ସୁସ୍ଥ ଶରୀର, ସୁନ୍ଦର ତ୍ୱଚା ଓ ଘନ କେଶ ପାଇଁ ଭିଟାମିନ୍‌ ଏ’ ଜରୁରୀ।

ସୁରୁଖୁରୁରେ କାର୍ଯ୍ୟ କରିବା ପାଇଁ ମଣିଷ ଶରୀରକୁ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ, ଭିଟାମିନ୍‌ ଓ ମିନେରାଲର ଆବଶ୍ୟକତା ରହିଛି। ଶରୀରରେ ଭିଟାମିନ୍‌ର ଅଭାବ ଅନେକ ରୋଗର କାରଣ ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତିଠାରୁ ଆରମ୍ଭ କରି ଆଖି ଓ ଚର୍ମର ସ୍ୱାସ୍ଥ୍ୟ ଏପରିକି ମାନସିକ ସ୍ଵାସ୍ଥ୍ୟ ପାଇଁ ଭିଟାମିନ୍‌ ଗୁରୁତ୍ଵପୂର୍ଣ୍ଣ।

ଶରୀର ଆବଶ୍ୟକ କରୁଥିବା ଭିଟାମିନ୍ ମଧ୍ୟରୁ ଭିଟାମିନ୍ ଏ ଅନ୍ୟତମ। ଏହି ଭିଟାମିନ୍‌ ଦୈନନ୍ଦିନ ଖାଉଥିବା ନିରାମିଷ ଓ ଆମିଷ ଖାଦ୍ୟରୁ ମିଳିଥାଏ। ଭିଟାମିନ୍‌ ଏ’କୁ ରୋଟିନୋଲ ବୋଲି ମଧ୍ୟ କୁହାଯାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅନ୍ଧତ୍ୱର ବଡ଼ କାରଣ ହେଉଛି ଭିଟାମିନ୍‌ ଏ’ର ଅଭାବ। ଏହା ସହ ଭିଟାମିନ୍ ଏ ଗର୍ଭବତୀ ମହିଳାଙ୍କ ପାଇଁ ଏବଂ ସ୍ତନ୍ୟପାନ କରାଉଥିବା ମାମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ।

କେଉଁ ଖାଦ୍ୟରେ ରହିଛି ଭିଟାମିନ୍‌ ଏ

ଗାଜର, ବିଟ୍‌, ମଟର, ଟମାଟ, ବ୍ରୋକୋଲି, କଖାରୁ, ସବୁଜ ପନିପରିବା, ସଜନା ଶାଗ, ଧନିଆ, ହଳଦିଆ ବା ନାଲି ରଙ୍ଗର ଫଳ, ଆମ୍ବ, ତରଭୂଜ, ଭଣ୍ଡା, ପନିର, ଛେନା, କ୍ଷୀର, ଅଣ୍ଡା, ଚିକେନ୍‌, ରାଜମା, ପାଳଙ୍ଗ, ମାଛ ଭଳି ଖାଦ୍ୟରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ ଭରି ରହିଛି।

ଭିଟାମିନ୍‌ ଏର ଫାଇଦା

ସୁସ୍ଥ ଶରୀର ପାଇଁ ଭିଟାମିନ୍‌ ଏ’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟି ଶକ୍ତି ପାଇଁ ଏହା ଅତ୍ୟନ୍ତ ଭଲ। ଏହା ଆଖିର ରେଟିନାରେ ରଙ୍ଗ ତିଆରି କରେ। ଭିଟାମିନ୍‌ ଏ ଦୃଦୟ, ଆଜ୍‌ମା, ଡାଏବେଟିସ୍‌ ଏବଂ ଅନ୍ୟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଓ ଶରୀରର କୋଷଗୁଡ଼ିକୁ ସକ୍ରିୟ କରିବାରେ ଭିଟାମିନ୍‌ ଏର ଭୂମିକା ରହିଛି। ସୁସ୍ଥ କେଶ, ତ୍ଵଚା, ମଜଭୁତ ନଖ ପାଇଁ ଭିଟାମିନ୍ ଏ’ର ଭୂମିକା ଗୁରୁତ୍ଵପୂର୍ଣ୍ଣ।

ଭିଟାମିନ୍‌ ଏ ଅଭାବ ହେଲେ ସମସ୍ୟା

ଭିଟାମିନ୍‌ ଏ’ର ଅଭାବରୁ ଦାନ୍ତ ନଷ୍ଟ ହୁଏ, ଥକ୍କାପଣ, ଶୁଷ୍କ କେଶ, ଶୁଷ୍କ ଚର୍ମ, ସାଇନସ୍‌, ନିମୋନିଆ, ଅନ୍ଧତ୍ଵ, ଦୃଷ୍ଟିଶକ୍ତି ହ୍ରାସ, ବାରମ୍ବାର ଥଣ୍ଡା କାଶ ହେବା, ଆନିମିଆ, ସଠିକ୍‌ ନିଦ ନ ହେବା ଭଳି ସମସ୍ୟା ସୃଷ୍ଟି ହୁଏ।

କେତେ ଖାଇବା ଜରୁରୀ?

୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ପ୍ରତିଦିନ ୪୦୦ ମାଇକ୍ରୋଗ୍ରାମ୍‌ ଭିଟାମିନ୍‌ ଏ ଆବଶ୍ୟକ ହୋଇଥାଏ। ୭ମାସରୁ ବର୍ଷେ ପର୍ଯ୍ୟନ୍ତ ଶିଶୁଙ୍କୁ ୫୦୦ ମାଇକ୍ରୋଗ୍ରାମ୍‌ ଦରକାର ହୋଇଥାଏ।

ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ପ୍ରତିଦିନ ଭିଟାମିନ୍ ଏ’ଯୁକ୍ତ ଖାଦ୍ୟ ଖାଇବା ଜରୁରୀ।

୧୯ ବର୍ଷରୁ ଅଧିକ ବୟସର ପୁରୁଷଙ୍କୁ ପ୍ରତିଦିନ ୯୦୦ ମାଇକ୍ରୋଗ୍ରାମ୍‌ ଓ ମହିଳାଙ୍କୁ ଦୈନିକ ୭୦୦ ମିଲିଗ୍ରାମ୍‌ ଭିଟାମିନ୍‌ ଏ ଖାଇବାର ଆବଶ୍ୟକତା ରହିଛି।