ଅଧିକାଂଶ ଲୋକ ଭାବନ୍ତି ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ୍ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ସତ। କିନ୍ତୁ ଆଜିକାଲି, ଉଚ୍ଚ ରକ୍ତଚାପ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ – ଛୋଟ ପିଲାମାନଙ୍କୁ ମଧ୍ୟ।
କୁହାଯାଏ, ବୟସ ବଢ଼ିବା ସହ ଉଚ୍ଚରକ୍ତଚାପ ସମସ୍ୟା ବଢ଼ିଥାଏ। ହେଲେ ପିଲାମାନଙ୍କ କ୍ଷେତ୍ରରେ ବି ଉଚ୍ଚରକ୍ତଚାପ ସମସ୍ୟା ଦେଖାଦେଇଥାଏ। ଯଦି ଜଣେ ୬ ବର୍ଷରୁ କମ୍ ବୟସର ପିଲା କିଛି ଅନ୍ୟ ଶାରୀରିକ ସମସ୍ୟାରେ ପୀଡ଼ିତ ଥା’ନ୍ତି, ତେବେ ଉକ୍ତ ପିଲାଙ୍କଠାରେ ଉଚ୍ଚରକ୍ତଚାପ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ୬ ବର୍ଷରୁ ଅଧିକ ପିଲାମାନଙ୍କଠାରେ ମଧ୍ୟ ସମାନ କାରଣ ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇଥାଏ। ମେଦ ବହୁଳତା, ପୁଷ୍ଟିକର ଖାଦ୍ୟର ଅଭାବ ଓ ଶରୀରିକ ପରିଶ୍ରମର ଅଭାବ ଥିଲେ ବି ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇଥାଏ।
ଜୀବନଶୈଳୀରେ ପରିବର୍ତ୍ତନ, ପୁଷ୍ଟିକର ଖାଦ୍ୟ, ଅଧିକ ବ୍ୟାୟାମ କରିବା ଦ୍ୱାରା ପିଲାମାନଙ୍କଠାରେ ଉଚ୍ଚରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଲକ୍ଷଣ: ବେଳେ ବେଳେ ପିଲାମାନଙ୍କଠାରେ ଉଚ୍ଚରକ୍ତଚାପର କୌଣସି ଲକ୍ଷଣ ଦେଖାଦେଇ ନଥାଏ। କିନ୍ତୁ ଯଦି ପିଲାମାନଙ୍କଠାରେ ମୁଣ୍ଡ ବିନ୍ଧା, ବାନ୍ତି, ଛାତି ଯନ୍ତ୍ରଣା, ଜୋର ଜୋର କରି ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
କାରଣ: ଛୋଟ ପିଲାମାନଙ୍କଠାରେ ଉଚ୍ଚ ରକ୍ତଚାପ ହେବା ପ୍ରାୟତଃ ଅନ୍ୟାନ୍ୟ ସ୍ଵାସ୍ଥ୍ୟ ଅବସ୍ଥା ସହ ଜଡ଼ିତ ହୋଇଥାଏ, ଯେପରିକି ହୃଦରୋଗ, କିଡ୍ନି ରୋଗ, ଜେନେଟିକ୍ ଅବସ୍ଥା କିମ୍ବା ହରମୋନ୍ରେ ଅସନ୍ତୁଳନ ହୋଇଥାଏ। ଯେଉଁ ପିଲାମାନଙ୍କର ଓଜନ ଅଧିକ ଥାଏ ପ୍ରଥମ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଥାଏ।
ପ୍ରଥମ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ:
ଏହି ପର୍ଯ୍ୟାୟ ଉଚ୍ଚ ରକ୍ତଚାପ ସାଧାରଣତଃ ୬ ବର୍ଷ ବା ତା’ଠାରୁ ଅଧିକ ବର୍ଷର ପିଲାମାନଙ୍କଠାରେ ଦେଖାଦିଏ।
କାରଣ: ଅଧିକ ଓଜନ କିମ୍ବା ମେଦବହୁଳ ହେବା, ବଂଶାନୁଗତ, ଟାଇପ୍-୨ ଡାଏବେଟିସ୍, ଅଧିକ ଲୁଣ ଖାଇବା, କୋଲେଷ୍ଟ୍ରଲ, ଧୂମପାନର ଧୂଆଁର ସଂସ୍ପର୍ଶରେ ଆସିବା।
ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ:
ଏହି ପର୍ଯ୍ୟାୟର ଉଚ୍ଚ ରକ୍ତଚାପ ଛୋଟ ପିଲାଙ୍କଠାରେ ଅଧିକ ଦେଖାଦିଏ।
କାରଣ: କ୍ରୋନିକ କିଡ୍ନି ରୋଗ, ପଲିସାଇଷ୍ଟିକ୍ କିଡ୍ନି ରୋଗ, ହାର୍ଟ ସମସ୍ୟା, ଧମନୀ ସଙ୍କୋଚିତ ହେବା, ଶୋଇବାରେ ଅସୁବିଧା,
ଯେଉଁ ପିଲାମାନଙ୍କଠାରେ ଉଚ୍ଚ ରକ୍ତଚାପ ରହିଛି, ସେମାନେ ଚିକିତ୍ସା ନ କଲେ ବୟସ ବଢ଼ିବା ପରେ ଏହା ଅନେକ ବଡ଼ ସମସ୍ୟାକୁ ଡାକି ଆଣିଥାଏ। ଯଦି ଚିକିତ୍ସା ନହୁଏ, ତେବେ ଷ୍ଟ୍ରୋକ, ହୃଦଘାତ, ହାର୍ଟ ଫେଲ୍ୟୁୟର, କିଡ୍ନି ରୋଗ ଭଳି ସମସ୍ୟା ହେବ।
ଚିକିତ୍ସା: ଉଚ୍ଚ ରକ୍ତଚାପ ସମସ୍ୟା ଥିବା ପିଲାମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର। ମାତା ପିତାମାନେ ନିଜ ପିଲାକୁ କମ୍ ତେଲଯୁକ୍ତ ଖାଦ୍ୟ, ପିଲାର ଓଜନକୁ ସନ୍ତୁଳନ ରଖିବା, ପିଲାମାନଙ୍କୁ ଏକ୍ସରସାଇଜ୍, ସୁଇମିଂ ଆଦି କରିବାକୁ ପରାମର୍ଶ ଦେବା ଉଚିତ।