ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସଠିକ୍‌ ସମୟରେ ଖାଇବା ସେତିକି ଗୁରୁତ୍ୱପୂର୍ଣ୍ଣ।

ଅଧିକାଂଶ ଲୋକ କାର୍ଯ୍ୟବ୍ୟସ୍ତତା ଓ ବିଭିନ୍ନ କାରଣ ଯୋଗୁଁ ଠିକ୍‌ ସମୟରେ ଖାଦ୍ୟ ଖାଇପାରନ୍ତି ନାହିଁ। ବେଳେ ବେଳେ କେତେକ ଲୋକ ଅଧିକ ରାତିରେ ଖାଦ୍ୟ ଖାଇ ଶୋଇପଡ଼ନ୍ତି। ଫଳରେ ପେଟ ଗ୍ୟାସ୍‌, ଏସିଡିଟି, ମୋଟାପଣ ଭଳି ସମସ୍ୟା ଭୋଗୁଛନ୍ତି। ତେବେ, ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର ଖାଇବା ସହ କେଉଁ ସମୟରେ ଖାଉଛନ୍ତି, ତାହା ବି ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ କେଉଁ ସମୟରେ ଖାଇବା ଜରୁରୀ।

ନିଜ ସକାଳ ଭୋଜନକୁ କେବେ ବି ଅଣଦେଖା କରନ୍ତୁ ନାହିଁ। ଅଧିକାଂଶ ଲୋକ ସକାଳ ଖାଇବାକୁ ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ କେତେକ ଲୋକ ରାତିରେ ଡେରିରେ ଶୋଇଥିବା ହେତୁ, ସେମାନେ ଡେରିରେ ସକାଳୁ ଉଠିଥା’ନ୍ତି। ଫଳରେ ସେମାନେ ସିଧାସଳଖ ମଧ୍ୟାହ୍ନ ଭୋଜନ ସେବନ କରନ୍ତି।

ଆପଣ ରାତିରେ ଶୋଇବା ବେଳେ ପାଖାପାଖି ୮ ରୁ ୧୦ ଘଣ୍ଟା ଉପାସ ରହିବେ। ଫଳରେ ସକାଳୁ ଆପଣଙ୍କ ଶରୀର ଖାଦ୍ୟ ଦରକାର କରିଥାଏ। ତେଣୁ ସକାଳ ଭୋଜନ ଖାଇବା ଜରୁରୀ। ସକାଳୁ ଉଠିବାର ୨ ଘଣ୍ଟା ଭିତରେ ସକାଳ ଭୋଜନ କରିବା ଆବଶ୍ୟକ।

ସବୁବେଳେ ସକାଳ ଓ ମଧ୍ୟାହ୍ନ ଭୋଜନ ଭଲ କରି ଖାଇବା ଦରକାର।

ସନ୍ଧ୍ୟା ବେଳେ ୪ରୁ ୬ ଭିତରେ ଅଳ୍ପ ସ୍ନାକ୍ସ ଖାଇପାରିବେ।

ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଅଥବା ରାତିରେ ୮ଟା ଭିତରେ ରାତି ଭୋଜନ କରିବାକୁ ଚେଷ୍ଟା କରନ୍ତୁ।

ସବୁବେଳେ ଭୋକ ଲାଗିଲେ ଖାଆନ୍ତୁ ଏବଂ ଅଧା ପେଟ ଖାଇବାକୁ ଚେଷ୍ଟା କରନ୍ତୁ। ଯେପରି ଆପଣଙ୍କୁ ଖାଇସାରିବାର କିଛି ସମୟ ପରେ ବି ଭୋକ ଲାଗିବ। କାରଣ ଅଧା ପେଟ ଖାଇଲେ ଉକ୍ତ ଖାଦ୍ୟରୁ ଆପଣଙ୍କ ଶରୀରକୁ ଯେଉଁ କ୍ୟାଲୋରି ମିଳିବ ତାହା ଖର୍ଚ୍ଚ ହୋଇଯିବ ଏବଂ ଶରୀରରେ ଚର୍ବି ହେବ ନାହିଁ।