ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ମହାମାରୀ HIVକୁ ସମାପ୍ତ କରିବା।
୧୯୮୮ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ରେ ଆନ୍ତର୍ଜାତିକ ସ୍ତରରେ ଏଡ୍ସ ଦିବସ ପାଳିତ ହୋଇଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏଡ୍ସ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ ଏଡ୍ସ ପୀଡ଼ିତ ଲୋକଙ୍କୁ ଅନ୍ୟ ସାଧାରଣ ମଣିଷଙ୍କ ପରି ଜୀବନ ବିତାଇବାକୁ ସୁଯୋଗ ଦେବା।
ଗ୍ଲୋବାଲ ଏଚ୍ଆଇଭି ଆଣ୍ଡ ଷ୍ଟାଟିସ୍ଟିକ୍ସର ରିପୋର୍ଟ ଅନୁଯାୟୀ ୨୦୧୭ ସୁଦ୍ଧା ସାରା ବିଶ୍ୱରେ ୩ କୋଟି ୫୪ ଲକ୍ଷ ଏଡ୍ସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ଶିଶୁ ବି ରହିଛନ୍ତି। ସାଉଥ୍ ଆଫ୍ରିକାରେ ସବୁଠାରୁ ଅଧିକ ଏଡ୍ସ ଆକ୍ରାନ୍ତ ରୋଗୀ ରହିଛନ୍ତି।
ଏଡସ୍ ରୋଗକୁ ନେଇ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଏଡ୍ସ ରୋଗୀଙ୍କୁ ଛୁଇଁଲେ, ସେମାନଙ୍କ ସହ ରହିଲେ ରୋଗ ବ୍ୟାପିଥାଏ ବୋଲି ଅନେକ ଭୁଲ ତଥ୍ୟକୁ ଲୋକେ ବି ବିଶ୍ୱାସ କରନ୍ତି। ଫଳରେ ଗାଁ ଗହଳିରେ ଏଡ୍ସ ରୋଗୀଙ୍କ ପରିବାରକୁ ଏକ ଘରିକିଆ କରାଯାଇଥିବାର ଅନେକ ତଥ୍ୟ ଶୁଣିବାକୁ ମିଳେ।
ଏଡସ୍ ରୋଗୀଙ୍କ ସହ ରହିଲେ କିମ୍ବା ଛୁଇଁଲେ ରୋଗ ବ୍ୟାପେ ନାହିଁ। ସମାଜରେ ଏନେଇ ଥିବା ଭ୍ରମ ଦୂର ହେବା ଦରକାର। ମାତ୍ର ଅଳ୍ପ କେତେକ କାରଣ ଯୋଗୁଁ ଏଡସ୍ ହୋଇଥାଏ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ୱାରା ସଂକ୍ରମିତ ହୁଏ।
ଏଡ୍ସ ରୋଗୀଙ୍କ ସହ ଯୌନ ସମ୍ପର୍କ ଦ୍ୱାରା, ସଂକ୍ରମିତଙ୍କ ରକ୍ତ ନେଲେ, ବିଶୋଧିତ ହୋଇ ନଥିବା ଛୁଞ୍ଚି ଦ୍ୱାରା ଇଞ୍ଜେକ୍ସନ୍ ନେଲେ, ଅନ୍ୟ ଦ୍ୱାରା ବ୍ୟବହୃତ ବ୍ଲେଡ୍ରେ ଦାଢ଼ି କାଟିବା ଦ୍ୱାରା ଏଡ୍ସ ହେବାର ଆଶଙ୍କା ଥାଏ।
ଏଡ୍ସ ରୋଗର ଲକ୍ଷଣ
ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ଦିନ ଧରି ଜ୍ଵର ହେଲେ ଏବଂ ବିଭିନ୍ନ ଚିକିତ୍ସା, ଔଷଧ ଖାଇବା ପରେ ମଧ୍ୟ ଜ୍ୱରରେ ସୁଧାର ନ ଆସେ ଏବଂ ଜ୍ଵର ଅଧିକ ଦିନ ଧରି ଛାଡ଼େ ନାହିଁ, ତେବେ ବ୍ୟକ୍ତି ଏଚ୍ଆଇଭି ପରୀକ୍ଷା କରିନେବା ଆବଶ୍ୟକ।
ମାସେରୁ ଅଧିକ ଦିନ ଧରି ଡାଇରିଆ ଲାଗି ରହିବା ଓ ସମସ୍ତ ଚିକିତ୍ସା ସତ୍ତ୍ୱେ ସୁଧାର ନ ଆସେ, ତେବେ ଏଡ୍ସ ହେବାର ଆଶଙ୍କା ଅଧିକ ଥାଏ।