ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା।
- ଗଣ୍ଠିବାତ ରୋଗର ପ୍ରକାରଭେଦ
- କେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?
- ଗଣ୍ଡିବାତ ରୋଗର ଚିକିତ୍ସା
- ଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବର୍ତ୍ତମାନ ସାରା ବିଶ୍ୱରେ ଏକ ଜଟିଳ ସମସ୍ୟା ଭାବେ ଦେଖାଦେଇଛି। କୋଟି କୋଟି ଲୋକ ଏହି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭିତରେ ଜୀବନ କଟାଉଛନ୍ତି। ଓଡ଼ିଶାରେ ୨୦ରୁ ୩୦ ପ୍ରତିଶତ ଲୋକ ନିଜ ଜୀବନକାଳ ଭିତରେ କେବେ ନା କେବେ ଗଣ୍ଠି ଜନିତ ଯନ୍ତ୍ରଣାର ଶିକାର ହେଉଛନ୍ତି। ଗଣ୍ଠିବାତ ସମସ୍ୟାକୁ ଇଂରାଜୀରେ ରିଉମାଟିଜିମ୍ ବୋଲି କହିଥାଉ।
ଗଣ୍ଠିବାତ ରୋଗର ପ୍ରକାରଭେଦ (Types of arthritis in Odia)
ଯଦି ଗଣ୍ଠି ଭିତରେ ଇନ୍ଫ୍ଲାମେସନ୍ ବା ପ୍ରଦାହ ହୋଇ ସେଥିରେ ପାଣି ଜମା ହେଲା ବା ଆଣ୍ଠୁ ଫୁଲିକରି ଦରଜ ହେଲା, ତେବେ ଏହାକୁ ଗଣ୍ଠିବାତ ରୋଗ ବୋଲି କହିଥାଉ। ପାଖାପାଖି ୧୦୦ ପ୍ରକାରର ଗଣ୍ଠିବାତ ରୋଗ ରହିଛି। ଏହାଛଡ଼ା ଜଣେ ବ୍ୟକ୍ତି ଅଧିକ ସମୟ ଧରି ଅଫିସ୍ରେ ବସି ରହିଲେ ଅଣ୍ଟା କାଟୁଛି ବା କିଛି ସମୟ ଧରି ମୋବାଇଲ ବ୍ୟବହାର କଲେ ବେକ କାଟୁଛି। ତେବେ ଏହା ଗଣ୍ଠିବାତ ସମସ୍ୟା ନୁହେଁ। ଏହା ମାଂସପେଶୀ ଯନ୍ତ୍ରଣା ଯୋଗୁଁ ହେଉଛି। ଏହା କେବଳ ଫିଜିଓଥେରାପି ନଚେତ ବ୍ୟାୟାମ କଲେ ଠିକ୍ ହୋଇପାରିବ।
ଗଣ୍ଠିବାତ ରୋଗର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଜାଣିବା ଦରକାର କେଉଁ ପ୍ରକାର ଗଣ୍ଠିବାତ ରୋଗ ହୋଇଛି।
ରିଉମାଟୋଏଡ୍ ଆର୍ଥ୍ରାଇଟିସ୍ – ଏହା ସାଧାରଣତଃ ମହିଳାମାନଙ୍କଠାରେ ହୋଇଥାଏ। ୧୫ ବର୍ଷରୁ ୪୫ ବର୍ଷର ମହିଳାଙ୍କଠାରେ ରିଉମାଟୋଏଡ୍ ଆର୍ଥାଇଟିସ୍ ସମସ୍ୟା ଅଧିକ ଦେଖାଦିଏ। ଏହା ସାଧାରଣତଃ ହାତ ଆଙ୍ଗୁଠି ଓ ଗୋଡ଼ ଆଙ୍ଗୂଠିରେ ହୋଇଥାଏ। ସକାଳୁ ଉଠିବା ପରେ ବ୍ରସ୍ କରିବାକୁ ଅସୁବିଧା ହେବ। ଯେମିତି କିଛି କାମ କରିଚାଲିବେ ବା ଦିନ ବଢ଼ି ବଢ଼ି ଚାଲିବ ତାଙ୍କ ଷ୍ଟିଫ୍ନେସ୍ କମିଯିବ ଓ ଧୀରେ ଧୀରେ କାମ କରିପାରିବେ।
ଆଙ୍କିଲୋଜାଇଙ୍ଗ୍ ସ୍ପଣ୍ଡିଲାଇଟିସ୍ – ଏହା ପୁରୁଷଙ୍କଠାରେ ଦେଖାଦିଏ। ଏହି ସମସ୍ୟା ସାଧାରଣତଃ ୨୦ରୁ ୪୦ ବର୍ଷ ଭିତରେ ଏହି ସମସ୍ୟା ଆରମ୍ଭ ହୋଇଥାଏ। ଏହି ସମସ୍ୟା ଥିଲେ ସକାଳୁ ଉଠିବା ପରେ ଆଣ୍ଠୁଗଣ୍ଠି ଦରଜ ହୁଏ। କିଛି କାମ କରିବା ପରେ ଦରଜ କମିଥାଏ।
ଜୁଭେନାଇଲ ଆର୍ଥ୍ରାଇଟିସ୍ – ଛୋଟ ପିଲାଙ୍କଠାରେ ଏହି ଆର୍ଥାଇଟିସ୍ ସମସ୍ୟା ଦେଖାଦିଏ। ଏହି ସମସ୍ୟା ଦେଖାଦେଉଥିବା ପିଲାମାନଙ୍କର ଯଦି ଚିକିତ୍ସା ନ କରାଯାଏ, ତେବେ କିଛି ଦିନ ପରେ ଆଣ୍ଠୁ ଫୁଲି ତାଙ୍କର ଗୋଡ଼ ବଙ୍କା ହୋଇଯାଉଛି।
ସୋରିଆଟିକ୍ ଆର୍ଥ୍ରାଇଟିସ୍ – ପାଖାପାଖି ୧ପ୍ରତିଶତ ଲୋକଙ୍କର ସୋରିଆସିସ୍ ସମସ୍ୟା ଦେଖାଦିଏ। ଏଥିରେ ତ୍ଵଚାରେ ଦାଗ ଭଳି ହୋଇଥାଏ, ଯାହା କୁଣ୍ଡେଇ ହୁଏ ଓ ସେଥିରୁ ଧଳା ଧଳା ଛାଡ଼ିଥାଏ। ଏହି ସୋରିଆସିସ୍ ରୋଗ ହେଉଥିବା ଲୋକଙ୍କର ସୋରିଆଟିକ୍ ଆର୍ଥାଇଟିସ୍ ହୋଇଥାଏ।
ରିଆକ୍ଟିଭ୍ ଆର୍ଥ୍ରାଇଟିସ୍ – ଏହି ସମସ୍ୟାରେ ଯୁବାସ୍ଥାରେ ପରିସ୍ରା ସଂକ୍ରମଣ ହୋଇ ଆଣ୍ଠୁ ଫୁଲିଯାଏ।
ଗାଉଟ୍ ଆର୍ଥ୍ରାଇଟିସ୍ – ଏହି ଆର୍ଥାଇଟିସ୍ ଶରୀରରେ ୟୁରିକ୍ ଏସିଡ୍ ଅଧିକ ହେଲେ ହୋଇଥାଏ। ଅତ୍ୟଧିକ ମଟନ, ସାମୁଦ୍ରିକ ମାଛ, ଚିଙ୍ଗୁଡ଼ି, ଅଧିକ ମଦ୍ୟପାନ ଯୋଗୁଁ ଶରୀରରେ ୟୁରିକ୍ ଏସିଡ୍ ତିଆରି ହୋଇଥାଏ। ରକ୍ତରେ ଅଧିକ ପରିମାଣର ୟୁରିକ୍ ଏସିଡ୍ ହେଲେ ତାହା ଗଣ୍ଠିରେ ଯାଇ ଜମା ହୋଇଥାଏ। ଫଳରେ ଗଣ୍ଠିବାତ ହୋଇଥାଏ। ଏହାକୁ ଗାଉଟ୍ ଆର୍ଥାଇଟିସ୍ କୁହାଯାଏ।
ଅଷ୍ଟିଓଆର୍ଥାଇଟିସ୍ – ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଖରେ ଏହି ଆର୍ଥାଇଟିସ୍ ଦେଖାଦିଏ। ଏହି ସମସ୍ୟା ଥିଲେ ତଳେ ବସିଲେ ଉଠିପାରନ୍ତି ନାହିଁ, ସିଢ଼ି ଚାଢ଼ିପାରନ୍ତି ନାହିଁ। ଏହାକୁ କ୍ଷୟ ଜନିତ ଆର୍ଥାଇଟିସ୍ ବା ଅଷ୍ଟିଓଆର୍ଥାଇଟିସ୍ କୁହାଯାଏ।
କେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ? (At what age does arthritis occur in Odia)
ବହୁତ ପ୍ରକାରର ଗଣ୍ଠିବାତ ରୋଗ ଅଛି। ସେଗୁଡ଼ିକ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଯେକୌଣସି ବୟସରେ ହୋଇପାରେ।
ଗଣ୍ଡିବାତ ରୋଗର ଚିକିତ୍ସା (Treatment of arthritis in Odia)
ଗଣ୍ଠିବାତ ଏକ ଦୀର୍ଘସ୍ଥାୟୀ ରୋଗ। ସଠିକ୍ ଡାକ୍ତରଙ୍କ ପାଖକୁ ଯାଇ ସଠିକ୍ ରୋଗ ନିରୂପଣ କରି ଯଦି ରୋଗୀ ଜଣକ ସଠିକ୍ ଔଷଧ ଖାଇବେ, ତେବେ ବ୍ୟକ୍ତି ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରିବେ।
ଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ (Food arthritis patients should not eat in Odia)
ଗଣ୍ଠିବାତ ରୋଗୀ ସବୁକିଛି ଖାଇପାରିବେ। କେବଳ ଗାଉଟ୍ ଜନିତ ଆର୍ଥାଇଟିସ୍ ରୋଗୀ ବା ଯାହାର ୟୁରିକ୍ ଏସିଡ୍ ଅଧିକ ଥିବ, ସେମାନେ ମଦ୍ୟପାନ, ଧୂମପାନ, ମଟନ୍, ସାମୁଦ୍ରକି ମାଛ, ଚିଙ୍ଗୁଡ଼ି, କୋଲଡ୍ରିଙ୍କ୍, ସୋଡ଼ା ଆଦି ସେବନ କରିବା ଅନୁଚିତ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Treatment of arthritis, in Odia language, is based on an extensive interview with Rheumatologist and immunologist Dr. Jyoti Ranjan Parida.