ସ୍ତନ କର୍କଟକୁ ପ୍ରଥମ ପର୍ଯ୍ୟାୟରୁ କେମିତି ଚିହ୍ନିବେ? ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ମହିଳାମାନଙ୍କଠାରେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର ଏକ ଜଟିଳ ରୋଗ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଟ୍ୟୁମରର ରୂପ ନିଏ। ପରେ ଏହି ଟ୍ୟୁମର କର୍କଟର ରୂପ ନେଇଥାଏ। ଯଦି ପ୍ରାଥମିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ କରିପାରିବେ, ତେବେ ଜୀବନ ବଞ୍ଚିଯାଇପାରେ।

ଗ୍ଲୋବୋକାନ୍‌ ଡାଟା ହିସାବରେ ପ୍ରତ୍ୟେକ ବର୍ଷ ପାଖାପାଖି ୧ ଲକ୍ଷ ଅଶି ହଜାର ଲୋକେ ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି ଓ ସେଥିରୁ ୭୦-୮୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ ସ୍ତନକର୍କଟକୁ ପ୍ରାଥମିକ ଅବସ୍ଥାରୁ ଚିହ୍ନି ଏହାର ଚିକିତ୍ସା କରିବା ଆବଶ୍ୟକ।

ସ୍ତନ କର୍କଟ କାହିଁକି ହୁଏ? (Causes of Breast Cancer in Odia)

ବୟସ ବଢ଼ିବା ସହ କର୍କଟର ଆଶଙ୍କା ବଢ଼ିଥାଏ। ପୁରୁଷମାନଙ୍କଠାରେ ମଧ୍ୟ ଏହି କର୍କଟ ହେବାର ଆଶଙ୍କା ଥାଏ।

ଜେନେଟିକ୍‌ କାରଣ ଯୋଗୁଁ ମଧ୍ୟ ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ। ଯଦି ପରିବାରରେ ଜଣଙ୍କର ବ୍ରାକା-୧ ଜିନ୍‌ ଥାଏ ଏବଂ ତାଙ୍କ ଝିଅ କିମ୍ବା ନାତୁଣିଙ୍କର ବ୍ରାକା-୧ ଜିନ୍‌ ଅଛି, ତେବେ ସ୍ତନ କର୍କଟ ହେବାର ୪୦ରୁ ୮୦ ପ୍ରତିଶତ ଆଶଙ୍କା ରହିଛି। ବ୍ରାକା-୨ ଜିନ୍‌ ଥିଲେ ୨୦ରୁ ୪୦ ପ୍ରତିଶତ ଆଶଙ୍କା ଥାଏ।

ଯଦି ପରିବାରରେ କାହାକୁ ସ୍ତନ କର୍କଟ ହୋଇଥାଏ, ତେବେ ତାଙ୍କ ପରପିଢ଼ି ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରାଇନେବା ଆବଶ୍ୟକ। ନିୟମିତ ସ୍କ୍ରିନିଂ କରିବା ଦ୍ଵାରା ଯଦି କୌଣସି ସମସ୍ୟା ବାହାରେ, ତେବେ ପ୍ରାଥମିକ ପର୍ଯ୍ୟାୟରୁ ଚିକିତ୍ସା କରାଯାଏ।

ଏହାଛଡ଼ା ଧୂମପାନ, ମଦ୍ୟପାନ କରୁଥିଲେ, ଡେରିରେ ବିବାହ ଓ ଡେରିରେ ପ୍ରସବ କରନ୍ତି, ସ୍ତନ୍ୟପାନ ନ କଲେ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଥାଏ।

ଅଧିକ ପଢ଼ନ୍ତୁ: ପ୍ରୋଷ୍ଟେଟ୍ ସମସ୍ୟା କ’ଣ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ବିଶ୍ୱଜିତ ନନ୍ଦ?

ସ୍ତନ କର୍କଟର ଲକ୍ଷଣ (Symptoms of Breast Cancer in Odia)

ସ୍ତନରେ ଗେଟାଳିଆ ବା ଆବୁ ଭଳି ହେବା

କାଖରେ ଗୁଲି ଭଳି ହେବା

ନିପଲରୁ ଧଳାସ୍ରାବ ହେବା ବା ରକ୍ତସ୍ରାବ ହେବା

ସ୍ତନାଗ୍ର ଭିତରକୁ ପଶିଯିବା

ସ୍ତନ କର୍କଟକୁ ନିଜେ କେମିତି ଚିହ୍ନିବେ? (How to self examine Breast in Odia)

ଯେକୌଣସି ରୋଗକୁ ପ୍ରାଥମିକ ଅବସ୍ଥାରୁ ଜାଣିପାରିଲେ ଏହାକୁ ରୋକିବା ସମ୍ଭବପର ହୋଇଥାଏ। ସେହିପରି ପ୍ରତ୍ୟେକ ମହିଳା ମାସକୁ ଥରେ ନିଜ ସ୍ତନ ନିଜେ ପରୀକ୍ଷା କରିବା ଦରକାର, ଯାହାକୁ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍‌ କୁହାଯାଏ। ଯେଉଁ ମହିଳାଙ୍କର ପରିବାରରେ କାହାକୁ ସ୍ତନ କର୍କଟ ହୋଇଥିବ, ତେବେ ସେମାନେ ୩୦ ବର୍ଷ ପୂର୍ବରୁ ମାସକୁ ଥରେ  ସ୍କ୍ରିନିଂ କରିବା ଆବଶ୍ୟକ।

ଘରେ ଦର୍ପଣ ସାମ୍ନାରେ ଠିଆ ହୋଇ ଦୁଇ ସ୍ତନର ଉଚ୍ଚତା ସମାନ ଅଛି କି ନାହିଁ? ଦୁଇ ସ୍ତନର ନିପଲର ଆକାର ସମାନ ଅଛି କି ନାହିଁ? ନିଜ ହାତରେ ନିଜ ସ୍ତନକୁ ହାତ ମାରି ଦେଖିବେ ଯେ, କିଛି ଗୋଟାଳିଆ ବା ଗୁଳି ଭଳି ଲାଗୁଛି କି ନାହିଁ। 

ଏହି ପରୀକ୍ଷା ଋତୁସ୍ରାବ ହେବାର ୭ରୁ ୧୦ ଦିନ ମଧ୍ୟରେ ଥରେ କରିପାରିବେ।  ଯଦି କିଛି ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରାଇନେବା ଜରୁରୀ।

ସ୍ତନ କର୍କଟର ପରୀକ୍ଷା (Diagnosis of Breast Cancer in Odia)

ସ୍ତନରେ କର୍କଟ ହୋଇଛି କି ନାହିଁ ଜାଣିବା ପାଇଁ ମାମୋଗ୍ରାଫି କରାଯାଏ। ଏହା ସାହାଯ୍ୟରେ ଛୋଟ ଆକାରର କର୍କଟ କୋଷ ଥିଲେ ବି ଜଣାପଡ଼ିଥାଏ। ଏହାପରେ ବାୟୋପ୍ସି କିମ୍ବା ଏଫ୍‌ଏନ୍‌ଏସି କରାଯାଏ। ଏଫ୍‌ଏନ୍‌ଏସି ସାହାଯ୍ୟରେ କୋଷ ବଢ଼ିଥିବା ସ୍ଥାନରେ ଛୋଟ ଛୁଞ୍ଚି ଭର୍ତ୍ତି କରି କିଛି ମାଂସ ବାହାର କରାଯାଏ ଓ ଏହାର ପରୀକ୍ଷା କରାଯାଏ। ଏଥିରୁ ଜଣାପଡ଼ିବ ଏହା କ୍ୟାନ୍‌ସରସ୍‌ ବା ନନ୍‌ କ୍ୟାନ୍‌ସରସ୍‌।

ଅଧିକ ପଢ଼ନ୍ତୁ: କର୍କଟ ମାରାତ୍ମକ, ହେଲେ ଜୀବନ ସମ୍ଭବ

ସ୍ତନ କର୍କଟର ଚିକିତ୍ସା (Treatment of Breast cancer in Odia)

କର୍କଟର ପର୍ଯ୍ୟାୟକୁ ଦେଖି ଏହାର ଚିକିତ୍ସା ଭିନ୍ନ ଭିନ୍ନ।

ଯେଉଁ ସ୍ଥାନରେ କ୍ୟାନ୍‌ସର ହୋଇଛି ସର୍ଜରୀ କରି ସେହି ମାଂସପିଣ୍ଡୁଳାକୁ ବାହାର କରାଯାଏ। ପ୍ରଥମେ କେମୋଥେରାପି ଦେଇ ରୋଗକୁ କମ୍‌  କରାଯାଏ ଓ ପରେ ସର୍ଜରି କରିଯାଏ।

କେମିତି ରୋକିବେ ସ୍ତନ କର୍କଟ? (How to Prevent Breast Cancer in Odia)

ସ୍ତନ କର୍କଟକୁ ରୋକିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ।

ଧୂମପାନ, ମଦ୍ୟପାନ ବର୍ଜନ କରନ୍ତୁ।

ସଠିକ୍‌ ମାତ୍ରାରେ ଶୋଇବା ଦରକାର, ଚିନ୍ତା ମୁକ୍ତ ରହିବା ଦରକାର।

ଠିକ୍‌ ସମୟରେ ବିବାହ କରିବା ସହ ଠିକ୍‌ ସମୟରେ ପ୍ରସବ ଓ ସ୍ତନ୍ୟପାନ କରିବା ଜରୁରୀ।

ଯେଉଁ ଲୋକଙ୍କର ପରିବାରରେ କାହାକୁ ସ୍ତନ କର୍କଟ ହୋଇଥାଏ, ତାଙ୍କ ପିଲାମାନେ ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରିବା ଆବଶ୍ୟକ।

(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Breast Cancer, in Odia language, is based on an extensive interview with a Radiation Oncologist Dr Arya Kumar Banidutta.