ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ।
ପଢ଼ିବାର ଅଭ୍ୟାସ କରାନ୍ତୁ: ବହି ପଢ଼ିବା ଦ୍ୱାରା କେବଳ ଯେ ପିଲାକୁ ଭାଷା ଜ୍ଞାନ ମିଳିଥାଏ ତା’ ନୁହେଁ, ଏହାଦ୍ୱାରା ପିଲାଟି ବିଭିନ୍ନ ଭାଷାରେ କଥା କହିବାରେ ମଧ୍ୟ ପଟୁତା ହାସଲ କରିଥାଏ। ଯାହାକି ତାର ବୁଦ୍ଧିମତ୍ତାର ସ୍ତରକୁ ବୃଦ୍ଧି କରିବା ସହିତ ତାକୁ ଆତ୍ମବିଶ୍ୱାସୀ କରାଇଥାଏ। ତେଣୁ ପଢ଼ିବା, ଲେଖିବା ଆରମ୍ଭ କରିବା ପରଠାରୁ ପିଲାକୁ ବହି ପ୍ରତି ଆଗ୍ରହୀ କରାନ୍ତୁ। ତାକୁ ବହିଟି ପଢ଼ିବାକୁ ଦେବାପରେ ତାର ବିଷୟବସ୍ତୁ ନେଇ ଆଲୋଚନା କରନ୍ତୁ । ସେ ସଂପର୍କରେ ପ୍ରଶ୍ନ କରନ୍ତୁ। ଏହା ତାର ବୁଦ୍ଧିମତ୍ତାକୁ ବୃଦ୍ଧି କରିବ।
ଏକାଧିକ ଭାଷା ଶିଖାନ୍ତୁ: ଗବେଷଣା ଅନୁସାରେ ଯେଉଁ ପିଲାଙ୍କର ଆଇକ୍ୟୁ ଅଧିକ ଥାଏ ସେମାନେ ଅତି କମରେ ୪ଟି ଭାଷା ଶିଖିପାରିବେ। ତେଣୁ ଛୋଟବେଳୁ ପିଲାଟିକୁ ଏକାଧିକ ଭାଷା ଶିଖାଇବା ଅଭ୍ୟାସ କରାନ୍ତୁ। ଏହାଦ୍ୱାରା ତାର ଆତ୍ମବିଶ୍ୱାସ ବୃଦ୍ଧି ହେବା ସହିତ ତାର ଲିଟେରାସୀ ଲେବଲ(ପଢ଼ିବା-ଲେଖିବାର ଯୋଗ୍ୟତା) ବହୁତ ଅଧିକ ହେବ। ସେହିପରି ଚାପରେ ଥିଲେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବ।
ବ୍ରେନ୍ ଗେମ୍ସ ଖେଳନ୍ତୁ: ଘରେ ପିଲାକୁ ବ୍ୟସ୍ତ ରଖିବା ଲାଗି ଟିଭି ଏବଂ ମୋବାଇଲ ବଦଳରେ ଆପଣ ବ୍ରେନ୍ ଗେମ୍ସ(ଶୈକ୍ଷଣୀୟ ଗେମ୍ସ) ଖେଳାଇବାର ଅଭ୍ୟାସ କରନ୍ତୁ। ଶୈକ୍ଷଣୀୟ ଗେମ୍ସ ଖେଳିବା ଦ୍ୱାରା ପିଲାର ରଚନାତ୍ମକତା ଏବଂ ବୁଦ୍ଧିମତ୍ତା ବଢ଼ିବ। ସେହିପରି ତାକୁ ଜେଜେବାପା, ଜେଜେମା’ଙ୍କ ସହ ଏହି ଗେମ୍ସ ଖେଳିବାକୁ ବୁଝାନ୍ତୁ। ଏହାଦ୍ୱାରା ମସ୍ତିଷ୍କ ତୀକ୍ଷ୍ଣ ହେବା ସହିତ ପରିବାର ସହ ତାର ସଂପର୍କ ବଢ଼ିବ। ବଡ଼ ପିଲାମାନେ ଚେସ୍ ଖେଳିପାରିବେ। ଏହାଦ୍ୱାରା ସେମାନଙ୍କର ଲଜିକାଲ ରିଜନିଂ ସ୍କିଲ ବୃଦ୍ଧି ହେବ।
ସଙ୍ଗୀତ ଶିଖାନ୍ତୁ: ମନୋବୈଜ୍ଞାନିକମାନଙ୍କ ଅନୁସାରେ ସଙ୍ଗୀତ ଶିକ୍ଷା କରିବା ଦ୍ୱାରା ପିଲାର ମନ ଶାନ୍ତ ଓ ସ୍ଥିର ରହେ। ଏଥିସହିତ ସେମାନଙ୍କର ଶିଖିବାର କ୍ଷମତା ବୃଦ୍ଧିପାଏ, ଏକାଗ୍ରତା ବଢେ ଯାହାକି ପରୋକ୍ଷରେ ବୁଦ୍ଧିମତ୍ତାକୁ ପ୍ରଭାବିତ କରିଥାଏ।
ଗଭୀର ପ୍ରଶ୍ୱାସ ନେବା ଶିଖାନ୍ତୁ: ଗଭୀର ଭାବେ ପ୍ରଶ୍ୱାସ ନେବା ମସ୍ତିଷ୍କକୁ ସତେଜ ରଖିବାର ସବୁଠୁ ଭଲ ବ୍ୟାୟାମ। ଏହାଦ୍ୱାରା ଚାପ କମିବ, ଧ୍ୟାନ ମଧ୍ୟ କେନ୍ଦ୍ରିତ ହେବ। ତେଣୁ ସବୁଦିନ ସକାଳୁ ଉଠିବା ପୂର୍ବରୁ କିମ୍ବା ରାତିରେ ଶୋଇବାକୁ ଯିବାବେଳେ ୧୦-୧୫ ମିନିଟ୍ ଧରି ଗଭୀର ଭାବେ ପ୍ରଶ୍ୱାସ ନେବାକୁ ତାକୁ ଶିଖାନ୍ତୁ।
ପ୍ରଂଶସା କରନ୍ତୁ: ପ୍ରଶଂସା କରିବାର ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହିଛି। କିଛି ନୂଆ କାମ କଲେ କିମ୍ବା ନୂଆ ଶିଖିବା ଲାଗି ପିଲାମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ଶିଖନ୍ତୁ। ଏହାଦ୍ୱାରା ତାର ବୁଦ୍ଧିମତ୍ତାର ସ୍ତର ବଢ଼ିବ।
ସ୍ୱାସ୍ଥ୍ୟକର ଖାଦ୍ୟ ଖୁଆନ୍ତୁ: ପିଲାମାନଙ୍କର ବୁଦ୍ଧିମତ୍ତା ବଢ଼ିବା ଲାଗି ସେମାନଙ୍କୁ ଉପଯୁକ୍ତ ଖାଇବା ଖୁଆନ୍ତୁ। ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ଉପଯୋଗୀ ଖାଦ୍ୟ ସେମାନଙ୍କର ଆଇକ୍ୟୁକୁ ବଢ଼ାଏ ।ଆଇକ୍ୟୁ ସଂପର୍କିତ କିଛି ତଥ୍ୟ। ଭ୍ରୁଣ ଅବସ୍ଥାରୁ ଆରମ୍ଭ କରି ୫ ବର୍ଷ ମଧ୍ୟରେ ପିଲାମାନଙ୍କର ଆଇକ୍ୟୁର ସ୍ତର ବୃଦ୍ଧି ପାଇଚାଲିଥାଏ। ୫ ବର୍ଷର ହେବାବେଳକୁ ପିଲାର ଆଇକ୍ୟୁ ସ୍ତର ୧୦ ପ୍ରତିଶତ ବୃଦ୍ଧି ହୋଇସାରିଥାଏ। ମା’ଠାରୁ ସ୍ତନ୍ୟପାନ କରୁଥିବା ପିଲାମାନଙ୍କର ଆଇକ୍ୟୁ ଖୁବ୍ ଅଧିକ ଥାଏ ।ପ୍ରୋଟିନରେ ଭରପୁର ଖାଦ୍ୟ(ଡାଲି,ଅଣ୍ଡା, ଦୁଗ୍ଧଜାତ ଉତ୍ପାଦ) ଖାଇବା ଦ୍ୱାରା ଆଇକ୍ୟୁ ବଢ଼େ।