ଶୀତଦିନେ କିପରି ନେବେ ତ୍ୱଚାର ଯତ୍ନ? ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଏବିଷୟରେ ଅଧିକ ଜାଣିବା।
ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବାଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା, ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯିବା ବା ଶୀତଫୁଲା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଶୀତ ଦିନରେ ଆଉ ଏକ ସମସ୍ୟା ହେଲା ମଶା କାମୁଡ଼ିବା। ମଶା କାମୁଡ଼ିବା ଯୋଗୁଁ ତ୍ୱଚା ଫୁଲିଯିବା ସହ କୁଣ୍ଡେଇ ହୋଇ ନାଲି ପଡ଼ିଯାଏ। ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ଅଧିକ ନେବାର ଆବଶ୍ୟକତା ରହିଛି।
ସାଧାରଣତଃ ଶୀତ ଦିନେ ସାବୁନ ବିଲକୁଲ ବ୍ୟବହାର କରନ୍ତୁ ନାହିଁ। ଏହା ଚର୍ମରେ ଲଗାଇବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ହୋଇଯାଏ। ଶୀତ ଦିନରେ ସବୁବେଳେ ସାଧା ପାଣିରେ ଗାଧୋଇବେ। ଅଧିକାଂଶ ଲୋକ ଶୀତଦିନେ ଗରମ ପାଣିର ବ୍ୟବହାର ଅଧିକ କରିଥା’ନ୍ତି। ଫଳରେ ତ୍ଵଚାରୁ ଚିକ୍କଣ ଅଂଶ ବାହାରିଯାଇ ତ୍ୱଚା ଶୁଷ୍କ କରିଦିଏ। ତେଣୁ ସବୁବେଳେ ଗାଧୋଇବା ବେଳେ ନଖ ଉଷୁମ କିମ୍ବା ସାଧା ପାଣିର ବ୍ୟବହାର କରନ୍ତୁ।
ସାବୁନ୍ ବଦଳରେ ମାଇଲ୍ଡ ବଡିଓ୍ୱାସ୍ ବ୍ୟବହାର କରିପାରିବେ। ନଚେତ, ଏଭଳି ସାବୁନ୍ ବ୍ୟବହାର କରିବେ, ଯେଉଁଥିରେ ମଇଶ୍ଚରାଇଜର ଅଂଶ ଅଧିକ ଥାଏ।
ପ୍ରାୟ ଲୋକ ଗାଧୋଇବା ପୂର୍ବରୁ ଦେହରେ ତେଲ ଲଗାଇଥା’ନ୍ତି। କିନ୍ତୁ, ଏହି ତେଲ ଗାଧୋଇବା ବେଳେ ତ୍ୱଚାରୁ ବାହାରିଯାଏ। ସବୁବେଳେ ଗାଧୋଇସାରିବା ପରେ ତେଲ ଲଗାଇବା ଆବଶ୍ୟକ।
ରନ୍ଧା ବା ମରା ନଡ଼ିଆ ତେଲ ତ୍ୱଚାରେ ଲଗାଇପାରିବେ। ଏହା ତ୍ଵଚାକୁ ନମନିୟ ରଖିବାରେ ସାହାଯ୍ୟ କରେ। ପ୍ରାୟ ଲୋକ ନଡ଼ିଆ ତେଲରେ କର୍ପୁର ମିଶାଇ ଲଗାନ୍ତି। ହେଲେ ଏହା କେତେକ ଲୋକଙ୍କର ତ୍ୱଚାଜନିତ ଆଲର୍ଜି କରାଏ।
କେତେକ ଲୋକଙ୍କୁ ତେଲ ଲଗାଇବା ଦ୍ୱାରା ତେଲିଆ ବା ଚିପ୍ଚିପ୍ ଲାଗିଥାଏ। ଏଭଳି କ୍ଷେତ୍ରରେ ମଇଶ୍ଚରାଇଜର ଲଗାଇପାରିବେ।
ଶୀତଦିନରେ ଲୋକଙ୍କର ଅଭ୍ୟାସ ଥାଏ ଖରାରେ ବସିବା। କିନ୍ତୁ, ବେଶୀ ଖରା ସଂସ୍ପର୍ଶରେ ଆସିବା ଯୋଗୁଁ ପ୍ରାୟ ଲୋକଙ୍କର ସନ୍ ଆଲର୍ଜି ଓ ସନ୍ ବର୍ଣ୍ଣ ହୋଇଯାଏ। ଏଭଳି କ୍ଷେତ୍ରରେ ୧୦ରୁ ୧୨ଟା ମଧ୍ୟରେ ଖରାରେ ବସନ୍ତୁ ନାହିଁ। ସକାଳ ୬ଟାରୁ ୮ଟା ମଧ୍ୟରେ ହେଉଥିବା ଖରା କ୍ଷତିକାରକ ନୁହେଁ।
କେବଳ ଖରା ଦିନରେ ନୁହେଁ ବରଂ ଶୀତ ଦିନରେ ବି ସନ୍ସ୍କ୍ରିନ୍ ଲଗାଇବା ଜରୁରୀ। ହାତ, ମୁହଁ, ବେକ ଓ ପାଦରେ ପ୍ରଥମେ ମଇଶ୍ଚରାଇଜର ଲଗାଇବେ, ତା’ପରେ ସନ୍ସ୍କ୍ରିନ୍କୁ ଅଧିକ ମାତ୍ରାରେ ଲଗାଇବେ। ଯଦି ଅଧିକ ସମୟ ଧରି ଖରାରେ ରହିବାକୁ ପଡ଼ୁଛି, ତେବେ ୨ରୁ ୩ ଘଣ୍ଟା ବ୍ୟବଧାନରେ ସନ୍ସ୍କ୍ରିନ୍କୁ ଲଗାଇବେ।
ମଇଶ୍ଚରାଇଜର ଦିନକୁ ଦୁଇଥର ବ୍ୟବହାର କରିବେ। ଗାଧୋଇ ସାରିବା ପରେ ଥରେ ଓ ରାତିରେ ଶୋଇବାକୁ ଯିବା ପୂର୍ବରୁ ଧୁଆ ଧୁଇ ହୋଇ ଆଉ ଥରେ ମଇଶ୍ଚରାଇଜର ଲଗାଇବେ। ଯଦି ପାଦ ଶୁଷ୍କ ରହୁଛି, ତେବେ ମୋଜା ଏବଂ ଚପଲ ବ୍ୟବହାର କରନ୍ତୁ।
ନଖ ସବୁବେଳେ ଛୋଟ ରଖନ୍ତୁ। ବେଳେ ବେଳେ ରାତିରେ ଶୋଇଥିବା ବେଳେ ଅଜାଣତରେ ନଖରେ ତ୍ୱଚା ରାମ୍ପି ହୋଇଯାଏ। ଫଳରେ ତ୍ଵଚା ନାଲି ପଡ଼ି ଘା’ ହୋଇଯାଏ।
ଶୀତଦିନରେ କଟନ କପଡ଼ାର ପୋଷାକ ପିନ୍ଧନ୍ତୁ। ଶୀତକୁ ରୋକିବା ପାଇଁ ବ୍ୟବହାର କରୁଥିବା କମ୍ବଳ ଓ ଶୀତବସ୍ତ୍ରକୁ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ। ସବୁବେଳେ କଟନ୍ ପୋଷାକ ପିନ୍ଧି ଶୀତବସ୍ତ୍ର ବ୍ୟବହାର କରନ୍ତୁ। ରାତିରେ ଯେଉଁ କମ୍ବଳ ବ୍ୟବହାର କରୁଛନ୍ତି, ତା’ ତଲେ ଏକ କଟପ୍ ବେଡ୍ସିଟ୍ ପକାଇ ଘୋଡ଼ି ହୁଅନ୍ତୁ।
ଶୀତ ଦିନେ କେମିତି ନେବେ ଓଠର ଯତ୍ନ? (How to take care of Lips in Winter in Odia)
ଶୀତଦିନେ ସାଧାରଣତଃ ଓଠ ଶୁଷ୍କ ହୋଇଯାଏ, ଓଠ ଫାଟେ ଏବଂ ଓଠରୁ ଚୋପା ଛାଡ଼ିଥାଏ। କାରଣ ଓଠର ଚମଡ଼ା ବହୁତ ପତଳା। ଖାସ୍କରି ଶୀତଦିନେ ଓଠରୁ ପାଣି ଅଂଶ କମିଯାଏ ଫଳରେ ଓଠ ଫାଟି ଦରଜ ହୁଏ। ଓଠ ଶୁଖିଗଲେ ଆମେ ଓଠରେ ଛେପ ଲଗାଉ କିମ୍ବା ବାରମ୍ବାର ଓଠରେ ଜିଭ ମାରିଥାଉ। ହେଲେ ଏହାଦ୍ଵାରା ଓଠ ଅଧିକ ଶୁଷ୍କ ହୋଇ ଦରଜ ହୁଏ।
ମହିଳାମାନେ ଓଠରେ ଲିପ୍ଷ୍ଟିକ୍, ଲିପ୍ଗ୍ଲସ୍ ଲଗାଇବାକୁ ପସନ୍ଦ କରନ୍ତି। ହେଲେ କେତେକ ମହିଳାଙ୍କର ଲିପ୍ଷ୍ଟିକ୍ ଲଗାଇବା ଦ୍ଵାରା ଅଲର୍ଜି ହୋଇଯାଏ। ଏସବୁ ସମସ୍ୟାକୁ ରୋକିବା ପାଇଁ ଓଠରେ ଛେପ ଲଗାନ୍ତୁ ନାହିଁ, ଓଠକୁ ଦାନ୍ତରେ ଚୋବାଇବେ ନାହିଁ। ବର୍ତ୍ତମାନ ବଜାରରେ ବିଭିନ୍ନ ଲିପ୍ବାମ୍ ମିଳୁଛି। ଆପଣ ତାକୁ ଦିନରେ ୫ରୁ ୬ ଥର ଓଠରେ ଲଗାଇପାରିବେ। ନଚେତ ଗୁଆଘିଅ ମଧ୍ୟ ବ୍ୟବହାର କରିପାରିବେ। ଆଜିକାଲି ଖରାରୁ ଓଠକୁ ସୁରକ୍ଷା ଦେବାପାଇଁ ଲିପ୍ବାମ୍ ମିଳୁଛି। ତାହା ମଧ୍ୟ ବ୍ୟବହାର କରିପାରିବେ।
କେତେକ କ୍ଷେତ୍ରରେ ଭିଟାମିନ୍ ଅଭାବରୁ ମଧ୍ୟ ଓଠ ଶୁଷ୍କ ହୋଇଯାଏ। ତେଣୁ ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ, ଡ୍ରାଏଫ୍ରୁଟ୍ସ ସାମିଲ କରନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ଶୀତ ଦିନେ ତ୍ୱଚାର ଚମକ ପାଇଁ କ’ଣ ଖାଇବେ? (What to eat for skin glow in Winter in Odia)
ଋତୁ ଅନୁଯାୟୀ ଫଳ, ପନିପରିବା ଖାଦ୍ୟରେ ସାମିଲ କରନ୍ତୁ। ବିଭିନ୍ନ ପ୍ରକାର ଶାଗ, ଡ୍ରାଏଫ୍ରୁଟ୍ସ, ଗଜାମୁଗ, ଅଣ୍ଡା, ମାଛ ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ। ଜଣେ ବ୍ୟକ୍ତି ଦୈନିକ ୨ରୁ ୩ ଲିଟର ପାଣି ପିଇବା ଜରୁରୀ। ପଇଡ଼ ପାଣି, ଲେମ୍ବୂ ପାଣି, ଭିଟାମିନ୍ ସିଯୁକ୍ତ ଖାଦ୍ୟକୁ ପ୍ରତ୍ୟେକ ନିଜ ଡାଏଟ୍ରେ ସାମିଲ କରିବେ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ତ୍ୱଚା ଜନିତ କୌଣସି ଆଲର୍ଜି ହେଲେ, ତାକୁ ଅଣଦେଖା ନ କରି ଚର୍ମ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ ତ୍ୱଚାରେ କୌଣସି ଔଷଧ ବ୍ୟବହାର କରିବେ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କିଶନ ଅଗରୱାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Winter skin care, in Odia language, is based on an extensive interview with Dermatologist and Cosmetic Surgeon Dr Kishan Agarwal.