କଥାରେ ଅଛି, ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ତେଣୁ, ଚିନ୍ତା ମୁକ୍ତ ରହନ୍ତୁ ଓ ସୁସ୍ଥ ରହନ୍ତୁ।
ଚିନ୍ତା ବା ମାନସିକ ଚାପ ଅଧିକ ଦିନ ଧରି ଲାଗି ରହିଲେ ବ୍ୟକ୍ତି ଡିପ୍ରେସନ୍, ମାନସିକ ଉଦ୍ବେଗ, ପ୍ୟାନିକ ଡିସ୍ଅର୍ଡର, ସ୍କିଜୋଫ୍ରେନିଆ, ସାଇକୋସିସ୍ ଭଳି ମାନସିକ ରୋଗ ଦେଖାଦେବାର ଆଶଙ୍କା ଥାଏ। ଏହାଛଡ଼ା ମାନସିକ ଚାପ ଯୋଗୁଁ ହୃଦରୋଗ, ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧିବା, କେଶ ଝଡ଼ିବା, ବଦ୍ହଜମି, ମେଦବହୁଳତା ଭଳି ସମସ୍ୟା ହେବାର ଆଶଙ୍କା ଥାଏ। ଆସନ୍ତୁ ଜାଣିବା, ଚିନ୍ତାରୁ କେମିତି ପାଇବେ ମୁକ୍ତି?
ମାନସିକ ଚାପରୁ ମୁକ୍ତି ପାଇବାକୁ ହେଲେ ସୁସ୍ଥ ଜୀବନଶୈଳୀକୁ ଆପଣେଇବାକୁ ହେବ। ପ୍ରତିଦିନ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ, ମେଡିଟେସନ୍ ଏବଂ ଯୋଗ କରିବାକୁ ହେବ। ଏହା କରିବା ଦ୍ୱାରା ଆମ ଶରୀରରେ ଏଣ୍ଡୋର୍ଫିନ୍ ନାମକ ଏକ କେମିକାଲ ବଢ଼ିଥାଏ, ଯାହା ମାନସିକ ଚାପ କମେଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ।
ପ୍ରତିଦିନ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ଦୈନିକ ୬ରୁ ୮ ଘଣ୍ଟା ଶୁଅନ୍ତୁ। ଠିକ୍ ସମୟରେ ଶୋଇ ଠିକ୍ ସମୟରେ ଉଠନ୍ତୁ। ଶୋଇବା ସମୟରେ ବା ତା’ର ଘଣ୍ଟେ ପୂର୍ବରୁ ମୋବାଇଲ ବା ଟିଭି ଦେଖନ୍ତୁ ନାହିଁ।
ମାନସିକ ଚାପର ନିରାକରଣ ପାଇଁ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିଦିନ ସୁଷମ ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ ସବୁଜ ପନିପରିବା, ପ୍ରୋଟିନ୍, ଓ ଫଳଜାତୀୟ ଖାଦ୍ୟ ଖାଆନ୍ତୁ। ଖାଇବାରେ ତେଲ, ମସଲା, ଲୁଣ, ଚିନିର ମାତ୍ରାକୁ କମ୍ କରନ୍ତୁ। ଫାଷ୍ଟଫୁଡ୍, ଜଙ୍କଫୁଡ୍, କୋଲା, ଚକୋଲେଟ୍ ଆଦି ଖାଦ୍ୟ ଖାଆନ୍ତୁ ନାହିଁ। ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।
ଜୀବନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖନ୍ତୁ। ଗୀତ ଶୁଣନ୍ତୁ, ସାଙ୍ଗସାଥୀ, ପରିବାର ଓ ଛୋଟପିଲାଙ୍କ ସହ ସମୟ ବିତାନ୍ତୁ। ଯେଉଁ ଜିନିଷରେ ଆପଣ ଖୁସି ଅନୁଭବ କରୁଛନ୍ତି, ତାହା କରନ୍ତୁ। ନିଜ ଦୁଃଖ, ଖୁସୀ ଓ ସମସ୍ୟା ଆପଣାର ଲୋକଙ୍କ ସହ ସେୟାର କରନ୍ତୁ। ନିଜର ଯେଉଁସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢ଼ୁଛି, ସେଗୁଡ଼ିକୁ ଚିହ୍ନଟ କରନ୍ତୁ ଓ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ଯଦି ଚାପ କମୁନି ତେବେ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।