କେମିତି କରିବେ ଚକ୍ଷୁଦାନ? ଆସନ୍ତୁ ଏ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା।

ଚକ୍ଷୁ ଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ ନିହାତି ଦରକାର।

ଆଖିର ଆଗ ପରସ୍ତ ହେଉଛି ସ୍ଵଚ୍ଛପଟଳ ବା କର୍ଣ୍ଣିଆ। ତା’ ପଛରେ ଆସେ ପ୍ୟୁପିଲ। ଏହା ପଛରେ ଅଛି ଲେନ୍ସ। ଲେନ୍ସ ପଛରେ ଭିଟ୍ରିଅସ୍‌ ଓ ରେଟିନା। ଯଦି ଆଖିର ପ୍ରଥମ ପରସ୍ତକୁ ଆଲୋକ ନ ଯାଏ, ତେବେ ଆଖିକୁ ଦେଖାଯାଏ ନାହିଁ। କର୍ଣ୍ଣିଆ କିମ୍ବା ପ୍ୟୁପିଲ କିମ୍ବା ଲେନ୍ସରେ କିଛି ସମସ୍ୟା ହେଲେ ଦେଖିବାରେ ଅସୁବିଧା ହୁଏ।

ଆଇନ୍‌ ଅନୁସାରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କ ସହମତି ଅନୁସାରେ ଚକ୍ଷୁ ଦାନ କରାଯାଇଥାଏ।

ଚକ୍ଷୁଦାନ କିଏ କରିପାରିବେ? (Who can donate eyes in Odia)

ଚକ୍ଷୁଦାନ ସମସ୍ତେ କରିପାରିବେ। ଏଥିପାଇଁ କୌଣସି ବୟସସୀମା ନାହିଁ। ବର୍ଷେ ତଳର ଛୁଆ ଏବଂ ୯୦ ବର୍ଷରୁ ଅଧିକ ବୟସର ଲୋକ ବି ଚକ୍ଷୁଦାନ କରିଛନ୍ତି। ଅନେକ ଲୋକ ଭାବନ୍ତି, ଡାଏବେଟିସ୍‌, ଗ୍ଲକୋମା, ଉଚ୍ଚରକ୍ତଚାପ ଏବଂ ଚଷମା ପିନ୍ଧୁଥିବା ଲୋକ ଚକ୍ଷୁଦାନ କରିପାରିବେ ନାହିଁ। କିନ୍ତୁ, ଏମାନେ ବି ଚକ୍ଷୁଦାନ କରିପାରିବେ। କାରଣ ସେମାନଙ୍କର ରେଟିନାରେ ଅସୁବିଧା ଥାଏ, କର୍ଣ୍ଣିଆରେ କୌଣସି ଅସୁବିଧା ନଥାଏ।

ଧରନ୍ତୁ, ଜଣେ ବ୍ୟକ୍ତିଙ୍କର ଏଚ୍‌ଆଇଭି ପଜିଟିଭ୍‌ କିମ୍ବା ହେପାଟାଇଟିସ୍‌ ବି, ତେବେ ଚକ୍ଷୁଦାନ କରିବା ସମ୍ଭବ ହୋଇନଥାଏ। ଚକ୍ଷୁଦାନ କରିବା ପୂର୍ବରୁ ବ୍ୟକ୍ତିଙ୍କର ମେଡିକାଲ ଇତିହାସ ଦେଖିକରି ଚକ୍ଷୁ ଦାନ କରାଯାଏ।

eye care swasthya plus

ଅଧିକ ପଢ଼ନ୍ତୁ: ବୟସ୍କ ଲୋକଙ୍କଠାରେ ଚକ୍ଷୁ ସମସ୍ୟା

ଚକ୍ଷୁ ସଂଗ୍ରହ କେମିତି ହୁଏ? (How does eye collection work in Odia)

ଆଖିର କଳା ଡୋଳା ହେଉଛି ୧୨ରୁ ୧୩ ମିଲିମିଟର। ଧଳା ଅଂଶ ହେଉଛି ୨ ମିଲିମିଟର। ପାଖାପାଖି ୧୪-୧୫ ମିଲିମିଟରର କର୍ଣ୍ଣିଆ ଓ ସ୍କ୍ରେଲା ଚକ୍ଷୁଦାନ ବେଳେ କଢ଼ାଯାଏ। ଚକ୍ଷୁ କଢ଼ାଯିବା ପରେ ପ୍ଲାଷ୍ଟିକ୍‌ କଭର ଦିଆଯାଏ। ଫଳରେ ଜଣାପଡ଼ିନଥାଏ ଯେ ଆଖି କଢ଼ାହୋଇଛି କି ନାହିଁ।

ମୃତ୍ୟୁର ୪ରୁ ୬ ଘଣ୍ଟା ଭିତରେ ଆଖି ସଂଗ୍ରହ କରାଯାଏ।

ଚକ୍ଷୁ ବ୍ୟାଙ୍କର କାର୍ଯ୍ୟ କ’ଣ? (What is the function of the eye bank in Odia)

ଚକ୍ଷୁ ବ୍ୟାଙ୍କର କାର୍ଯ୍ୟ ହେଲା କର୍ଣ୍ଣିଆ ସଂଗ୍ରହ କରିବା ସହ ଅଳ୍ପ ପରିମାଣର ରକ୍ତ ସଂଗ୍ରହ କରିବା। ଏହାପରେ ହେପାଟାଇଟିସ୍‌ ବି, ହେପାଟାଇଟିସ୍‌ ସି, ଏଚ୍‌ଆଇଭି ଓ ସିଫିଲିସ୍‌ ପାଇଁ ରକ୍ତ ପରୀକ୍ଷା କରାଯାଏ। ଏହାପରେ ସ୍ପେକୁଲାର ମାଇକ୍ରୋସ୍କୋପ୍‌ ଜରିଆରେ ଟିସ୍ୟୁର ଗୁଣବତ୍ତା ଦେଖାଯାଏ। ଏହାପରେ କର୍ଣ୍ଣିଆକୁ ରେଫ୍ରିଜେରେଟରରେ ୨-୮ ଡିଗ୍ରୀରେ ୪ ଦିନ ପାଇଁ ରହିପାରିବ। ଏହି ସମୟ ଭିତରେ ରୋଗୀଙ୍କୁ ଡାକି କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରାଯାଏ।

କେମିତି କରିବେ ଚକ୍ଷୁଦାନ?

ଚକ୍ଷୁ ଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ‘ପ୍ଲେଜ୍‌’ (Pledge for Eye donation)ରେ ନିଜ ନାମ ପଞ୍ଜିକରଣ କରିପାରିବେ। ଏହାପରେ ବ୍ୟକ୍ତିଙ୍କୁ ପ୍ଲେଜ୍‌ କାର୍ଡ ଦିଆଯାଏ। ଏହାଛଡ଼ା ଜଣେ ବ୍ୟକ୍ତି ପ୍ଲେଜ୍‌ରେ ନିଜ ନାମ ରେଜିଷ୍ଟର କରିନଥିଲେ ବି ଚକ୍ଷୁଦାନ କରିପାରିବେ।

ଅଧିକ ପଢ଼ନ୍ତୁ: ଆଖିରେ ମାଡ଼ ବାଜିଲେ କେମିତି କରିବେ ଚିକିତ୍ସା?

ଚକ୍ଷୁଦାନର ସଫଳତା ହାର କେତେ? (What is the success rate of eye transplant in Odia)

ଚକ୍ଷୁ ପାଇଥିବା ବ୍ୟକ୍ତି ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆଖିର କୌଣସି ସମସ୍ୟା ହେଲେ ନିକଟସ୍ଥ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ଚକ୍ଷୁଦାତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଥାଏ କି? (Does the donor’s family receive financial assistance in Odia)

ଚକ୍ଷୁଦାତାଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ମିଳିନଥାଏ। ଚକ୍ଷୁଦାତା ଓ ଚକ୍ଷୁପାଇଥିବା ଲୋକଙ୍କ ତଥ୍ୟ ଗୋପନୀୟ ରଖାଯାଏ।

ଚକ୍ଷୁଦାନର ଆବଶ୍ୟକତା କେତେ? (What is the need for eye care in Odia)

ଚକ୍ଷୁଦାନ ମହତ୍‌ ଦାନ। ଚକ୍ଷୁ ଦାନ ଯୋଗୁଁ ଦୁଇ ଜଣ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରିବେ।

(ସ୍ୱାସ୍ଥ୍ୟ  ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜାତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Eye donation, in Odia language, is based on an extensive interview with ophthalmologist Dr Sujata Das.