ମାସିକ ଋତୁଚକ୍ର ବେଳେ ମହିଳାଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦିଏ। ସେଥିରୁ ପେଟ ଫୁଲିବା ଏକ ପ୍ରକାର ସମସ୍ୟା, ଯାହା ଅଧିକାଂଶ ମହିଳାମାନେ ସମ୍ମୁଖୀନ ହୁଅନ୍ତି।

ପ୍ରତ୍ୟେକ ମହିଳା ସେମାନଙ୍କର ଜୀବନକାଳ ମଧ୍ୟରେ ୪୫୬ ଥର ଋତୁଚକ୍ରର ସାମ୍ନା କରିଥା’ନ୍ତି। କେବଳ ପ୍ରଜନନ ନୁହେଁ ନାରୀମାନଙ୍କ ସ୍ୱାସ୍ଥ୍ୟ ଏହା ଉପରେ ନିର୍ଭର କରିଥାଏ। ଏହି ସମୟରେ କେତେକ ମହିଳା କୌଣସି ଯନ୍ତ୍ରଣା ଅନୁଭୂତ କରୁନଥିଲେ ହେଁ, ଆଉ କେତେକ ମହିଳା ବିଭିନ୍ନ ସମସ୍ୟା ଯେପରିକି ପେଟ ଯନ୍ତ୍ରଣା, ଗ୍ୟାସ୍‌ ସମସ୍ୟା, ପେଟ ଫୁଲିବା, ବାନ୍ତି ହେବା ଆଦି ସମସ୍ୟାର ଶିକାର ହୋଇଥାଆନ୍ତି।

ମାସିକ ଋତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଫୁଲି ଯାଏ ଓ ଗ୍ୟାସ୍‌ ସମସ୍ୟା ଦେଖାଦିଏ। ମାସିକ ଋତୁସ୍ରାବ ସମୟରେ ଶରୀରରେ ଏଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ହରମୋନ୍‌ରେ ପରିବର୍ତ୍ତନ ଯୋଗୁଁ ଶରୀରରେ ଜଳୀୟଅଂଶର ଅଭାବ ହୁଏ। ଫଳରେ ପେଟ ଫୁଲେ।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିଜ ଜୀବନଶୈଳୀ ଉପରେ ଧ୍ୟାନ ଦେବାକୁ ହେବ। ଏହି ସମୟରେ ଅଳ୍ପ ଲୁଣ ଯୁକ୍ତ ଖାଦ୍ୟ ଏବଂ ଫାଇବର ଯୁକ୍ତି ଖାଦ୍ୟ ସେବନ କରିବା ଆବଶ୍ୟକ।

ରକ୍ତରେ ସୋଡିୟମ୍‌ ମାତ୍ରାକୁ ସନ୍ତୁଳିତ ରଖିଥାଏ ପୋଟାସିୟମ୍‌। ପାଳଙ୍ଗ, କଦଳୀରେ ପୋଟାସିୟମ୍‌ ଭରପୂର ମାତ୍ରାରେ ରହିଛି।

ହାଲ୍‌କା ଫୁଲକା ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ଦ୍ଵାରା ପେଟ ଯନ୍ତ୍ରଣା କେତେକାଂଶରେ କମିଥାଏ। ଆପଣ ଚାହିଁଲେ ଯୋଗ, ପ୍ରାଣାୟାମ କରିପାରିବେ।

ଗ୍ୟାସ୍‌ ସୃଷ୍ଟି କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଖାସ୍‌କରି ମଇଦା, ଚିନି, ରିଫାଇଣ୍ଡ ଚାଉଳ ଭଳି ଖାଦ୍ୟ କମ୍‌ ଖାଆନ୍ତୁ।

ଋତୁଚକ୍ର ସମୟରେ କଫି, ମଦ୍ୟପାନ, ଅତ୍ୟଧିକ ଚା’ ପିଅନ୍ତୁ ନାହିଁ। ଏହା ଏସିଡିଟି କରାଇଥାଏ ଫଳରେ ପେଟ ଫୁଲିଥାଏ।

ଶରୀରରେ ଜଳୀୟଅଂଶର ଅଭାବ ଦୂର କରିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ ମଧ୍ୟ କରିପାରିବେ।