୍କିନ୍ସନ୍ ରୋଗ କେତେ ପ୍ରକାରର? (Types of Parkinson’s disease in Odia)
ପାର୍କିନ୍ସନ୍ ରୋଗ ଦୁଇ ପ୍ରକାରର। ୧- ପାର୍କିନ୍ସନ୍ ରୋଗ
୨- ପାର୍କିନ୍ସନ୍ ପ୍ଲସ୍ ସିଣ୍ଡ୍ରୋମ୍
ମଲ୍ଟି ସିଷ୍ଟମ୍ ଆଟ୍ରୋପି ପାର୍କିନ୍ସନ୍, ପ୍ରୋଗ୍ରେସିଭ୍ ସୁପ୍ରାନ୍ୟୁକ୍ଲିଆର୍ ପାଲ୍ସି, କର୍ଟିକୋବାସାଲ ଡିଜେନେରେସନ୍ ଏସବୁ ପାର୍କିନ୍ସନ୍ ପ୍ଲସ୍ ସିଣ୍ଡ୍ରୋମ୍।
ପାର୍କିନସନ ରୋଗର ଲକ୍ଷଣ (Symptoms of Parkinson’s disease in Odia)
ହାତ ଥରିବା, ଗୋଡ଼ ଥରିବା, ଥରି ଥରି କଥା କହିବା, ମୁଣ୍ଡ ଥରିବା ହେଉଛି ପାର୍କିନ୍ସନ୍ର ମୁଖ୍ୟ ଲକ୍ଷଣ।
ଏହି ରୋଗ ଗୋଟେ ହାତରୁ ଆରମ୍ଭ ହୋଇପାରେ।
ଯଦି ଜଣେ ବ୍ୟକ୍ତି ହାତ ରଖିଥିବା ବେଳେ ତାଙ୍କ ଅଜାଣତରେ ହାତ ଥରୁଥାଏ, ତେବେ ଜାଣିବେ ଏହା ପାର୍କିନ୍ସନ୍ର ଲକ୍ଷଣ ହୋଇପାରେ। ଯଦି ଜଣେ ବ୍ୟକ୍ତିଙ୍କର ହାତ କିମ୍ବା ଗୋଡ଼ରେ ଷ୍ଟିଫ୍ନେସ୍ ହେଲେ ଜାଣିବେ ଏହା ପାର୍କିନ୍ସନ୍ର ଲକ୍ଷଣ। ହାତ ଷ୍ଟିଫ୍ ହେଲେ ବ୍ୟକ୍ତି କାମ କରିପାରନ୍ତି ନାହିଁ।
କେତେକ ବ୍ୟକ୍ତିଙ୍କର ହାତରେ ଯନ୍ତ୍ରଣା ହୋଇପାରେ, ଟାଇଟ୍ ହୋଇପାରେ କିମ୍ବା ଲେଖିବାରେ ଅସୁବିଧା ହୋଇପାରେ, ଯାହାକୁ ମାଇକ୍ରୋଗ୍ରାଫିଆ ବୋଲି କୁହାଯାଏ।
କେତେକ ବ୍ୟକ୍ତି କୌଣସି କାର୍ଯ୍ୟ କରିବା ବେଳକୁ କିମ୍ବା ଚାଲିବା ବେଳକୁ ପୂର୍ବାପେକ୍ଷା ଧୀର ହୋଇଯାଆନ୍ତି ବା ଧୀରେ ଧୀରେ ସବୁ କାର୍ଯ୍ୟ କରନ୍ତି, ତେବେ ତାକୁ ଏକାଇନେସିଆ ବୋଲି କୁହାଯାଏ। ଏହା ପାର୍କିନ୍ସନ୍ର ମୁଖ୍ୟ ଲକ୍ଷଣ।
ଅନେକ ସମୟରେ ଲୋକେ ଚାଲିବା ବେଳେ ପଡ଼ିଯାଆନ୍ତି, ତାକୁ ପୋଶ୍ଚୁରାଲ ଇନ୍ଷ୍ଟାବିଲିଟି କୁହାଯାଏ।
ପାର୍କିନ୍ସନ୍ ରୋଗୀଙ୍କର ଘ୍ରାଣ ଶକ୍ତି କମିଯାଏ। ଏହାସତ୍ତ୍ୱେ କେତେକ ବ୍ୟକ୍ତିଙ୍କୁ ନନ୍ ମୋଟର ଲକ୍ଷଣ ଦେଖାଦିଏ ଯେପରିକି କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ, ସ୍ମୃତିଶକ୍ତି କମିଯାଏ, ଅର୍ଥୋଷ୍ଟାଟିକ୍ ହାଇପରଟେନ୍ସନ୍ ଦେଖାଦିଏ।
କେତେକ ରୋଗୀ ପରିସ୍ରା ରୋକିପାରନ୍ତି ନାହିଁ, ବାରମ୍ବାର ପରିସ୍ରା ଯାଆନ୍ତି, ରାତିରେ ବାରମ୍ବାର ପରିସ୍ରା କରିବା ପାଇଁ ଉଠନ୍ତି।
ପାର୍କିନ୍ସନ୍ ରୋଗର କାରଣ (Causes of Parkinson’s disease in Odia)
ପାର୍କିନ୍ସନ୍ ରୋଗର ପ୍ରଥମ କାରଣ ହେଉଛି ଇଡିଓପାଥିକ୍ ପାର୍କିନ୍ସନ୍ ରୋଗ। ଏହା ହେଉଛି ସ୍ନାୟୁଗତ ସମସ୍ୟା। ମସ୍ତିଷ୍କରେ ଥିବା ଡୋପାମିନ୍ ହରମୋନ୍ ହ୍ରାସ ପାଇଲେ କିମ୍ବା ନଷ୍ଟ ହେଲେ ପାର୍କିନସନ୍ ରୋଗର ଲକ୍ଷଣ ଦେଖାଯାଇଥାଏ।
ଡୋପାମିନ୍ ହରମୋନ୍ ହ୍ରାସ ପାଇବାର ପ୍ରଥମ କାରଣ ହେଉଛି ଜେନେଟିକ୍। ଏହାଛଡ଼ା ଆବନରମାଲ ପ୍ରୋଟିନ୍ ଜମା ହେବା ଫଳରେ ଡୋପାମିନର୍ଜିକ୍ ସ୍ନାୟୁ ନଷ୍ଟ ହୋଇଯାଏ।
ତୃତୀୟ କାରଣ ହେଉଛି କେତେଗୁଡ଼ିଏ ଟକ୍ସିକ୍ ଯେପରିକି ପେଷ୍ଟିସାଇଡ୍ ଜମା ହେବା ଫଳରେ ବି ସ୍ନାୟୁ ନଷ୍ଟ ହୋଇଯାଏ।
ଜେନେଟିକ୍ କାରଣ ଯୋଗୁଁ ଅଳ୍ପ ବୟସରେ ପାର୍କିନ୍ସନ୍ ରୋଗ ହୋଇଥାଏ।
ପାର୍କିନସନ ରୋଗକୁ ଚିହ୍ନିବା କେମିତି? (Diagnosis of Parkinson’s disease in Odia)
ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଏମ୍ଆର୍ଆଇ କରିବାକୁ ହୁଏ। ଏହାସହ ଏଫ୍ଡିଜି ପେଟ୍ ସ୍କାନ କରାଯାଏ।
ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ? (When to go to the doctor in Odia)
ଯଦି ଜଣେ ବୟସ୍କ ଲୋକଙ୍କୁ ପାର୍କିନ୍ସନ୍ ରୋଗ ହୁଏ, ତେବେ ତାଙ୍କ ପରିବାର ଲୋକ ଅଣଦେଖା କରନ୍ତି। କାରଣ ସେମାନେ ଭାବନ୍ତି ଏହା ବୟସଜନିତ ସାଧାରଣ ସମସ୍ୟା। କିନ୍ତୁ, ଆମେ ଯେତେ ବିଳମ୍ବ କରିବା ରୋଗ ସେତେ ଅଧିକ ବଢ଼ି ବଢ଼ି ଯିବ।
ପାର୍କିନସନ ରୋଗର ଚିକିତ୍ସା କେମିତି ହୁଏ? (How is Parkinson’s disease treated in Odia)
ରୋଗୀର ଅବସ୍ଥାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। ଏହି ରୋଗ ୫ଟି ଷ୍ଟେଜ୍ରେ ଦେଖାଯାଏ।
ପ୍ରଥମ ଷ୍ଟେଜ୍ରେ ରୋଗୀର ଅଳ୍ପ ମାତ୍ରାରେ ହାତ ଥରିବା ଭଳି ଲକ୍ଷଣ ଦେଖାଦିଏ। ଷ୍ଟେଜ୍ ୨ରେ ଦୁଇଗୋଡ଼ ଥରେ। ଷ୍ଟେଜ୍ ୩ରେ ବ୍ୟକ୍ତି ଛିଡ଼ା ହେବା ବେଳେ ପଡ଼ିଯିବା, ଚାଲିବା ବେଳେ ଦୌଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ। ଷ୍ଟେଜ୍ ୪ରେ ବ୍ୟକ୍ତି ଚାଲିବା ପାଇଁ ଓ୍ୱାକର, ବାଥରୁମ୍ ଯିବା ପାଇଁ କାହାର ସାହାଯ୍ୟ ଦରକାର କରନ୍ତି। ଷ୍ଟେଜ୍ ୫ରେ ବ୍ୟକ୍ତି ସମ୍ପୂର୍ଣ୍ଣ ଶୋଇରହନ୍ତି ବା ହ୍ୟୁଇଲ୍ ଚେୟାରରେ ବସି ରହିଥାଆନ୍ତି।
ପାର୍କିନ୍ସନ୍ ରୋଗୀଙ୍କ ଅବସ୍ଥାକୁ ଦେଖି ସେମାନଙ୍କୁ ଔଷଧ ପରାମର୍ଶ କରାଯାଇଥାଏ।
କେତେକ କ୍ଷେତ୍ରରେ ମସ୍ତିଷ୍କର ସର୍ଜରି ମଧ୍ୟ କରିବାକୁ ପଡ଼ିଥାଏ।
ପାର୍କିନସନ ରୋଗର ନିରାକରଣ (Prevention of Parkinson’s disease in Odia)
ପାର୍କିନ୍ସନ୍ ରୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ହେଉଛି ଫିଜିଓଥେରାପି। ସବୁ ପାର୍କିନ୍ସନ୍ ରୋଗୀଙ୍କୁ ୩୦ ମିନିଟ୍ ଏରୋବିକ୍ ଏକ୍ସରସାଇଜ୍ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହାଛଡ଼ା ଚାଲିବା, ସାଇକ୍ଲିଂ, ଜଗିଂ, ଯୋଗ ଭଳି ବ୍ୟାୟାମ କରିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଏ। କାରଣ ବ୍ୟାୟାମ ଏଭଳି ଏକ ମାଧ୍ୟମ ଯେଉଁଥିରେ ମସ୍ତିଷ୍କର କୋଷଗୁଡ଼ିକ ସକ୍ରିୟ ହୋଇଥାଆନ୍ତି।
ପାର୍କିନ୍ସନ୍ ରୋଗୀ କ୍ଷୀରଜାତୀୟ ଖାଦ୍ୟ କମ୍ କରିବା ଆବଶ୍ୟକ।
ଯେଉଁ ପାର୍କିନ୍ସନ୍ ରୋଗୀଙ୍କର ଡାଏବେଟିସ୍, ଉଚ୍ଚରକ୍ତଚାପ ଓ କୋଲେଷ୍ଟ୍ରୋଲ ଭଳି ସମସ୍ୟା ଅଛି, ତେବେ ତାକୁ ନିୟନ୍ତ୍ରଣ କରିବା ଆବଶ୍ୟକ।
ପାର୍କିନ୍ସନ୍ ରୋଗୀ ସବୁବେଳେ ସକ୍ରିୟ ରହିବା ଆବଶ୍ୟକ। ସେମାନେ ନିଜ ମନପସନ୍ଦର ବହି ବଢ଼ିବା ଦରକାର, ଗୀତ ଶୁଣିବା ଦରକାର ଏବଂ ସାଙ୍ଗସାଥୀଙ୍କ ସହ ମିଳାମିଶା କରିବା ଆବଶ୍ୟକ।
(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଖିଳ କୁମାର ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Parkinson’s Disease, in Odia language, is based on an extensive interview with a Neurologist Dr Akhila Kumar Panda.