କୋଭିଡ୍‌ ଟିକାକରଣ ପାଇଁ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହୋଇସାରିଛି ଟିମ୍। ଟିକା ଦେବା ଲୋକ ପ୍ରସ୍ତୁତ ଆଉ ଟିକା ନେବା ଲୋକଙ୍କ ତାଲିକା ବି ପ୍ରସ୍ତୁତ ହୋଇସାରିଛି। କୌଣସି ମୂହୁର୍ତ୍ତରେ ବି ସାମୂହିକ ଟିକାକରଣ ପାଇଁ ଘୋଷଣା କରିପାରନ୍ତି ସରକାର। ଏଥିପାଇଁ ସବୁ ପ୍ରକ୍ରିୟା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି ଏ ସମ୍ପର୍କିତ କମିଟି ଓ ଏଜେନ୍ସି। ତେବେ ଆପଣ ଜାଣନ୍ତି କି କାହାକୁ ପ୍ରଥମେ ଦିଆଯିବ, କେମିତି ରହିବ ପ୍ରକ୍ରିୟା?

ସମସ୍ତଙ୍କୁ ଟିକା ମିଳିବ କି?

ବର୍ତ୍ତମାନ ପାଇଁ ସମସ୍ତଙ୍କୁ ଟିକା ମିଳିବ ନାହିଁ। ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ପାଇଁ ଗୋଟେ ପ୍ରାଥମିକତା ଉପରେ ପର୍ଯ୍ୟବସିତ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର। ସେହି ତାଲିକା ଅନୁସାରେ ହିଁ  ଟିକାକରଣ କରାଯିବ। ଅନ୍ୟମାନେ ପର୍ଯ୍ୟାୟକ୍ରମେ ଟିକା ପାଇପାରିବେ। ପ୍ରାଥମିକ ତାଲିକାରେ ୨ଟି ପର୍ଯ୍ୟାୟ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ମିଳିବ।

ଟିକା ନେବା ବାଧ୍ୟତାମୂଳକ କି?

ନା, ଟିକା ନେବା ବାଧ୍ୟତାମୂଳକ ନୁହେଁ। ବରଂ ଇଚ୍ଛାଧୀନ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଅନେକ ଲୋକଙ୍କ ମନରେ ମଧ୍ୟ ଟିକାର ନିରାପତ୍ତାକୁ ନେଇ ପ୍ରଶ୍ନ ଅଛି। ତେବେ ନିରାପତ୍ତା ଓ ପ୍ରଭାବକୁ ନେଇ ଟିକାପ୍ରଦାନକୁ ଅନୁମତି ଦେବେ ସରକାର।

କୋଭିଡ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ଟିକା ନେଇପାରିବେ କି?

ଏଭଳି ଲୋକମାନଙ୍କୁ ଟିକା ଦିଆଯିବ ନାହିଁ। କାରଣ ସଂକ୍ରମଣ ସହିତ ଲଢ଼େଇ କରୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ସଂକ୍ରମଣର ସ୍ଥିର ବଢ଼ାଇ ଦେବାର ସମ୍ଭାବନା ରହିଛି। ହଁ, ସେମାନେ କରୋନାରୁ ସୁସ୍ଥ ହେବା ପରେ ଟିକା ନେଇପାରିବେ।

କୋଭିଡ ହୋଇ ସୁସ୍ଥ ହୋଇସାରିବା ପରେ ଟିକା ନେଲେ କ’ଣ ଫାଇଦା ରହିବ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରେ ନିଶ୍ଚିତ ଭାବେ କିଛି ପରିମାଣର ଆଣ୍ଟିବଡି ତିଆରି ହୋଇସାରିଥିବ। ଏ ସ୍ଥିତିରେ ଟିକା ନେଲେ ଆଣ୍ଟିବଡିର ପରିମାଣ ବୃଦ୍ଧି ହେବା ସହ ରୋଗ ପ୍ରତିରୋଧୀ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

ଅନ୍ୟପକ୍ଷରେ ଏବେ ଦେଶରେ ଏକାଧିକ ଟିକା ଆସିବାର ସମ୍ଭାବନା ରହିଛି। ତେବେ ସାମୂହିକ ଟିକାକରଣରେ କେବଳ ଗୋଟିଏ ଟିକା ହିଁ ଦିଆଯିବ ବୋଲି ଆପାତତଃ ସ୍ଥିର ହୋଇଛି। ଟିକାରେ ଅଦଳବଦଳ ଆଦୌ କରାଯିବନାହିଁ। କାରଣ ଏକାଧିକ ଟିକା ଭିତରେ ହେଉଥିବା ରିଆକ୍ସନର ପରୀକ୍ଷଣ ହୋଇନାହିଁ।

ଭାରତରେ ଟିକା ସଂରକ୍ଷଣର ବ୍ୟବସ୍ଥା କେମିତି ରହିଛି?

ଆମ ଦେଶ ଭଳି ଟିକାକରଣ ଓ ଟିକା ସଂରକ୍ଷଣର ବ୍ୟବସ୍ଥା ଅନ୍ୟ କୌଣସି ଦେଶରେ ନାହିଁ। ଆମର ସର୍ବବୃହତ ଟିକାକରଣ ବ୍ୟବସ୍ଥା ରହିଛି। ଅନ୍ୟଦେଶରେ ସୁରକ୍ଷିତ ଘୋଷଣା ହୋଇଥିବା ଟିକାକୁ ଆମ ଦେଶରେ ବିନା ପରୀକ୍ଷଣରେ ଦିଆଯିବ ନାହିଁ। ଏଠାରେ ଅନ୍ୟଦେଶର ଟିକା ପ୍ରଦାନ ପୂର୍ବରୁ ଆବଶ୍ୟକ ସଂଖ୍ୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

ତେବେ ଆମଦେଶରେ ସାମୁହିକ ଟିକାକରଣରେ ସାମିଲ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ରହିବ। କାରଣ ପଞ୍ଜୀକରଣ ବେଳେ ଦେଇଥିବା ମୋବାଇଲ ନମ୍ବରରେ ଟିକାପ୍ରଦାନର ତାରିଖ, ସମୟ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ।

ପଞ୍ଜୀକରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ

-ଡ୍ରାଇଭିଂ ଲାଇସେନ୍ସ

-ହେଲଥ୍ ସ୍ମାର୍ଟ କାର୍ଡ

-ଏମଏନ୍ଆରଇଜିଏ କାର୍ଡ

-ସାଂସଦ, ବିଧାୟକମାନଙ୍କ କ୍ଷେତ୍ରରେ ଅଫିସିଆଲ ପରିଚୟ ପତ୍ର

-ପ୍ୟାନ କାର୍ଡ

– ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କର ପାସବୁକ୍

-ପେନସନ ଡକ୍ୟୁମେଣ୍ଟ

-କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନିର ପରିଚୟ ପତ୍ର

-ଭୋଟର ପରିଚୟପତ୍ର

ପଞ୍ଜୀକରଣ ସମୟରେ ଯେପରି ପରିଚୟପତ୍ର ଜରୁରୀ ସେହିପରି ଟିକାକରଣ ସମୟରେ ମଧ୍ୟ ପରିଚୟପତ୍ର ଦେଖାଇବା ଜରୁରୀ। ଟିକାକରଣ ପୂର୍ବରୁ ପଞ୍ଜୀକରଣ ସମୟରେ ହିତାଧିକାରୀ ଦେଇଥିବା ମୋବାଇଲ ନମ୍ବରରେ ଏସଏମଏସ୍ ଦିଆଯିବ। ସେଥିରେ ସମସ୍ତ ସୂଚନା ରହିଥିବ। ଟିକାକରଣ ଦୁଇଟି ପର୍ଯ୍ୟାୟରେ ଦିଆଯିବାକୁ ଥିବାରୁ, ପ୍ରତ୍ୟକ ପର୍ଯ୍ୟାୟ ପରେ ମେସେଜ ଦିଆଯିବ। ଟିକାକରଣ ସମ୍ପୂର୍ଣ୍ଣ ହେଲେ ମୋବାଇଲକୁ କ୍ୟୁଆର୍ ଆଧାରିତ ପ୍ରମାଣପତ୍ର ପଠାଇଦିଆଯିବ।

କ୍ୟାନସର, ଏଚଆଇଭି, ଡାଇବେଟିସ, କିଡନୀ, ହାଇପର ଟେନସନ ଓ ଅନ୍ୟ ଜଟିଳ ରୋଗ ପାଇଁ ମେଡିସିନ ଖାଉଥିଲେ ମଧ୍ୟ ଟିକା ନେଇପାରିବେ।

କୋଭିଡ ଟିକା ପରେ ସାମ୍ଭାବ୍ୟ ପ୍ରତିକ୍ରିୟା

ଟିକା ନେବା ପରେ କୌଣସି ଜଟିଳ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ଆସିନାହିଁ। ଅନ୍ୟ ଟିକା ଭଳି ଏହି ଟିକା ପରେ ସାମାନ୍ୟ ଜ୍ୱର ହେବାର ଆଶଙ୍କା ରହିଛି। ତେବେ ରାଜ୍ୟ ସରକାରଗୁଡ଼ିକ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ଟିକା ନେବା ପରେ ତତକ୍ଷଣାତ କାହାକୁ ଘରକୁ ଛଡ଼ାଯିବନାହିଁ। ବରଂ କିଛି ସମୟ ସେଠାରେ ନୀରିକ୍ଷଣରେ ରଖାଯିବ। ୨ଟି ପର୍ଯ୍ୟାୟରେ ଟିକା ନେବାକୁ ପଡ଼ିବ। ପ୍ରଥମ ଟିକାର ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ। ଦ୍ୱିତୀୟ ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଆଣ୍ଟିବଡି ତିଆରି ହେବ।

ଟିକାକରଣ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେନସ ସମେତ ଅନ୍ୟାନ୍ୟ ଗାଇଡଲାଇନ୍ ମାନିବା ଜରୁରୀ। କୋଭିଡ ସଂକ୍ରମଣର ଦୂରେଇ ରହିବା ପାଇଁ ଏଗୁଡ଼ିକ ସବୁଠାରୁ ପ୍ରଭାବଶାଳୀ ଉପାୟ।