ପିଜୁଳିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, ପୋଟାସିୟମ୍‌ ଏବଂ ଫାଇବର ଭରି ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କମଳାଠାରୁ ପିଜୁଳିରେ ସବୁଠୁ ଅଧିକ ଭିଟାମିନ୍‌ ସି ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ପିଜୁଳିର ଫାଇଦା ସମ୍ପର୍କରେ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ପିଜୁଳିରେ ୨୨୮.୩ ଏମ୍‌ଜି ଭିଟାମିନ୍‌ ସି ରହିଛି, ଯାହା ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ତେଣୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସିକୁ ସାମିଲ କରନ୍ତୁ।

ଡାଏବେଟିସ୍‌ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର

ପିଜୁଳିରେ ଉଚ୍ଚ ଫାଇବର ଏବଂ ଲୋ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର।

ଓଜନ କମ୍ କରେ

ପିଜୁଳିରେ କମ୍ ପରିମାଣର କ୍ୟାଲୋରି ଥାଏ। ଏଥିରେ ଭିଟାମିନ୍‌ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ। ସେଓ, କମଳା ଓ ଅଙ୍ଗୁରଠାରୁ ପିଜୁଳିରେ କମ୍‌ ପରିମାଣର ଚିନି ଥାଏ।

ତ୍ୱଚା ପାଇଁ ଲାଭଦାୟକ

ପିଜୁଳିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଓ ଭିଟାମିନ୍‌ ସି ଭରି ରହିଛି, ଯାହା ତ୍ୱଚା ପାଇଁ ବେଶ୍‌ ଭଲ। ନିୟମିତ ଏହାକୁ ଖାଇବା ଦ୍ୱାରା ବୟସ ଛାପ ଓ ଚର୍ମ କୁଞ୍ଚନ ଶୀଘ୍ର ହୋଇନଥାଏ।

ହଜମଶକ୍ତି ବଢ଼ାଏ

ପିଜୁଳିରେ ଫାଇବର ମାତ୍ରା ଅଧିକ ଥାଏ, ଯାହା ହଜମଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।

ପିଜୁଳିର ଅନ୍ୟ ଫାଇଦା

  • ପିଜୁଳିରେ ଥିବା ପୌଷ୍ଟିକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
  • ପିଜୁଳିରେ ଥିବା ଫାଇବର ମେଟାବୋଲିଜିମ୍‌ ଠିକ୍‌ ରଖେ। ଯେଉଁମାନେ କୋଷ୍ଠକାଠିନ୍ୟରେ ପୀଡ଼ିତ ସେମାନେ ପିଜୁଳି ଖାଇଲେ ଉପକୃତ ହେବେ।
  • ଏଥିରେ ଥିବା ଭିଟାମିନ୍‌ ଏ’ ଆଖିକୁ ସୁସ୍ଥ ରଖେ।
  • ପିଜୁଳି ପତ୍ରକୁ ଚୋବାଇଲେ ମଧ୍ୟ ମାଢ଼ି ମଜଭୁତ ହୋଇଥାଏ।
  • ପିଜୁଳି ଗର୍ଭବତୀଙ୍କ ପାଇଁ ଉପକାରୀ।