ଚାଲିବା ସମୟରେ ଆପଣ କେବେହେଲେ ଶରୀରର ଗତିବିଧିକୁ ଲକ୍ଷ୍ୟ କରିଛନ୍ତି? କେତେ ସମୟ ଧରି ଏବଂ କିଭଳି ଢଙ୍ଗରେ ଚାଲିଲେ ଆପଣଙ୍କର ଓଜନ କମିବା ସହିତ ବ୍ୟାୟାମ ହେବ ତାହା ଜାଣନ୍ତୁ।
ସେ ତୀବ୍ର ଗତିରେ ଚାଲିବା ହେଉ କିମ୍ବା ସାଧାରଣ ଗତିରେ ଦୁଇଟି ଯାକ ଅବସ୍ଥାରେ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକର ଅବସ୍ଥା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଚାଲିବା ଏକ ଭଲ ବ୍ୟାୟାମ। କିନ୍ତୁ ତାକୁ ସଂପୂର୍ଣ୍ଣ ବ୍ୟାୟାମ ବୋଲି କୁହାଯାଇପାରିବ ନାହିଁ। କାରଣ ଚାଲିବା ଦ୍ୱାରା ଶରୀରକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଫାଇଦା ମିଳେ। କିନ୍ତୁ ଯଦି ଏହା ସହିତ ହାତର ଠିକ ଭଙ୍ଗୀ ରହେ ତା’ହେଲେ ଶତପ୍ରତିଶତ ଲାଭ ମିଳେ। ଏଭଳି କ୍ଷେତ୍ରରେ ଚାଲିବା ସମୟରେ ଆପଣଙ୍କ ଶରୀରର ଭଙ୍ଗୀ କିଭଳି ରହିଲେ ଫାଇଦା ପାଇବେ ତାହା ଜାଣନ୍ତୁ।
-ଚାଲିବା ସମୟରେ ବେକ ସିଧା ହେବା ଆବଶ୍ୟକ।
-କେବେହେଲେ ତଳକୁ କିମ୍ବା ବାମ ବା ଡାହାଣକୁ ଚାହାନ୍ତୁ ନାହିଁ। ସିଧା ସାମ୍ନାକୁ ଦେଖି ଚାଲନ୍ତୁ।
-ଯଦି ପେଟକୁ ଭିତରକୁ ପଶାଇ ପାରିବେ ତା’ ହେଲେ ଆହୁରି ଭଲ।
-ଚାଲିବା ସମୟରେ କାନ୍ଧ ଯେପରି ହଲିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ପିଠିକୁ ସିଧା ରଖନ୍ତୁ। ଆଗକୁ ବା ପଛକୁ ନଇଁ ଚାଲନ୍ତୁ ନାହିଁ।
-ହାତକୁ ଫ୍ରି କରି ଦିଅନ୍ତୁ। ଯଦି କହୁଣୀ ଠାରୁ ହାତ ମୋଡ଼ି ହୋଇ ଆଗକୁ ରହେ ତା’ ହେଲେ ଆହୁରି ଭଲ।
-ପାଦର ଆଙ୍ଗୁଳି, ଗୋଇଠି ଇତ୍ୟାଦି ଗତିଶୀଳ ହେବା ଭଳି ଚାଲନ୍ତୁ।
-ଚାଲିବା ସମୟରେ ଜଗିଂ ଜୋତା ନିଶ୍ଚିତ ଭାବେ ପିନ୍ଧନ୍ତୁ। ପୋଷାକ ଟିକେ ଢିଲା ଏବଂ ଆରାମଦାୟକ ହେବା ଆବଶ୍ୟକ। ମହିଳାମାନେ ସ୍ପୋର୍ଟସ ବ୍ରା ପିନ୍ଧିବା ଆବଶ୍ୟକ। ଏହି ସମୟରେ ଅଧିକ ଟାଇଟ ଅନ୍ତର୍ବସ୍ତ୍ର ପିନ୍ଧିଲେ ହାର୍ନିଆ ହେବାର ଆଶଙ୍କା ଥାଏ।
-ପ୍ରଥମ ଥର ଚାଲୁଥିଲେ ପ୍ରଥମେ ଗୋଡକୁ ଷ୍ଟ୍ରେଚ କରନ୍ତୁ। ମାର୍ଚ୍ଚ ପାଷ୍ଟ ନୁହେଁ, ଧୀରେ ଧୀରେ ଚାଲିବାର ଅଭ୍ୟାସକୁ ବଢ଼ାନ୍ତୁ।
-ଚାଲିବା ସମୟରେ ନିଜର ମନ ପସନ୍ଦର ସଙ୍ଗୀତ ଶୁଣିପାରିବେ। ଏଥିପାଇଁ ଇୟରଫୋନ୍ ବ୍ୟବହାର କରନ୍ତୁ। ହେଲେ ସଡ଼କରେ ଚାଲୁଥିଲେ ଗୀତ ଶୁଣନ୍ତୁ ନାହିଁ। ଏହାଦ୍ୱାରା ଦୁର୍ଘଟଣାର ବି ଆଶଙ୍କା ରହେ।
– କେବେହେଲେ ପାଟି ବାଟେ ପ୍ରଶ୍ୱାସ ନିଅନ୍ତୁ ନାହିଁ। ଏହାଦ୍ୱାରା ପାଟି ଶୁଖିଯିବା ସହିତ ଫୁସଫୁସ ସମେତ ପୂରା ଶରୀରକୁ ଅମ୍ଳଜାନ ମିଳିପାରେ ନାହିଁ। କେବଳ ସେତିକି ନୁହେଁ, ଫୁସଫୁସକୁ ଧୂଳି ଯାଇଥାଏ।
-ଫୋନରେ କଥା ହୋଇ ଚାଲନ୍ତୁ ନାହିଁ। ଏହାଦ୍ୱାରା ଚାଲିବାର ଲାଭ କମିଯାଏ। କାରଣ ଶରୀର ଓ ମସ୍ତିଷ୍କ ମଧ୍ୟରେ ତାଳମେଳ ରହିବା ଆବଶ୍ୟକ।
-ଗରମ ଦିନରେ ଅଧିକ ଚାଲନ୍ତୁ ନାହିଁ। ହିଟ ଷ୍ଟ୍ରୋକ ହେବାର ଆଶଙ୍କା ଥାଏ। ଏପରିସ୍ଥଳେ ସାଙ୍ଗରେ ସବୁବେଳେ ଗ୍ଲୁକୋଜ ପାଣି ନେଇ ଯାଆନ୍ତୁ। ଅଧ ଘଣ୍ଟା ଚାଲିବା ପରେ କୌଣସି ସ୍ଥାନରେ ବସି ଝାଳମାରି ଗ୍ଲୁକୋଜ ପାଣି ପିଇପାରିବେ। ତା’ ପରେ ଇଚ୍ଛା ଅନୁସାରେ ଚାଲିପାରନ୍ତି।
କେତେ ସମୟ ଚାଲିବେ
ବିଶେଷଜ୍ଞମାନଙ୍କ ଅନୁସାରେ ସମସ୍ତଙ୍କୁ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ଚାଲିବା ଆବଶ୍ୟକ। ଯଦି ଆପଣଙ୍କ ବୟସ ୩୫-୪୦ ମଧ୍ୟରେ ଏବଂ ଆପଣ ସୁସ୍ଥ ଅଛନ୍ତି ତା’ ହେଲେ ଅଧିକ ଦୂର ପର୍ଯ୍ୟନ୍ତ ତୀବ୍ର ଗତିରେ ଚାଲିପାରିବେ। ୪୦ ବର୍ଷ ପରେ ଚାଲିବାର ଗତିକୁ କମାନ୍ତୁ।
-ବୟସ ୩୦ ବର୍ଷରୁ କମ ଥିଲେ ଚାଲିବା ସହ ଜଗିଂ ବି କରିପାରିବେ। ଏହି ବୟସରେ ଆପଣ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲେ ବି କିଛି କ୍ଷତି ନାହିଁ । ଥକ୍କା ଲାଗିଲେ ବିଶ୍ରାମ ନେଇ ନେଇ ଚାଲିପାରିବେ।
-ବିଶେଷଜ୍ଞଙ୍କ ଅନୁସାରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ତୀବ୍ର ଗତିରେ ଚାଲିଲେ ପ୍ରାୟ ୧୦୦ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ। ଏଭଳିସ୍ଥଳରେ ଯଦି ଆପଣ ସପ୍ତାହରେ ୩ ଦିନ ୩ କିମି ଧରି ଚାଲିବେ ତା’ ହେଲେ ତୃତୀୟ ସପ୍ତାହ ବେଳକୁ ଆପଣଙ୍କର ଓଜନ୫୦୦ ଗ୍ରାମ ପର୍ଯ୍ୟନ୍ତ ବି କମିପାରିବ।
-ତେବେ ବହୁ ସମୟ ଧରି ତୀବ୍ର ଗତିରେ ଚାଲିବା ପରେ ଅଚାନକ ଚାଲିବାକୁ ବନ୍ଦ କରନ୍ତୁ ନାହିଁ। ଏହାଦ୍ୱାରା ପାଦକୁ କ୍ଷତି ପହଞ୍ଚିଥାଏ।