କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ। ଏଥିପାଇଁ ସାରା ଦେଶରେ ଡ୍ରାଏ ରନ୍ ଚାଲିଛି। ତେବେ କରୋନା ଟିକାକୁ ନେଇ କିଛି ତଥ୍ୟ ଜାଣନ୍ତୁ।
କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା
ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇଟି କୋଭିଡ୍ ଟିକାକୁ ଅନୁମତି ପ୍ରଦାନ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ର କୋଭାକ୍ସିନ ଟିକା ଡିସିଜିଆଇଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ସବୁଜ ସଙ୍କେତ ମିଳିଛି। ବର୍ତ୍ତମାନ କେବଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ହିଁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ। ଏପରି ହେଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ପରେ କୋଭିଡ୍ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ।
କେତେ ସୁରକ୍ଷିତ କୋଭିଡ୍ ଟିକା?
ଟିକାକରଣ ଆରମ୍ଭ ହେବା ପାଇଁ ଏବେ ସବୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଭଳି ସମୟରେ କୋଭିଡ୍ ଟିକା କେତେ ସୁରକ୍ଷିତ ସେନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହାର ପ୍ରମୁଖ କାରଣ ହେଲା, ଟିକାର ଟ୍ରାଏଲ୍ ଫେଜରେ ଅନେକ ଲୋକ ଅସୁସ୍ଥ ହେବା ଭଳି ଖବର ଆଗକୁ ଆସିଥିଲା। ତେଣୁ ଟିକାକରଣ ପରେ ଲୋକମାନେ ଅସୁସ୍ଥ ହୋଇପଡ଼ିବେ ବୋଲି ସନ୍ଦେହ କରୁଛନ୍ତି।
ତେବେ ଭାରତରେ ଏଯାବତ ଜରୁରୀ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଦୁଇ ଟିକା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ଭେଷଜ ନିୟନ୍ତ୍ରକ ମଧ୍ୟ ଏହା ଲୋକଙ୍କ ସୁରକ୍ଷିତ ବୋଲି କହିସାରିଛନ୍ତି। ନଚେତ୍ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିନଥାନ୍ତା।
ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କ’ଣ ହେବ?
ଟିକାକରଣ ସମୟରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଏଇଏଫ୍ଆଇ (Adverse event following immunization) କିଟ୍ ରଖାଯିବ। ଏଥିରେ ଆବଶ୍ୟକୀୟ ମେଡିସନ୍ ଓ ଇଞ୍ଜେକ୍ସନ ରହିବ। ଏହାକୁ ପରିଚାଳନା କରିବା ଲାଗି ତାଲିମ୍ ପ୍ରାପ୍ତ ଏଏନଏମ୍ ଉପସ୍ଥିତ ରହିବେ। ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି।
କୋଭିଡ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନେବେ କି ଟିକା?
କୋଭିଡ୍ରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇସାରିବା ପରେ ସେ ଟିକା ନେବା ଜରୁରୀ କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାକ୍ତର ଓ ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି କୋଭିଡରୁ ସୁସ୍ଥ ହେବା ପରେ ତା’ ଶରୀରରେ କିଛି ସମୟ ପାଇଁ କୋଭିଡ୍ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଏପରି ହେଲେ ବ୍ୟକ୍ତିଜଣକ ଦ୍ୱିତୀୟ ଥର ପାଇଁ କୋଭିଡ୍ରେ ଆକ୍ରାନ୍ତ ହେବାର ଭୟ ଥାଏ; କିନ୍ତୁ ଟିକା ନେଲେ ଏହି ଭୟ ଅଧିକାଂଶ ଭାବେ ଦୂର ହେବ ବୋଲି ଅନୁମାନ କରାଯାଉଛି।
କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଜଣେ ବ୍ୟକ୍ତି କରୋନା ଟିକା ନେଇପାରିବେ। ଏହାଠାରୁ କମ୍ ଦିନରେ କୋଭିଡ୍ ଟିକା ନେବାକୁ ବୈଜ୍ଞାନିକମାନେ ମନା କରିଛନ୍ତି।
ସମସ୍ତେ ଟିକା ନେବାକୁ ବାଧ୍ୟ କି?
ଭାରତର ଜନସଂଖ୍ୟା ଦୃଷ୍ଟିରୁ ସମସ୍ତ ଜନସାଧାରଣ କୋଭିଡ୍ ଟିକା ନେବା ଏକ କଷ୍ଟକର ବ୍ୟାପାର ହୋଇପାରେ। ଏପରି ସ୍ଥିତିରେ ଏବେ ସମସ୍ତ ଦେଶବାସୀ କୋଭିଡ୍ ଟିକା ନେବେ ନା କେବଳ ଅଳ୍ପ କିଛି ଲୋକ ଟିକା ନେବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ସରକାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାପରେ ବୃଦ୍ଧ ଲୋକମାନଙ୍କୁ ଟିକାକରଣ କରାଯିବ। ତେବେ ସାଧାରଣ ଲୋକଙ୍କୁ ଟିକା କେବେ ଦିଆଯିବ କି ବିଲକୁଲ୍ ଦିଆଯିବନି ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କୋଭିଡ୍ ଟିକା ନେଇପାରିବେ ନଚେତ୍ ନାହିଁ ବୋଲି ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିସାରିଛନ୍ତି।