ଗୀତା ଦାସ
ଆଜିର ଦିନରେ ଚାପ ବା ଷ୍ଟ୍ରେସ୍ କମାଇବାର ଏକ ବଡ଼ ଚିକିତ୍ସା ହେଉଛି ଶରୀରଚର୍ଯା ଓ ବ୍ୟାୟାମ। ଜାଣନ୍ତୁ କିପରି:
ଶରୀରଚର୍ଯ୍ୟା
କୁସ୍ତି-କସରତ କରିବା, ପହଁରିବା, ଡଙ୍ଗା ବାହିବା, ମାଇଲ ଦୁଇ ମାଇଲ ବାଟ ନିୟମିତ ଭାବେ ଚାଲିବା ଇତ୍ୟାଦି ଯେକୌଣସି ମଧ୍ୟମ ଧରଣର ପରିଶ୍ରମ କଲେ ଯେ ଦେହ ଟାଣୁଆ ଓ ବଳୁଆ ହୁଏ, ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର ଏଭଳି ଶରୀର ଚର୍ଚ୍ଚା କଲେ ଯେ ଦେହ ଓ ମନର ଚାପ ଲାଘବ ହୁଏ, ସେକଥା ଅନେକେ ଜାଣନ୍ତି ନାହିଁ।
ଚାପ ଯୋଗୁଁ ଦେହ ଭିତରେ ଯେଉଁସବୁ ଦେହ-ରସାୟନରେ ପରିବର୍ତ୍ତନ ହୋଇଥାଏ, ତା’ ଫଳରେ ଦେହରେ କ୍ଷତିକାରକ ଅବସ୍ଥାର ସୃଷ୍ଟି ହୋଇଥାଏ ବୋଲି ପୂର୍ବରୁ କୁହାଯାଇଛି। ପରିଶ୍ରମ ହେଲା ପରି ବ୍ୟାୟାମ ବା ଖେଳାଖେଳି କଲେ ଏ ଅବସ୍ଥାର ସଂଶୋଧନ ହୁଏ। ଏହାଛଡ଼ା ଏପରି ତାଲିମ ଫଳରେ ଦେହର ଚାପ ସହିବାର କ୍ଷମତା ମଧ୍ୟ ବଢ଼ିଥାଏ। ସୈନ୍ୟମାନଙ୍କର ତାଲିମ ପ୍ରଣାଳୀରେ ତେଣୁ ଶରୀର ଚର୍ଚ୍ଚା ଗୋଟାଏ ବଡ଼ କଥା। ସେହିପରି ବିପଦ ସମୟରେ ଅସମ୍ଭବ ମାନସିକ ଚାପ ସତ୍ତ୍ୱେ ମନ ଅବିଚଳିତ ରଖି, ଭୀତତ୍ରସ୍ତ ନ ହୋଇ ଶୃଙ୍ଖଳିତ ଭାବରେ କାମ କରିବାର ତାଲିମ ମଧ୍ୟ ସେମାନେ ପାଆନ୍ତି। ସାଧାରଣ ଲୋକ ଏଇ ପ୍ରଣାଳୀ ଅନୁସରଣ କରି ନିଜ ଦେହ ଓ ମନକୁ ଚାପ- ପ୍ରତିରୋଧୀ କରି ଗଢ଼ିପାରିବେ।
କେତେକ ଚିକିତ୍ସକ ଆମେରିକାରେ କଲେଜ ପିଲାମାନଙ୍କୁ ୧୯୧୬ରୁ ୧୯୫୦ ମସିହା ପର୍ଯ୍ୟନ୍ତ (ସର୍ବମୋଟ ସତର ହଜାର ପିଲା ପରୀକ୍ଷିତ ହୋଇଥିଲେ) ସର୍ଭେ କରି ଦେଖିଲେ ଯେ ଯେଉଁମାନେ ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁଛି ଓ ସେମାନେ ବେଶି ଦିନ ବଞ୍ଚୁଛନ୍ତି। ଅନ୍ୟ ଗବେଷଣାରୁ ମଧ୍ୟ ଦେଖାଯାଉଛି ଯେ ଯେଉଁମାନେ ନିୟମିତ ବ୍ୟାୟାମ ବା ସେହିପରି ପରିଶ୍ରମ କାମ କରନ୍ତି, ସେମାନଙ୍କ ଭିତରେ ଶତକଡ଼ା ଷାଠିଏ ଜଣ କମ୍ ରାଗୁଛନ୍ତି ଓ ବିରକ୍ତ ହେଉଛନ୍ତି। ଶତକଡ଼ା ତିରିଶ ଜଣଙ୍କର ମନ ଖରାପ, ଦୁଶ୍ଚିନ୍ତା ଓ ମନବ୍ୟସ୍ତ ହେବାର ଭାବ ଚାଲିଯାଉଛି, ନିଦ ଭଲ ହେଉଛି, କୋଷ୍ଠକାଠିନ୍ୟ ବା ଡାଇରିଆ କମୁଛି।
ଦେହର ଉପକାର ହେଲା ପରି ପରିଶ୍ରମ ହେଉଛି କି ନାହିଁ, ସେକଥା ଜାଣିବାର ଉପାୟ ହେଲା ବ୍ୟାୟାମ ପରେ ହୃତ୍ସ୍ପନ୍ଦନର ଗତି ନିଜର ନାଡ଼ି ଦେଖି ଜାଣିବା। ତଳେ ବ୍ୟାୟାମ କଲା ପରେ କେଉଁ ବୟସରେ ନାଡ଼ିର ଗତି ପ୍ରତି ମିନିଟ୍ରେ କେତେ ହେବା କଥା ଦିଆଯାଇଛି। ଏଇ ଚାର୍ଟ ଦେଖି ଯଥେଷ୍ଟ ପରିଶ୍ରମ ହେଲା କି ନାହିଁ ସେକଥା ଜାଣି ହେବ।
ବୟସ ପ୍ରତି ମିନିଟ୍ରେ ବ୍ୟାୟାମ ପରେ ହୃତ୍ସ୍ପନ୍ଦନର ଗତି
୨୦ ୧୩୦-୧୬୦
୨୫ ୧୨୭-୧୫୬
୩୦ ୧୨୪-୧୫୨
୩୫ ୧୨୦-୧୪୮
୪୦ ୧୧୭-୧୪୪
୪୫ ୧୧୪-୧୪୦
୫୦ ୧୧୧-୧୩୬
୫୫ ୧୦୭-୧୩୨
୬୦ ୧୦୪-୧୨୮
୬୫ ୧୦୧-୧୨୪
୭୦ ୯୮-୧୨୦
ଶୀଘ୍ର ଶୀଘ୍ର ଚାଲିଲେ (କିମ୍ବା ଯଦି ଶୀଘ୍ର ଚାଲିବା ଅଭ୍ୟାସ ନାହିଁ, ତାହାହେଲେ ପାଖାପାଖି ୩ ସେର ଓଜନର ବ୍ୟାଗ ବା ବହି ନେଇ ଚାଲିଲେ ପରିଶ୍ରମ ହେବ)। ସାଇକେଲ୍ ଚଲାଇଲେ, ପହଁରିଲେ, ଟେନିସ୍, ବାଡ୍ମିଣ୍ଟନ, ଭଲିବଲ୍, ଫୁଟବଲ୍, ବାଗୁଡ଼ି ଇତ୍ୟାଦି ଖେଳ ଖେଳିଲେ ପରିଶ୍ରମ ହୁଏ। ସ୍ତ୍ରୀଲୋକଙ୍କ ପାଇଁ ପୁଚି ଖେଳ ପରି ଦେହରୁ ଝାଳ ବୋହିଗଲା ପରି ଖେଳ ଉପଯୋଗୀ।
ଏଠି ମନରେ ପ୍ରଶ୍ନ ଉଠିପାରେ ଯେ ଘର କାମ ବା ଚାକିରି କାମରେ କ’ଣ ପରିଶ୍ରମ ନାହିଁ? ଏସବୁ ଅଧିକା ପରିଶ୍ରମ କରିବା ପାଇଁ ଦେହକୁ ତ ବଳ ପାଉନି, ସହଜେ ହାଲିଆ ଲାଗୁଛି କାମ କରି କରି। ତେଣୁ ଶରୀରର ଚର୍ଚ୍ଚା କରି ଅଯଥା ପରିଶ୍ରମରେ ଲାଭ କ’ଣ?
ଆଜିକାଲି ଅଧିକାଂଶ ଚାକିରିରେ ବସିବା କାମ ବେଶି, ଶାରୀରିକ ପରିଶ୍ରମ କମ୍। ଘର କାମରେ ମଧ୍ୟ ଶାରୀରିକ ପରିଶ୍ରମ କମ୍। ଏସବୁ କାମରେ ଦେହର ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗର ଚାଳନା ହୁଏ ନାହିଁ।
ଦ୍ୱିତୀୟରେ ଏକାପ୍ରକାର ବୈଚିତ୍ର୍ୟହୀନ କାମ କରିବାକୁ ମାନସିକ ଚାପ ପୁଞ୍ଜୀଭୂତ ହୋଇଥାଏ। କାମ ଜାଗାରେ ମତବିରୋଧ, ଯୁକ୍ତିତର୍କ, ବାଦାନୁବାଦ ହେଲେ ମନରେ ବହୁତ ରାଗ ହୁଏ। ଅଥଚ ପରିସ୍ଥିତି ଯୋଗୁଁ ମନରେ ରାଗ ପ୍ରକାଶ କରି ହୁଏ ନାହିଁ; ଫଳରେ ଚାପର ମାତ୍ରା ବଢ଼େ। ସେଥିପାଇଁ ଶରୀର ଚର୍ଚ୍ଚା କଲେ ଦେହର ବିଚଳିତ ଭାବ କଟିଯାଏ।
ବିଦେଶରେ ଆଜିକାଲି ବହୁତ କାରଖାନା ବା ଅଫିସରେ ମୁଷ୍ଟିଯୁଦ୍ଧ ଅଭ୍ୟାସ କରିବା ପାଇଁ ବ୍ୟବସ୍ଥା ରହିଛି। ସେଠି ଅନ୍ୟ ଲୋକକୁ ମୁଥ ନ ମାରି ଗୋଟାଏ ବଡ଼ ମଣିଷ ଆକାରର ଚମଡ଼ା ଥଳିକୁ ମୁଥ ମାରି ମୁଷ୍ଟି ଯୁଦ୍ଧର କୌଶଳ ଶିଖନ୍ତି। ଏପରି ମୁଥ ମାରି ବ୍ୟାୟାମ କରିବା ଫଳରେ ମନର ରାଗ ମଧ୍ୟ କମିଯିବାରୁ ନିଜର ସହକର୍ମୀ ଓ ତତ୍ତ୍ୱାବଧାରକ ସହିତ ସମ୍ବନ୍ଧରେ ଉନ୍ନତ ଘଟୁଛି।
ଶାରୀରିକ ଚାପ ଓ ମାନସିକ ଚାପ ଉପରେ ଯୋଗ, ରିଲାକ୍ସେସନ୍, ବ୍ୟାୟାମ, ପ୍ରାଣାୟାମ ଓ ସାଧାରଣ ଶରୀର ଚର୍ଚ୍ଚାର ପ୍ରଭାବ ବିଷୟରେ ଯେତେ ଗବେଷଣା ହେଉଛି, ସେଥିରୁ ଜଣାଯାଉଛି ଯେ ଯେଉଁମାନେ ନିୟମିତ ଶରୀରଚର୍ଚ୍ଚା କରନ୍ତି, ସେମାନଙ୍କର ଶାରୀରିକ ଓ ମାନସିକ ଚାପ କମୁଛି ଏବଂ ଅନ୍ୟ ଦିଗରେ ବେଶି ଚାପ ସହିପାରିବାର କ୍ଷମତା ବଢ଼ୁଛି।
ଚାପଜନିତ ରୋଗରେ ଚିକିତ୍ସା କ୍ଷେତ୍ରରେ ଯୋଗ, ପ୍ରାଣାୟାମ, ରିଲାକ୍ସେସନ୍ ବ୍ୟାୟାମର ଫଳ ବେଶି ଲାଭଜନକ ହେଉଛି। ଶୀଘ୍ର ଶୀଘ୍ର ଚାଲିବା, ପହଁରିବା, ଡଙ୍ଗା ବାହିବା ଇତ୍ୟାଦି ମଧ୍ୟମ ଧରଣର ଶରୀର ଚର୍ଚ୍ଚା ମଧ୍ୟ ଉପକାରୀ। କୁସ୍ତି-କସରତ ବା ପ୍ରତିଯୋଗିତାମୂଳକ ଖେଳରୁ ବିଶେଷ ଲାଭ ହେଉ ନାହିଁ।
ପାଶ୍ଚାତ୍ୟ ଦେଶରେ ଅଧିକାଂଶ ସ୍କୁଲରେ ପିଲାଙ୍କ ପାଇଁ ନିୟମିତ ବ୍ୟାୟାମ କରିବାର ବ୍ୟବସ୍ଥା ତ ରହିଛି; ଅଧିକନ୍ତୁ ତଳ ଶ୍ରେଣୀର ପିଲାମାନେ କ୍ଲାସରେ ଗୋଟାଏ ଜାଗାରେ ସ୍ଥିର ହୋଇ ବସି ନ ରହି, ବୁଲାଚଲା କରି, ବିଭିନ୍ନ କାମ କରି ପାଠ ଶିଖନ୍ତି। କାରଣ ପିଲାମାନେ ବେଶି ବେଳ (ଛଅ ଘଣ୍ଟା ସମୟ) ସ୍ଥିର ହୋଇ ବସିଲେ ସେମାନଙ୍କର ଅଣ୍ଟା-ପିଠି ଧରୁଛି ଓ ମାଂସପେଶୀର ଟେନ୍ସନ୍ ଯୋଗୁଁ ସେମାନେ ଅନ୍ୟମନସ୍କ ହେଉଛନ୍ତି, ବିରକ୍ତି ହେଉଛନ୍ତି ଓ ମାଡ଼ ପିଟାପିଟି ଲଗାଉଛନ୍ତି। ସାନପିଲା ଚଲାବୁଲା କରିବାରୁ ସେମାନଙ୍କର ଟେନ୍ସନ୍ କମୁଛି ଓ କ୍ଲାସରେ କମ୍ ଗଣ୍ଡଗୋଳ କରୁଛନ୍ତି।
ଚୀନ, ଜାପାନ, ତାଇୱାନ, କୋରିଆ ଇତ୍ୟାଦି ଦୂରପ୍ରାଚ୍ୟ ଦେଶରେ କାରଖାନା, ଅଫିସ୍, ସ୍କୁଲ ସବୁଠିଁ ବ୍ୟାୟାମ କରିବା ବାଧ୍ୟତାମୂଳକ। ପୂର୍ବେ ସେମାନେ ବଳ ବଢ଼ିବା ପାଇଁ ଓ ଅଙ୍ଗପ୍ରତ୍ୟଙ୍ଗର ପୁଷ୍ଟି ପାଇଁ ବ୍ୟାୟାମ ଉପରେ ବେଶି ଗୁରୁତ୍ୱ ଦେଉଥିଲେ। ବର୍ତ୍ତମାନ ସେମାନେ ନିଜ ନିଜ ଦେଶର ପ୍ରାଚୀନ ଶରୀରଚର୍ଚ୍ଚା ପଦ୍ଧତି ଅନୁସରଣ କରି ଶାରୀରିକ ଚାପ ଓ ମାନସିକ ଚାପର ନିରାକରଣ କରିବା ଦିଗରେ ସମାନ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଆମେରିକା ଓ କାନାଡ଼ାରେ ଭାରତୀୟ ହଟଯୋଗ, ଜାପାନୀ ଓକି ଯୋଗ ଓ ଚୀନ ଦେଶର ତାଇ-ଚି-ଚି ବହୁତ ଜନପ୍ରିୟ ହୋଇଛି।
ରିଲାକ୍ସେସନ୍ ବ୍ୟାୟାମରେ ଶରୀରର ଅଧିକାଂଶ ମାଂସପେଶୀକୁ ପ୍ରଥମେ ସଂକୋଚନ ଓ ତା’ ପରେ ପ୍ରସାରଣ କରି ମାଂସପେଶୀକୁ ଶିଥିଳ କରିବା ଉପାୟ ଶିଖାନ୍ତି। ତା’ପରେ ଧ୍ୟାନ (ତିବ୍ବତୀୟ, ଜାପାନୀ ଓ ଭାରତୀୟ ପଦ୍ଧତି ଅନୁସରଣ କରି) ସାହାଯ୍ୟରେ ମନକୁ ନିର୍ଜଜ୍ଞାଳ କରିବାକୁ ଶିଖାନ୍ତି। ବର୍ତ୍ତମାନ ଶରୀରଚର୍ଚ୍ଚା ଦ୍ୱାରା ମାନସିକ ଚାପ ନିୟନ୍ତ୍ରଣ କରିବା ଏକ ମୁଖ୍ୟ ଉପାୟ ହୋଇଛି।
(ଗୀତା ଦାସ ଜଣେ ପରିଚିତ ଓଡ଼ିଆ ଲେଖିକା ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନସ୍ତତ୍ୱବିଦ। ୧୮୬୮ ମସିହାରୁ ସେ କାନାଡ଼ାରେ ରହୁଛନ୍ତି। ‘ମନର ଅନ୍ଧାର ମାନସିକ ସମସ୍ୟା’ ପୁସ୍ତକରେ ଶ୍ରୀମତି ଦାସ ମଣିଷର ଦୈନନ୍ଦିନ ଓ ପେସାଦାର ଜୀବନରେ ଆସୁଥିବା ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ, କାରଣ ଏବଂ ଉପଚାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।)
(ସୌଜନ୍ୟ: ମନର ଅନ୍ଧାର ମାନସିକ ସମସ୍ୟା)