ଅନିୟନ୍ତ୍ରିତ ଜୀବନଶୈଳୀ, ମାନସିକ ଚିନ୍ତା, ନିଶା ତଥା ଧୂମପାନ, ମଦ୍ୟପାନ ଓ ତମାଖୁ, ଲୁଣ, କମ୍ ଶାରୀରିକ ପରିଶ୍ରମ ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ହିଁ ଉଚ୍ଚ ରକ୍ତଚାପର କାରଣ।

ବିଭିନ୍ନ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ହେଉଛି। ସେଥି ମଧ୍ୟରୁ ଧୂମପାନ ଏକ କାରଣ। ସିଗାରେଟ୍, ବିଡିରେ ରହିଛି ଅନେକ ବିଷାକ୍ତ କେମିକାଲ୍, ଯାହା ଧୂଆଁ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରେ। ଏହାର ପ୍ରଭାବରେ ଶୀରା ପ୍ରଶୀର ଦୁର୍ବଳ ହୋଇଯାଏ। ଫଳରେ ରକ୍ତଚାପ ବୃଦ୍ଧି ହୁଏ।

ବିଶେଷକରି ଧୂମପାନ କରୁଥିବା ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ସମସ୍ୟା ବେଶି ଦେଖାଯାଏ। ତେଣୁ ଧୂମପାନଠାରୁ ଦୂରେଇ ରହିବା ଦରକାର।

ଚିନ୍ତା ଓ ମାନସିକ ଅଶାନ୍ତି ହିଁ ଉଚ୍ଚ ରକ୍ତଚାପର ଏକ ମୁଖ୍ୟ କାରଣ। ଏଣୁ ପାରିପାର୍ଶ୍ୱିକ ଚିନ୍ତାଗ୍ରସ୍ତରୁ ଦୂରେଇ ରହନ୍ତୁ।  ବ୍ୟାୟାମ, ଯୋଗ କରିବା ଦ୍ଵାରା ଶାରୀରିକ କ୍ରିୟାକଳାପ ସକ୍ରିୟ ରହିବ। ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରିବ।

ରକ୍ତଚାପ ବୃଦ୍ଧିର ଆଉ ଏକ କାରଣ ହେଉଛି ଲୁଣ। ଖାଦ୍ୟରେ ଲୁଣର ପରିମାଣ କମ୍ କରନ୍ତୁ। ଦୈନିକ ୫ ଗ୍ରାମ୍‌ରୁ କମ୍‌ ଲୁଣ ଖାଇପାରିବେ। ସେହିପରି ଅଧିକ ଲୁଣ ମିଶିଥିବା ଖାଦ୍ୟଠାରୁ ଦୂରେଇ ରହିବା ଭଲ। ବର୍ତ୍ତମାନ କମ୍‌ ବୟସର ପିଲାଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦେଖାଯାଉଛି। କାରଣ ପରିବର୍ତ୍ତନ ଜୀବନଶୈଳୀ ହିଁ ଏଥିପାଇଁ ଦାୟୀ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ହେବ। ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ଯଦି ରକ୍ତଚାପ ନିୟନ୍ତ୍ରଣରେ ନରହେ, ତେବେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିବ। ଉଚ୍ଚ ରକ୍ତଚାପ ପ୍ରଭାବରେ ମସ୍ତିଷ୍କକୁ ସଂଯୋଗ ହୋଇଥିବା ରକ୍ତବାହୀ ନଳୀ ଫାଟିଯାଏ, ଯାହାଦ୍ଵାରା ବ୍ରେନରେ ଷ୍ଟ୍ରୋକ୍ ହୋଇଥାଏ।

ପ୍ରତିଦିନ ୩୦ ମିନିଟ୍‌ରୁ ବ୍ୟାୟମ ଓ ଯୋଗ କରନ୍ତୁ। ଉଚ୍ଚ ରକ୍ତଚାପ ଶିକାର ବ୍ୟକ୍ତି ନିୟମିତ ଔଷଧ ସେବନ ସହ ପ୍ରତି ୨-୩ ମାସରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ବିଶେଷକ କରି ତେଲ, ଘିଅ ଚର୍ବିଜାତୀୟ, ଜଙ୍କଫୁଡ୍, ଫାଷ୍ଟଫୁଡ୍ ଓ ଅଧିକ ଲୁଣ ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଏହାଦ୍ଵାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ।