ବାଇପାସ୍‌ ସର୍ଜରି କେମିତି ହୁଏ? କେଉଁ ପରିସ୍ଥିତିରେ ବାଇପାସ୍‌ ସର୍ଜରିର ଆବଶ୍ୟକତା ପଡ଼େ? ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ରଙ୍କଠାରୁ ବାଇପାସ୍‌ ସର୍ଜରି ବିଷୟରେ ସବିଶେଷ ତଥ୍ୟ ଜାଣନ୍ତୁ।

ହୃଦୟର ଧମନୀରେ ଅବରୋଧ ହେଲେ କରୋନାରି ଆର୍ଟେରି ରୋଗ ହୋଇଥାଏ। ହୃତ୍‌ପିଣ୍ଡର ଧମନୀରେ ପ୍ରବାହିତ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ହୃଦ୍‌ଘାତ ହୋଇଥାଏ। ଏଭଳି ସ୍ଥିତିରେ ବାଇପାସ୍‌ ସର୍ଜରି ରୋଗୀର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ।

ବାଇପାସ୍‌ ଏବଂ ଓପନ୍‌ ହାର୍ଟ ସର୍ଜରି ମଧ୍ୟରେ ତଫାତ୍‌ (Bypass vs Open Heart Surgery in Odia)

ବାଇପାସ୍‌ ସର୍ଜରିରେ ହାର୍ଟ ଚାମ୍ବର ଖେଲାଯାଏ ନାହିଁ। ଏହି ସର୍ଜରି ବେଳେ ହାର୍ଟ ଲଙ୍ଗ୍‌ ମେସିନ୍‌ର ସହାୟତ ପଡ଼ିପାରେ ବା ନ ପଡ଼ିପାରେ। ଯଦି ହାର୍ଟ ଲଙ୍ଗ ମେସିନ୍‌ର ସହାୟତା ନ ନେଇ ବାଇପାସ୍‌ ସର୍ଜରି କରିବାକୁ ପଡ଼େ, ତେବେ ତାକୁ ବିଟିଙ୍ଗ ହାର୍ଟ ବାଇପାସ୍‌ ସର୍ଜରି (Beating Heart Surgery or Off Pump Bypass Surgery) କୁହାଯାଏ।

ଅଧିକ ପଢ଼ନ୍ତୁ: ହୃଦ୍‌ରୋଗର କାରଣ କ’ଣ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣନ୍ତୁ

ବାଇପାସ୍‌ ସର୍ଜରି କେତେବେଳେ ଦରକାର? (When does one need Bypass Surgery in Odia)

ହୃଦୟକୁ ତିନୋଟି ଧମନୀ ଯୋଗେ ରକ୍ତ ସଞ୍ଚାଳନ ହୋଇଥାଏ। ଏହି ଧମନୀରେ ଜମାଟ ବାନ୍ଧିଲେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇ ହାର୍ଟ ଆଟାକ୍ କରାଇଥାଏ। ଫଳରେ ବାଇପାସ୍‌ ସର୍ଜରିର ଆବଶ୍ୟକତା ପଡ଼େ। ୨ଟି କିମ୍ବା ୩ଟି ଧମନୀରେ ବ୍ଲକେଜ୍‌ ଥିଲେ ବାଇପାସ୍‌ ସର୍ଜରିର ଦରକାର ପଡ଼ିଥାଏ।

ଯେଉଁମାନଙ୍କର ହୃଦ୍‌ଘାତ ହୋଇ ହୃଦୟ ଦୁର୍ବଳ ଥାଏ କିମ୍ବା ଡାଏବେଟିସ୍‌ ସହିତ କରୋନାରି ଆର୍ଟେରି ରୋଗ ଥାଏ ଏବଂ ଅଧିକାଂଶ ଧମନୀରେ ବ୍ଲକେଜ୍‌ ଅଛି, ତେବେ ବାଇପାସ୍‌ ସର୍ଜରିର ଆବଶ୍ୟକତା ପଡ଼େ। କିନ୍ତୁ, ରୋଗୀର ଅବସ୍ଥାକୁ ଦେଖି ବାଇପାସ୍‌ ସର୍ଜରି ନଚେତ୍‌ ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼େ।

ବାଇପାସ୍‌ ସର୍ଜରି କେମିତି କରାଯାଏ? (How is Bypass Surgery done in Odia)

ବାଇପାସ୍‌ ସର୍ଜରି କରିବା ପାଇଁ ପ୍ରଥମେ ହୃଦୟରେ ରାସ୍ତା ତିଆରି କରାଯାଏ। ଗୋଟେ ଧମନୀଯୁକ୍ତ ରାସ୍ତା (Arterial conduit) ଓ ଅନ୍ୟଟି ଶୀରାଯୁକ୍ତ ରାସ୍ତା (Venus conduit)।

ଅଧିକାଂଶ କ୍ଷେତ୍ରରେ ବାଇପାସ୍‌ ସର୍ଜରି କରିବା ପାଇଁ ଧମନୀଯୁକ୍ତ ରାସ୍ତା ଏବଂ ଲିମାକୁ ନେଇ କରାଯାଏ।

ଅନୁଧ୍ୟାନରୁ ଜଣାପଡ଼ିଛି, ଥରେ ଧମନୀଯୁକ୍ତ ବାଇପାସ୍‌ ସର୍ଜରି କଲେ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ରୋଗୀର କୌଣସି ଅସୁବିଧା ଦେଖାଦେଇନଥାଏ।

Heart disease

ଅଧିକ ପଢ଼ନ୍ତୁ: ହାଇ ବ୍ଲଡ୍‌ପ୍ରେସରକୁ କେମିତି କରିବେ ନିୟନ୍ତ୍ରଣ? ଜାଣନ୍ତୁ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କ ପରାମର୍ଶ

ବାଇପାସ୍‌ ସର୍ଜରିର ଉପାଦେୟତା (Benefits & Risks of Bypass Surgery in Odia)

ହୃଦ୍‌ରୋଗୀର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ ବାଇପାସ୍‌ ସର୍ଜରି। ମନେକର ଜଣେ ବ୍ୟକ୍ତିଙ୍କୁ ହାର୍ଟଆଟାକ ହୋଇଛି କିମ୍ବା ଛାତିରେ ଯନ୍ତ୍ରଣା ହେଉଛି, ତାହାହେଲେ ବାଇପାସ୍‌ ସର୍ଜରି କରି ରୋଗୀକୁ ଜୀବନ ବଞ୍ଚାଇପାରିବା।

ଯଦି ଜଣଙ୍କର ହାର୍ଟ ଆଟାକ୍‌ ହୋଇନି କିନ୍ତୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଛି, ତେବେ ବାଇପାସ୍‌ ସର୍ଜରି କରି ହାର୍ଟ ଆଟାକର ଆଶଙ୍କାକୁ ରୋକିପାରିବା।

ସିଢ଼ି ଚଢ଼ିବା ବେଳକୁ, କାମ କରିବା ବେଳକୁ ଧଇଁସଇଁ ଲାଗୁଛି ବା ଛାତି ଯନ୍ତ୍ରଣା ହେଉଛି ବା କୌଣସି କାମ କରିବା ବେଳକୁ ଅସୁବିଧା ହେଉଛି, ତେବେ ବାଇପାସ୍‌ ସର୍ଜରି କରିବା ଦ୍ୱାରା ରୋଗୀ ସୁସ୍ଥ ଭାବେ ଜୀବନଯାପନ କରିପାରିବେ।

ସଠିକ୍‌ ଭାବେ ବାଇପାସ୍‌ ସର୍ଜରି କଲେ ରୋଗୀ କଠିନ ପରିଶ୍ରମ କରିପାରିବେ।

ବେଳେ ବେଳେ ହାର୍ଟକୁ ଆରେଷ୍ଟ କରି ବାଇପାସ୍‌ ସର୍ଜରି କରାଯାଏ ଓ ବେଳେ ବେଳେ ହାର୍ଟ ଚାଲିଥିବା ସମୟରେ ବି କରାଯାଏ। ହାର୍ଟକୁ ଆରେଷ୍ଟ କରି ବାଇପାସ୍‌ କରିବା ବେଳେ ହାର୍ଟ ଲଙ୍ଗ ମେସିନ୍‌ର ସହାୟତା ଦରକାର ପଡ଼ିଥାଏ, ଯାହାକୁ ଅନ୍‌ ପମ୍ପ ସିଏବିଜି (On-pump CABG) କୁହାଯାଏ। ହାର୍ଟ ଚାଲିଥିବା ଅବସ୍ଥାରେ ବାଇପାସ୍‌ ସର୍ଜରି କରିବାକୁ ବିଟିଙ୍ଗ୍‌ ହାର୍ଟ ବାଇପାସ୍‌ ସର୍ଜରି କୁହାଯାଏ।

ଭାରତରେ ଅଧିକାଂଶ ସର୍ଜନ ବିଟିଙ୍ଗ୍‌ ହାର୍ଟ ବାଇପାସ୍‌ ସର୍ଜରି କରୁଛନ୍ତି ଏବଂ ଏହାର ରେଜଲ୍ଟ ବି ବହୁତ ଭଲ।

ଅଧିକ ପଢ଼ନ୍ତୁ: କୋଭିଡ୍‌-୧୯ ସମୟରେ ହୃଦ୍‌ରୋଗୀ କେମିତି ରହିବେ ସୁରକ୍ଷିତ?

ବାଇପାସ୍‌ ସର୍ଜରି ପରେ ଜୀବନଶୈଳୀ (Lifestyle changes after Bypass Surgery in Odia)

ବାଇପାସ୍‌ ସର୍ଜରି ପରେ ବି ରୋଗୀ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର। ଏହି ସର୍ଜରି ପରେ ରୋଗୀ ଔଷଧ ସେବନ କରିବା ଆବଶ୍ୟକ।

ଏହାଛଡ଼ା ମଧୁମେହ, ଉଚ୍ଚ ରକ୍ତଚାପ ଥିଲେ ତାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଚାପମୁକ୍ତ ରହିବା ଉଚିତ।

ବ୍ୟାୟାମ, ଯୋଗ କରିବାକୁ ହେବ।

ଧୂମପାନରୁ ନିବୃତ୍ତ ରହିବାକୁ ହେବ।

ସମସ୍ତ ପ୍ରକାର ନିଶାଦ୍ରବ୍ୟ ବନ୍ଦ କରିବାକୁ ହେବ।

ଖାଦ୍ୟପେୟରେ ନିୟନ୍ତ୍ରଣ ଆଣିବାକୁ ହେବ।

ହାର୍ଟର ସବୁଠୁ ଭଲ ବ୍ୟାୟାମ ହେଉଛି ଚାଲିବା। ସପ୍ତାହକୁ ୫ ଦିନ ଚାଲିବା ହୃଦୟ ପାଇଁ ବେଶ୍‌ ଭଲ।

ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ମଧୁମେହ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।

ବାଇପାସ୍‌ ସର୍ଜରିର ଉପାଦେୟତା ବେଶ୍‌ ଅଧିକ। ଯେହେତୁ ଛାତିରେ ଅପରେସନ୍‌ ହୋଇଥାଏ, ତେଣୁ ଅଳ୍ପ ମାତ୍ରାରେ ଦରଜ ହୋଇପାରେ। ଏହାଛଡ଼ା ଡରିବାର କୌଣସି ଆବଶ୍ୟକତା ନାହିଁ।

(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ବନ ବିହାରୀ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Heart Bypass Surgery, in Odia language, is based on an extensive interview with a Cardio Vascular Thoracic Surgeon Dr Bana Bihari Mishra.