ବର୍ତ୍ତମାନ ସମୟରେ ପିଠି ଯନ୍ତ୍ରଣା ଏକ ସାଧାରଣ ସସସ୍ୟା ହୋଇଗଲାଣି। ପ୍ରତିଦିନର ଗତିବିଧି ଏବଂ ଉଠାବସା କରିବାର ଭୁଲ୍ ଶୈଳୀ ଯୋଗୁଁ, ମାନସିକ ଅବସାଦ ଦେଉଥିବା କାମ, ଗର୍ଭାବସ୍ଥା, ନିଶାଦ୍ରବ୍ୟ ସେବନ, ନିଦ୍ରାହୀନତା, ମୋଟାପଣ ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁଁ ପିଠି ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ କରନ୍ତୁ ଏହିସବୁ ଯୋଗାସନ।
ମକରାସନ – ଏହି ଆସନ କରିବା ପାଇଁ ମ୍ୟାଟ୍ରେ ପେଟେଇ ହୋଇ ଶୋଇଯାଆନ୍ତୁ। ଦୁଇ ହାତର ପାପୁଲିକୁ ମୁହଁର ତଳେ ବା ଥୋଡ଼ିରେ ରଖିବେ, ଯେପରି କହୁଣୀ ମ୍ୟାଟ୍ରେ ଲାଗି ରହିବ। ଧ୍ୟାନ ଦେବେ ଯେପରି ଦୁଇ ହାତ ମଝିଆ ମଝି ରହିବ। ଦୁଇ ପାଦକୁ ଲଗାଇ ରଖନ୍ତୁ। ଏହି ଆସନକୁ ୧୦ ସେକେଣ୍ଡ ଧରି ରଖନ୍ତୁ। ଏହାକୁ ୩ ଥର ଅଭ୍ୟାସ କରନ୍ତୁ।
କାନ୍ଧ ଚକ୍ରାସନ – ଏହି ଆସନ କରିବା ପାଇଁ ପ୍ରଥମେ ଗୋଟେ ମ୍ୟାଟ୍ ଉପରେ ଚକାମାଡ଼ି ବସିବେ। ଏବେ ଦୁଇ ହାତକୁର ଆଙ୍ଗୁଠି ସାହାଯ୍ୟରେ କାନ୍ଧକୁ ଧରନ୍ତୁ। ଦୁଇ ହାତର କହୁଣୀ ଛାତି ସାମ୍ନାରେ ଲଗାଇ ରଖିବେ। ଦୀର୍ଘ ନିଶ୍ୱାସ ନେଇ ଧୀରେ ଧୀରେ ହାତକୁ ଉପରକୁ ଉଠାଇ ପଛକୁ ନେବେ ଓ ଧୀରେ ଧୀରେ ନିଶ୍ୱାସ ଛାଡ଼ି ତଳକୁ ନେବେ। ଏଭଳି ଭାବେ ୧୦ ଥର ହାତକୁ ଗୋଲାକାର ଭାବେ ବୁଲାଇବେ। ଆଉ ଦଶ ଥର ବିପରିତ ଗତିରେ ବୁଲାଇବେ।
ଏହା କରିବା ଦ୍ୱାରା କାନ୍ଧର ଗଠନ ଠିକ୍ ରହେ ଓ ପିଠିରୁ ଯନ୍ତ୍ରଣା ଦୂର ହୁଏ।
ବକ୍ରାସନ – ଏହି ଆସନ କରିବା ପାଇଁ ମ୍ୟାଟ୍ ଉପରେ ଗୋଡ଼ ଲମ୍ବାଇ ବସନ୍ତୁ। ଏବେ ଡାହାଣ ଗୋଡକୁ ଭାଙ୍ଗିବେ। ଡାହାଣ ହାତକୁ ପଛ ପଟେ ରଖିବେ। ବର୍ତ୍ତମାନ ବାମ ହାତକୁ ଉପରକୁ ଉଠାଇ ଡାହାଣ ଗୋଡ଼ର ବଳାଗଣ୍ଠିକୁ ଧରି ଶରୀରର ଉପରି ଭାଗକୁ ଡାହାଣ ଆଡ଼କୁ ମୋଡ଼ି ପଛକୁ ଦେଖିବେ। ଏହିଭଳି ଭାବେ କିଛି ସେକେଣ୍ଡ ରହିବେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିବେ।
ସେହିଭଳି ଭାବେ ବାମ ଗୋଡ଼କୁ ଭାଙ୍ଗିବେ। ବାମ ହାତକୁ ପଛପଟେ ରଖିବେ। ବର୍ତ୍ତମାନ ଡାହାଣ ହାତକୁ ଉପରକୁ ଉଠାଇ ବାମ ଗୋଡ଼ର ବଳାଗଣ୍ଠିକୁ ଧରି ଶରୀରର ଉପରି ଭାଗକୁ ବାମ ଆଡ଼କୁ ମୋଡ଼ି ପଛକୁ ଦେଖିବେ। କିଛି ସେକେଣ୍ଡ କରିବା ପରେ ପୂର୍ବାବସ୍ଥାକୁ ପୁଣି ଫେରିଯିବେ। ଏହିଭଳି ଭାବେ ଦୁଇଥର କରିବେ।
ବକ୍ରାସନ କରିବା ଦ୍ୱାରା ପିଠି ବିନ୍ଧା, ବେକ ଦରଜ ଓ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହାଦ୍ୱାରା ସ୍ନାୟୁ ଠିକ୍ ଭାବରେ କାମ କରେ।