ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇନ୍ସୁଲିନ୍ ନେଉଛନ୍ତି, ହେଲେ ନିଜର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ, ଡାଏଟ୍ ଉପରେ ଧ୍ୟାନ ଦେଲେ ଅଧିକ ସୁଫଳ ମିଳିଥାଏ।
-ରୋଷେଇରେ ଘିଅ ଏବଂ ତେଲକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। ଡାଏଟିସିଆନ୍ମାନଙ୍କ ଅନୁସାରେ ସାରା ଦିନରେ ୪ ଚାମଚରୁ ଅଧିକ ତେଲ ବା ଘିଅ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ। ତେଣୁ ଖାଦ୍ୟକୁ ସବୁବେଳେ ନନଷ୍ଟିକ୍ ବାସନକୁସନରେ ବନାନ୍ତୁ; ଯେପରିକି କମ୍ ତେଲରେ ଆପଣ ରାନ୍ଧିପାରିବେ। ସେହିପରି ରୋଷେଇରେ ଯଥାସମ୍ଭବ ଅଲିଭ ଅଏଲ୍ ବ୍ୟବହାର କରିପାରିବେ।
-କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟକୁ କମ୍ କରନ୍ତୁ। ଅର୍ଥାତ୍ ଭାତ, ରୁଟି ବଦଳରେ ଦଲିଆ, ଉପମା ପ୍ରଭୃତି ପ୍ରସ୍ତୁତ କରନ୍ତୁ। ଇଚ୍ଛା ଥିଲେ ସବୁ ପରିବା ପକାଇ ଖିଚୁଡ଼ି ପ୍ରସ୍ତୁତ କରିପାରିବେ।
-ଅନେକ ଲୋକ ରୋଷେଇ କରିବା ସମୟରେ ଚିନିର ପ୍ରୟୋଗ କରିଥା’ନ୍ତି। ତାକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ଖାଇବା ପରେ ମିଠା ଖାଇବାର ଅଭ୍ୟାସକୁ ପରିତ୍ୟାଗ କରନ୍ତୁ। ଚା’, କଫି ପିଉଥିଲେ ସେଥିରେ ଚିନିର ବ୍ୟବହାର କରନ୍ତୁ ନାହିଁ।
-ରୋଷେଇରେ ସବୁଜ ପନିପରିବାକୁ ସାମିଲ କରନ୍ତୁ। ଫୁଲକୋବି, ବନ୍ଧାକୋବି, ସିମଲା ଲଙ୍କା ଇତ୍ୟାଦିକୁ ନିୟମିତ ଭାବେ ରୋଷେଇ କରନ୍ତୁ। ଫୁଲକୋବିକୁ ତରକାରୀ କରିବା ସମୟରେ ଗରମ ପାଣିରେ ଟିକେ ଫୁଟାଇ ଦେଲେ ଆଉ ଭାଜିବାକୁ ପଡ଼ିବ ନାହିଁ ଏବଂ ତେଲ କମ୍ ଖର୍ଚ୍ଚ ହେବ।
-ସେହିପରି ଲୋ ଫ୍ୟାଟ୍ କ୍ଷୀର, ଦହିକୁ ଖାଦ୍ୟ ତାଲିକାରେ ରଖନ୍ତୁ।
-ମଧୁମେହ ରୋଗୀଙ୍କୁ ଖୁବ୍ ଶୀଘ୍ର ଭୋକ ଲାଗେ। ତେଣୁ ସ୍ୱାସ୍ଥ୍ୟକର ସ୍ନାକ୍ସ ଯେପରିକି ଚଣା ଭଜା,ଗଜା ମୁଗ ଇତ୍ୟାଦି ପାଖରେ ରଖନ୍ତୁ। ଗଜା ମୁଗକୁ ସିଝାଇ ବା ପୂର୍ବ ରାତିରେ ବତୁରାଇ ସକାଳେ ଖାଇପାରିବେ।
-ସକାଳ ଜଳଖିଆରେ ରୁଟି, ବ୍ରେଡ୍ ପରିବର୍ତ୍ତେ ଦଲିଆ ଏବଂ ଓଟ୍ସ ପ୍ରଭୃତିକୁ ସାମିଲ କରନ୍ତୁ। ଏହି ସବୁ କମ୍ କ୍ୟାଲୋରିଯୁକ୍ତ ଖାଦ୍ୟ ମଧୁମେହକୁ ନିୟନ୍ତ୍ରଣରେ ରଖିବ।
-ଗହମ ଅଟା ବଦଳରେ ମଲ୍ଟିଗ୍ରେନ୍ ଅଟା କିମ୍ବା ମାଣ୍ଡିଆ ଅଟା ବ୍ୟବହାର କରନ୍ତୁ।