ସବୁ ଡାଏବେଟିସ୍ ରୋଗୀ ଇନସୁଲିନ୍ ନେବା ଜରୁରୀ କି? ଇନସୁଲିନ୍ ହରମୋନ କିଭଳି କାମ କରେ? ଏନେଇ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଅଧିକ ଜାଣିବା।
ଇନ୍ସୁଲିନ୍ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନ୍ସୁଲିନ ହରମୋନ ଆମ ଶରୀରରୁ କମ୍ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନ୍କୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ।
ମଣିଷ ଶରୀରରେ ଅଗ୍ନାଶୟରୁ ୩-୪ ପ୍ରକାରର ରସ ଝରେ। ଯଥା: ହଜମ ରସ, ଜୀବରସ, ଗ୍ଲୁକାଗନ୍ ଇତ୍ୟାଦି। ଅଗ୍ନାଶୟରୁ ନିର୍ଗତ ହେଉଥିବା ଇନ୍ସୁଲିନ୍ ହରମୋନ୍ ଆମ ପାଇଁ ବହୁତ ଉପକାରୀ। ଶରୀରରେ ଇନ୍ସୁଲିନ୍ ଅଭାବ ହେଲେ ଡାଏବେଟିସ୍ ହୋଇଥାଏ।
ଇନ୍ସୁଲିନ୍ ଗୋଟେ ପେପ୍ଟାଇଡ୍ ହରମୋନ୍, ଯେଉଁଥିରେ ୫୧ଟି ଆମିନୋଏସିଡ୍ ଅଛି, ୨ଟି ଚେନ୍ ଅଛି। ଏହା ଅଗ୍ନାଶୟରୁ ଝରେ। ଅଗ୍ନାଶୟରୁ ଇନ୍ସୁଲିନ୍ ନିର୍ଗତ ହେଲେ ତାହା ରକ୍ତରେ ମିଶି ଆମ ଶର୍କରାକୁ ନିୟନ୍ତ୍ରଣ କରିଥାଏ।
ଇନ୍ସୁଲିନ୍ କେବଳ ଶର୍କରାକୁ ନିୟନ୍ତ୍ରଣ କରେ ତାହା ନୁହେଁ, ଏହା ଆମ ଶରୀରରେ ପ୍ରୋଟିନ୍, ଲିପିଡ୍, ଫ୍ୟାଟ୍ ଉପରେ ବି ପ୍ରଭାବ ପକାଏ। ଏହା ଶରୀରର ମେଟାବଲିଜିମ୍ ଉପରେ ବି ପ୍ରଭାବ ପକାଇଥାଏ।
ଇନ୍ସୁଲିନ୍ ଏକ ଆନାବୋଲିକ୍ ହରମୋନ୍। ଏହା ଆମ ଶରୀରରେ କୌଣସି କ୍ଷତି କରାଏନାହିଁ। ଇନ୍ସୁଲିନ୍ ଅଭାବକୁ କାଟାବଲିଜିମ୍ କୁହାଯାଏ। ଏଥିରେ ଦେହ କ୍ଷୀଣ ହୋଇ ବ୍ୟକ୍ତି ଦୁର୍ବଳ ହୋଇଯାଆନ୍ତି।
ଇନସୁଲିନ୍ କେଉଁମାନେ ନେଇପାରିବେ? (Who can take insulin in Odia)
୧୯୨୧ ମସିହାରେ ଇନ୍ସୁଲିନ୍ ସୃଷ୍ଟି ହୋଇଥିଲା। ସେତେବେଳେ ଡାଏବେଟିସ୍ର କୌଣସି ଚିକିତ୍ସା ନଥିଲା। ପ୍ରଥମ କରି ଜନ୍ସନ୍ ନାମକ ଜଣେ ଶିଶୁକୁ ଇନ୍ସୁଲିନ୍ ଦିଆଯାଇଥିଲା ଏବଂ ଶିଶୁଟି ସୁସ୍ଥ ହୋଇଥିଲା।
ଡାଏବେଟିସ୍ର ଚିକିତ୍ସା ହେଉଛି ଇନ୍ସୁଲିନ୍। ଯଦି କେବଳ ଔଷଧରେ ରକ୍ତ ଶର୍କରା ନିୟନ୍ତ୍ରଣରେ ରହୁନାହିଁ, ସେତେବେଳେ ଇନ୍ସୁଲିନ୍ ନେବା ଜରୁରୀ। ଟାଇପ୍-୧ ଡାଏବେଟିସ୍ରେ ପୀଡ଼ିତ ରୋଗୀ ଇନ୍ସୁଲିନ୍ ନେବା ନିହାତି ଜରୁରୀ। ଟାଇପ୍-୧ ଡାଏବେଟିସ୍ରେ ପୀଡ଼ିତ ରୋଗୀ ଯଦି ୭-୮ ଦିନ ଧରି ଇନ୍ସୁଲିନ୍ ନ ନିଅନ୍ତି, ତେବେ ସେମାନଙ୍କୁ ‘କିଟୋସିସ୍’ ନାମକ ରୋଗ ହେବ। ଫଳରେ ରୋଗୀ ମୃତ୍ୟୁମୁଖରେ ପଡ଼ିବେ।
କିନ୍ତୁ ବୟସ୍କ ଲୋକଙ୍କଠାରେ କିଛି ମାତ୍ରାରେ ଇନ୍ସୁଲିନ୍ ଝରିଥାଏ ଓ କିଛି ମାତ୍ରାରେ ଅଭାବ ଥାଏ। ଯେତିକି ବି ଇନ୍ସୁଲିନ୍ ଝରୁଛି, ତାହା ବ୍ୟକ୍ତିଙ୍କ ଶରୀରରେ ଠିକ୍ ଭାବରେ କାମ କରିପାରେ ନାହିଁ, ଯାହାକୁ ଇନ୍ସୁଲିନ୍ ରେଜିଷ୍ଟାନ୍ସ ବୋଲି କହାଯାଏ।
ଇନସୁଲିନର ପ୍ରକାରଭେଦ (Types of insulin in Odia)
ପୂର୍ବରୁ ଘୁଷୁରି, ଘୋଡ଼ା ଓ ଗାଈର ଅଗ୍ନାଶୟରୁ ଇନ୍ସୁଲିନ୍ ଆଣି ବ୍ୟବହାର କରାଯାଉଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ‘ରିକମ୍ବିନେଣ୍ଟ ଡିଏନ୍ଏ’ ପଦ୍ଧତିରେ ପ୍ରୋଟିନ୍ର ଅଣୁମାନଙ୍କୁ ନେଇ ଇନ୍ସୁଲିନ୍ର ଅଣୁ ତିଆରି କରାଗଲା। ଫଳରେ ମଣିଷ ଦେହରେ ଯେଉଁ ଇନ୍ସୁଲିନ୍ ଝରେ, ସେହି ଇନ୍ସୁଲିନ୍ର ତିଆରି ହୋଇପାରୁଛି। ଏହି ଇନ୍ସୁଲିନ୍ ଭିନ୍ନ ଭିନ୍ନ ପ୍ରକାରର। ଯେପରିକି ଗୋଟେ ଇନ୍ସୁଲିନ୍ ୪ ଘଣ୍ଟା କାମ କରୁଛି, ତ ଗୋଟେ ୮ ଘଣ୍ଟା, ୨୪ ଘଣ୍ଟା କିମ୍ବା ୪୦ ଘଣ୍ଟା ଧରି କାମ କରୁଛି। ତେଣୁ ଡାକ୍ତର ଆପଣଙ୍କ ଡାଏବେଟିସ୍ର ପ୍ରକାର ଦେଖି କେଉଁ ପ୍ରକାର ଇନ୍ସୁଲିନ୍ ଦିଆଯିବ, ତାହା ପରାମର୍ଶ ଦେଇଥା’ନ୍ତି। ଇନ୍ସୁଲିନ୍ ନେଲା ବେଳେ ମଧ୍ୟ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଦରକାର। ଯଦି ଶରୀରରେ ନିର୍ଦ୍ଦିଷ୍ଟ ମାନଠାରୁ ଶର୍କରା କମିଯାଏ, ତେବେ ହାଇପୋଗ୍ଲାଇସେମିଆ ହୋଇପାରେ।
ଯଦି ଶର୍କରା ୩୦-୪୦ ତଳକୁ ଖସିଯିବ ଏବଂ ତୁରନ୍ତ ଚିକିତ୍ସା କରାନଯାଏ, ତେବେ ଜୀବନ ପ୍ରତି ବିପଦ ହୋଇପାରେ।
ଇନସୁଲିନ କେମିତି ନେବେ? (How to take insulin in Odia)
ଇନ୍ସୁଲିନ୍କୁ କଲମରେ, ଇଞ୍ଜେକ୍ସନ୍ ଓ ପମ୍ପ ଜରିଆରେ ନିଆଯାଏ। ଇନ୍ସୁଲିନ୍ ମୁଖ୍ୟତଃ ଜଙ୍ଘ, ନାଭି ତଳେ ନିଆଯାଏ। ଯଦି ଘରେ ଫ୍ରିଜ୍ ନାହିଁ, ତେବେ ବୋତଲ ଇନ୍ସୁଲିନ୍କୁ ଗୋଟେ ଜରିରେ ବାନ୍ଧି ମାଠିଆ ପାଣିରେ ପକାଇଦିଅନ୍ତୁ। ଫଳରେ ତାହା ଥଣ୍ଡାରେ ରହିପାରିବ। ଯେଉଁମାନଙ୍କର ମାଠିଆ ନାହିଁ, ସେମାନେ ଗୋଟେ ମାଟି ସରାରେ ବାଲି ନେଇ ପାଣି ଦେଇ, ତା ଭିତରେ ଗୋଟେ ଗାତ କରି ଇନ୍ସୁଲିନ୍ ବୋତଲକୁ ରଖିଦେଲେ ମଧ୍ୟ ତାହା ଥଣ୍ଡା ରହିବ।
ଇନସୁଲିନକୁ ଭୟ କରନ୍ତୁ ନାହିଁ (Don’t be afraid to take insulin in Odia)
ଇନ୍ସୁଲିନ୍ ନେବାକୁ ଅଧିକାଂଶ ଲୋକ ଭୟ କରନ୍ତି। ହେଲେ ଯଦି ଜଣେ ଡାଏବେଟିସ୍ ରୋଗୀଙ୍କୁ ଇନ୍ସୁଲିନ୍ ଦରକାର ହୁଏ, ତେବେ ସେମାନେ ଏହା ନେବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଆଲୋକ କାନୁନଗୋଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Insulin, in Odia language, is based on an extensive interview with Diabetologist Dr Alok Kanungo.