small thali-healthy food

କୋଭିଡ୍‌-୧୯ରୁ ସଦ୍ୟ ସୁସ୍ଥ ହେବା ପରେ ଆପଣଙ୍କର ଖାଦ୍ୟପାନୀୟ କେମିତି ହେବା ଆବଶ୍ୟକ, ଜାଣିରଖନ୍ତୁ।

କୋଭିଡ୍‌-୧୯ରୁ ସଦ୍ୟ ସୁସ୍ଥ ହୋଇଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥା’ନ୍ତି। ଏହାସହ ସେମାନଙ୍କର ସ୍ୱାଦ ଗନ୍ଧ ବାରିବାର ଶକ୍ତି, ହଜମ ଶକ୍ତି କେତେ ମାତ୍ରାରେ କମିଯାଇଥାଏ। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ସହଜରେ ହଜମ ହେଉଥିବା ପୁଷ୍ଟିକର ଖାଦ୍ୟ ହିଁ ଖାଇବା ଦରକାର।

ସବୁବେଳେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବା ଆବଶ୍ୟକ। ଦିନକୁ ୭ରୁ ୮ ଗ୍ଲାସ୍‌ ପାଣି ପିଇବା ଜରୁରୀ। ପାଣିକୁ ଫୁଟାଇ ପିଇବା ଜରୁରୀ। ଘରେ କାଢ଼ା ପ୍ରସ୍ତୁତ କରି ଖାଇବା ଅତ୍ୟନ୍ତ ଲାଭଦାୟକ। ଖାଦ୍ୟରେ ସବୁଜ ପନିପରିବା ଓ ଫଳମୂଳକୁ ସାମିଲ କରିବା ଭଲ। ତେବେ ଆସନ୍ତୁ ଜାଣିବା, କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତି କେଉଁ ଭଳି ଖାଦ୍ୟ ଖାଇବା ଦରକାର?

ଜଳଖିଆ: ସୁଜି ବା ଚୂଡ଼ା ଉପମା, ଛତୁଆ, ରୁଟି ବା ପରଟା, ଗଜାମୁଗ, ଫଳ ଯେପରିକି ଅମୃତଭଣ୍ଡା, ପିଜୁଳି, କମଳା, ଡାଳିମ୍ବ, ସେପଟା, ସେଓ, କୋଳି। ସକାଳୁ ଗୋଟିଏ କପ୍‌ କ୍ଷୀର ପିଇପାରିବେ।

ମଧ୍ୟାହ୍ନ ଭୋଜନ: ଭାତ କିମ୍ବା ରୁଟି, ପାଣିଆ ଡାଲି, ମିଶା ପରିବା ତରକାରି, ଶାଗ, ସାଲାଡ ଆଦି। ମାଛ, ମାଂସ ଆଦି ଖାଇପାରିବେ ହେଲେ ଅଧିକ ତେଲ ମସଲା ମିଶାଇବେ ନାହିଁ।

ରାତି ଭୋଜନ: ସବୁବେଳେ ଶୋଇବାର ୨ ଘଣ୍ଟା ପୂର୍ବରୁ ରାତି ଖାଇବା ଖାଇନିଅନ୍ତୁ। ରାତି ଖାଇବା ସବୁବେଳେ ହାଲ୍‌କା ହେବା ଜରୁରୀ। ରୁଟି ସହ କୌଣସି ପରିବା ତରକାରି କିମ୍ବା ସାଲାଡ୍‌ ଖାଇପାରିବେ।

ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ ଗରମ କ୍ଷୀରରେ ହଳଦିଗୁଣ୍ଡ ମିଶାଇ ପିଇଲେ ଭଲ।

ଦିନରେ ଥରେ ଓ ସନ୍ଧ୍ୟାବେଳେ ଥରେ କାଢ଼ା ପିଇପାରିବେ। ଅଦା, ଶୁଣ୍ଠି, ଗୋଲମରିଚ, ଡାଳଚିନି, ଲବଙ୍ଗ, ତୁଳସୀ ପତ୍ରକୁ ଗୋଟେ ଗ୍ଲାସ୍‌ ପାଣିରେ ମିଶାଇ ଫୁଟାନ୍ତୁ। ଏଥିରେ ଗୁଡ଼ ବା ମହୁ ମିଶାଇ ପିଅନ୍ତୁ।