ନବଜାତ ଶିଶୁଠାରେ କେଉଁ ଭଳି ଲକ୍ଷଣ ଦେଖାଦେଲେ ଜଣ୍ଡିସ୍ ରୋଗ ହୋଇଛି ବୋଲି ଜାଣିବା? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ସାଧାରଣତଃ ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କହିଲେ ବାପା ମା’ମାନେ ଆତଙ୍କିତ ହୋଇ ପଡ଼ନ୍ତି। ହେଲେ ଡରିବାର କିଛି ନାହିଁ। ଶିଶୁଠାରେ ଜଣ୍ଡିସ୍ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଶିଶୁଙ୍କ ଶରୀରରେ ଥିବା ଲୋହିତ ରକ୍ତ କଣିକା ଭାଙ୍ଗି ନୂଆ ନୂଆ ଲୋହିତ ରକ୍ତ କଣିକା ତିଆରି ହୁଅନ୍ତି। ଏହି ରକ୍ତକଣିକା ଭାଙ୍ଗିଯିବା ପରେ ତା’ର ବାଇ ପ୍ରଡକ୍ଟ ତିଆରି ହୁଏ, ଯାହାକୁ ବିଲିରୁବି କୁହାଯାଏ, ଏବଂ ତା’ର ରଙ୍ଗ ହଳଦିଆ। ସେତେବେଳେ ଶିଶୁଙ୍କ ଶରୀର ହଳଦିଆ ପଡ଼ିଯାଏ, ତାହାକୁ ଜଣ୍ଡିସ୍‌ ବୋଲି କହିଥାଉ। ଶିଶୁ ଜନ୍ମ ହେବାର ପ୍ରଥମ ଦିନରେ ଜଣ୍ଡିସ୍‌ ହୋଇପାରେ କିମ୍ବା ପରେ ମଧ୍ୟ ହୋଇପାରେ।

ଶିଶୁକୁ ଜଣ୍ଡିସ୍ ରୋଗ ହେବାର କାରଣ (Causes of jaundice in newborn in Odia)

ଯେଉଁ ଶିଶୁଙ୍କ ଶରୀରରେ ଶୀଘ୍ର ଶୀଘ୍ର ଲୋହିତ ରକ୍ତ କଣିକା ଭାଙ୍ଗି ନୂଆ ରକ୍ତ କଣିକା ତିଆରି ହୁଏ, ସେମାନଙ୍କ ପାଖରେ ଜଣ୍ଡିସ୍ ଦେଖାଦିଏ। ଯେଉଁ ଶିଶୁ ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବେ, ଯାହାଙ୍କର ଓଜନ କମ୍‌ ହୋଇଥିବ ସେମାନଙ୍କ କ୍ଷେତ୍ରରେ ଜଣ୍ଡିସ୍‌ ହେବାର ଆଶଙ୍କା ଅଧିକ ଥାଏ।

ମନେକର, ମା’ଙ୍କର ବ୍ରଡ୍‌ ଗ୍ରୁପ୍‌ O+ ଓ ଶିଶୁର ବ୍ରଡ୍ ଗ୍ରୁପ୍‌ AB+। ଏଭଳି କ୍ଷେତ୍ରରେ ମଧ୍ୟ ରକ୍ତର ପ୍ରକାର ଭେଦ ଅନୁସାରେ ଶିଶୁଙ୍କଠାରେ ଜଣ୍ଡିସ୍‌ ହୋଇପାରେ। RH ପଜିଟିଭ୍‌ ବାପା ଓ RH ନେଗେଟିଭ୍‌ ମା’ଙ୍କଠାରୁ ଜନ୍ମିତ ଶିଶୁ ଯଦି RH ପଜିଟିଭ୍‌ ହୁଏ, ତେବେ ଜଣ୍ଡିସ୍‌ର ଭୟାଭୟତା ଅଧିକ ଥାଏ। ଏଭଳି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରି ଚିକିତ୍ସା କରିବା ଜରୁରୀ।

କେତେକ ରୋଗ ଯେପରିକି ହାଇପୋଥାଇରଏଡିଜମ୍, କଞ୍ଜିନେଟାଲ ସିଣ୍ଡ୍ରୋମ୍‌ ଥିଲେ ବି ଶିଶୁକୁ ଜଣ୍ଡିସ୍‌ ହୋଇପାରେ।

ଅଧିକ ପଢ଼ନ୍ତୁ: ଛୋଟ ପିଲାଙ୍କ ପାଇଁ ବିପଦ ମୋବାଇଲ ନିଶା

ଶିଶୁଠାରେ ଜଣ୍ଡିସ୍ ରୋଗର ଲକ୍ଷଣ (Symptoms of jaundice in newborn in Odia)

ଜଣ୍ଡିସ୍‌ ହେଲେ ଶିଶୁଙ୍କ ଆଖିର ଧଳା ଭାଗ ହଳଦିଆ ପଡ଼ିଯାଏ।

ଜିଭ ହଳଦିଆ ଦେଖାଯିବ।

ହାତ ବା ପାଦ ହଳଦିଆ ପଡ଼ିଯିବା।

ହଳଦିଆ ରଙ୍ଗର ପରିସ୍ରା ହେବା।

ଦେହ ହଳଦିଆ ପଡ଼ିଯିବା।

ସବୁବେଳେ ଶିଶୁ ପାଇଁ ନୂଆ ଧୋତି କପଡ଼ା ବ୍ୟବହାର କରିବା ଦରକାର। ଏଥିରେ ଶିଶୁର ପରିସ୍ରାର ରଙ୍ଗ ଭଲ ଭାବରେ ଜଣାପଡ଼ିଥାଏ।

ଅତ୍ୟଧିକ ଜଣ୍ଡିସ୍‌ ହେଲେ ଏହା ମସ୍ତିଷ୍କର ସ୍ନାୟୁକୁ ପ୍ରଭାବିତ କରିଥାଏ। ଫଳରେ ପିଲାର ବାତ ମାରିବାର ଆଶଙ୍କା ଥାଏ।

ଶିଶୁଠାରେ ଜଣ୍ଡିସ୍ ରୋଗର ଜଟିଳତା (Complications of jaundice in newborn in Odia)

ଜଣ୍ଡିସ୍‌ର ପରିମାଣ ବହୁତ ବଢ଼ିଗଲେ ଏହା ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ପ୍ରଭାବିତ କରିଥାଏ। ଜଣ୍ଡିସ୍‌ ଅଧିକତଃ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ଏଥିରେ ଶିଶୁକୁ ବାତ ମାରିବା ସହ ମସ୍ତିଷ୍କର କୋଷଗୁଡ଼ିକ ନଷ୍ଟ ହୋଇଯିବ। ଯେହେତୁ ଶିଶୁର ମସ୍ତଷ୍କ କୋଷଗୁଡ଼ିକ ନଷ୍ଟ ହୋଇଯାଉଛି, ତେବେ ପିଲା ବିକଳାଙ୍ଗ ମଧ୍ୟ ହୋଇପାରନ୍ତି।

ଅଧିକ ପଢ଼ନ୍ତୁ: ଛୁଆଙ୍କର କୃମି ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଜଣ୍ଡିସ୍ ରୋଗକୁ ଚିହ୍ନିବା ପାଇଁ ପରୀକ୍ଷା (Diagnosis for jaundice in newborn in Odia)

ଜଣ୍ଡିସ୍‌ର ପ୍ରଭାବ ପାଦ ଉପରେ ପଡ଼ିଲେ ଜାଣିବା ଯେ ବିଲିରୁବିନ୍‌ ସ୍ତର ୧୮ରୁ ଅଧିକ। ଏହା ସବୁଠାରୁ ସାଙ୍ଘାତିକ। ଯଦି ଜଣ୍ଡିସ୍‌ର ପ୍ରଭାବ ପେଟ ପର୍ଯ୍ୟନ୍ତ ଅଛି, ତେବେ ଜାରିବା ବିଲିରୁବିନ୍‌ ସ୍ତର ୧୨। ଯଦି ଛାତି ପର୍ଯ୍ୟନ୍ତ ଅଛି, ତେବେ ବିଲିରୁବିନ୍‌ ସ୍ତର ୮, ମୁହଁ ଉପରେ ଥିଲେ ବିଲିରୁବିନ୍‌ ସ୍ତର ୫। ବିଲିରୁବିନ୍‌ ସ୍ତର ୧୫ରୁ ଅଧିକା ହେଲେ, ତା’ ପାଇଁ ଫଟୋଥେରାପି କରାଯାଏ। କିନ୍ତୁ ୧୫ରୁ କମ୍‌ ଥିଲେ ଡରିବାର କୌଣସି କଥା ନାହିଁ।

ଶିଶୁଠାରେ ଜଣ୍ଡିସ୍ ରୋଗର ଚିକିତ୍ସା (Treatment of jaundice in newborn in Odia)

ସାଧାରଣତଃ ଲୋକମାନଙ୍କର ଧାରଣା ଅଛି ଯେ, ପିଲାକୁ ଖରା ଆଲୋକରେ ଦେଖାଇଲେ କିମ୍ବା ଆଲୋକ ତଳେ ରଖିଲେ ଜଣ୍ଡିସ୍‌ କମିଯାଏ। କେତେକାଂଶରେ ଏଥିରେ ସତ୍ୟତା ରହୁଛି। ହେଲେ ଯେତେବେଳେ ବିଲିରୁବିନ୍‌ ସ୍ତର ୧୫ କିମ୍ବା ୧୭-୧୮ ରହୁଛି, ସେତେବେଳେ ଏସବୁ ଉପାୟ କାମ କରି ନଥାଏ। ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଆବଶ୍ୟକ।

ଜଣ୍ଡିସ୍‌ର ଚିକିତ୍ସା ପାଇଁ ପିଲା ଉପରେ କେବଳ ନୀଳ ରଙ୍ଗର ଆଲୋକ ପକାଯାଏ। ଧୀରେ ଧୀରେ ବିଲିରୁବିନ୍‌ ସ୍ତର ୧୨ କିମ୍ବା ୧୦ ଆଡ଼କୂ ଖସିଯିବ।  ଯଦି ଜଣେ ପିଲାର ଜଣ୍ଡିସ୍‌ ସ୍ତର ବଢ଼ିଯାଇଛି, ତେବେ ଏଭଳି କ୍ଷେତ୍ରରେ ଫଟୋ ଥେରାପି ନ ଦେଇ ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍‌ ପଦ୍ଧତିରେ ଶିଶୁର ଶରୀରରୁ ରକ୍ତ କାଢ଼ିକି ନୂଆ ରକ୍ତ ଦିଆଯାଏ। ଏଥିରେ ଜଣ୍ଡିସ୍‌ ଗୋଟେ ଘଣ୍ଟା ଭିତରେ କମିଯାଏ।

ଶିଶୁଠାରୁ ଜଣ୍ଡିସ୍ ରୋଗକୁ କେମିତି ରୋକିବା? (How to prevent jaundice in infants in Odia)

କେତେକ ଜିନିଷ ଯେଉଁଥିରେ ଜଣ୍ଡିସ୍‌ ପରିମାଣ ବଢ଼ିଯାଉଛି, ଯେପରିକି ଜଳୀୟଅଂଶ। ଶିଶୁର ଶରୀରରେ ଜଳୀୟଅଂଶ ପରିମାଣ ଠିକ୍‌ ରହିବା ଆବଶ୍ୟକ।

ସଂକ୍ରମଣ ପାଇଁ ମଧ୍ୟ ଜଣ୍ଡିସ୍‌ ବଢ଼ିଯାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶରେ ପିଲାର ଯତ୍ନ ନେବା ଆବଶ୍ୟକ।

ସଠିକ୍‌ ସମୟରେ ପିଲାର ସଠିକ୍‌ ଟିକାକରଣ କରିବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on How to prevent jaundice in infants, in Odia language, is based on an extensive interview with Pediatrician Dr Nirmal Kumar Mohakud.