Dry Lips

ଶୀତଦିନେ ସାଧାରଣତଃ ତ୍ୱଚା ଭଳି ଓଠର ଯତ୍ନ ନେବା ନିହାତି ଜରୁରୀ।

ଶୀତଦିନେ ସାଧାରଣତଃ ଓଠ ଶୁଷ୍କ ହୋଇଯାଏ, ଓଠ ଫାଟେ ଏବଂ ଓଠରୁ ଚୋପା ଛାଡ଼ିଥାଏ। କାରଣ ଓଠର ଚମଡ଼ା ବହୁତ ପତଳା। ଖାସ୍‌କରି ଶୀତଦିନେ ଓଠରୁ ପାଣି ଅଂଶ କମିଯାଏ ଫଳରେ ଓଠ ଫାଟି ଦରଜ ହୁଏ। ଓଠ ଶୁଖିଗଲେ ଆମେ ଓଠରେ ଛେପ ଲଗାଉ କିମ୍ବା ବାରମ୍ବାର ଓଠରେ ଜିଭ ମାରିଥାଉ। ହେଲେ ଏହାଦ୍ଵାରା ଓଠ ଅଧିକ ଶୁଷ୍କ ହୋଇ ଫାଟେ ଓ ନାଲି ପଡ଼ିଯାଏ।

କେତେକ ଲୋକଙ୍କର ଓଠ ଶୁଖିଯାଇ ସେଥିରୁ ଚୋପା ଛାଡ଼େ। ସେମାନେ ଏହି ଚୋପାକୁ ହାତରେ ଛଡ଼ାଇଥାଆନ୍ତି। ହେଲେ ଏହା ବିଲ୍‌କୁଲ କରନ୍ତୁ ନାହିଁ। ଏହାଦ୍ୱାରା ଓଠ ଖଣ୍ଡିଆ ହୋଇ ରକ୍ତ ବାହାରେ ଫଳରେ ଓଠ ଦରଜ ହୁଏ।

ମହିଳାମାନେ ଓଠରେ ଲିପ୍‌ଷ୍ଟିକ୍‌, ଲିପ୍‌ଗ୍ଲସ୍‌ ଲଗାଇବାକୁ ପସନ୍ଦ କରନ୍ତି। ହେଲେ କେତେକ ମହିଳାଙ୍କର ଲିପ୍‌ଷ୍ଟିକ୍‌ ଲଗାଇବା ଦ୍ଵାରା ଅଲର୍ଜି ହୋଇଥାଏ। ଏସବୁ ସମସ୍ୟାକୁ ରୋକିବା ପାଇଁ ଓଠରେ ଛେପ ଲଗାନ୍ତୁ ନାହିଁ, ଓଠକୁ ଦାନ୍ତରେ ଚୋବାଇବେ ନାହିଁ।

ବର୍ତ୍ତମାନ ବଜାରରେ ବିଭିନ୍ନ ଲିପ୍‌ବାମ୍‌ ମିଳୁଛି। ଆପଣ ତାକୁ ଦିନରେ ୫ରୁ ୬ ଥର ଓଠରେ ଲଗାଇପାରିବେ। ନଚେତ ଗୁଆଘିଅ ଓଠରେ ଲଗାଇପାରିବେ। ପ୍ରତ୍ୟେକ ଦିନ ରାତିରେ ଶୋଇବା ବେଳେ ଘୁଆଘିଅକୁ ଓଠରେ ଲଗାଇ ଶୋଇବେ। ଏହା ଓଠକୁ ଚିକ୍କଣ ଓ ମୁଲାୟମ ରଖିବାରେ ସାହାଯ୍ୟ କରେ।

ଆଜିକାଲି ଖରାରୁ ଓଠକୁ ସୁରକ୍ଷା ଦେବାପାଇଁ SPF ଲିପ୍‌ବାମ୍‌ ମିଳୁଛି। ତାହା ସବୁବେଳେ ନିଜର ପାଖରେ ରଖୁଥିବେ। ଯେତେବେଳେ ଓଠ ଶୁଖିଲା ଲାଗିବା ଲିପ୍‌ବାମ୍‌ ଲଗାଇପାରିବେ।

କେତେକ କ୍ଷେତ୍ରରେ ଭିଟାମିନ୍‌ ଅଭାବରୁ ମଧ୍ୟ ଓଠ ଶୁଷ୍କ ହୋଇଯାଏ। ତେଣୁ ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ, ଡ୍ରାଏଫ୍ରୁଟ୍ସ ସାମିଲ କରନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

ସାଧାରଣତଃ ଶୀତଦିନେ ଶରୀରରୁ ଜଳୀୟଅଂଶ କମିଯାଏ। ଏହାଛଡ଼ା ଶୀତଦିନରେ ଲୋକେ କମ୍‌ ପାଣି ପିଅନ୍ତି। ଏହା ଉଭୟ ଓଠ ଏବଂ ତ୍ୱଚାକୁ ଶୁଷ୍କ କରିଦିଏ। ତେଣୁ ସବୁବେଳେ ୩ରୁ ୪ ଲିଟର ପାଣି ପିଇବା ଜରୁରୀ।

ତ୍ୱଚା ଭଳି ଓଠରୁ ବି ମୃତକୋଷିକା ବାହାରିଥାଏ। ତେଣୁ ସପ୍ତାହକୁ ଥରେ ଓଠର ସ୍କ୍ରବ୍‌ କରନ୍ତୁ। ଗୋଟେ ଚାମଚ ମହୁରେ ଅଳ୍ପ ଚିନି ମିଶାନ୍ତୁ। ଏହାକୁ ଓଠରେ ଲଗାଇ ହାଲ୍‌କା ଭାବେ ମସାଜ କରନ୍ତୁ। ୫ ମିନିଟ୍‌ ପରେ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହା ଓଠରୁ ମୃତକୋଷିକା ବାହାର କରିଦିଏ ଏବଂ ଓଠ ଗୋଲାପି ଦେଖାଯାଏ।