କୋଭିଡ୍-୧୯ରୁ ସୁସ୍ଥ ହେବା ପରେ କେଉଁମାନଙ୍କୁ ପୁନଃ ସଂକ୍ରମଣର ଭୟ ରହିଛି? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ପୁଣିଥରେ ସଂକ୍ରମଣ ହେବାର ଭୟ ରହିଛି। ଏନେଇ ପ୍ରମାଣ ମଧ୍ୟ ମିଳିଛି। କୋଭିଡ୍-୧୯ରୁ ସୁସ୍ଥ ହେବାର ୪-୫ ମାସ ପରେ ବି କେତେକଙ୍କଠାରେ କରୋନା ପଜିଟିଭ୍ ଆସିଛି। ଭାରତରେ ୧୦ ପ୍ରତିଶତରୁ କମ୍ ଲୋକଙ୍କଠାରେ କୋଭିଡ୍-୧୯ ପୁନଃ ସଂକ୍ରମଣ ହୋଇଛି।
ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ୍ ଆସୁଛି ଓ ସେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ସୁସ୍ଥ ହେବାର କିଛି ମାସ ପରେ ପରୀକ୍ଷା କଲେ, ପୁଣି ପଜିଟିଭ୍ ବାହାରିବାର ସମ୍ଭାବନା ରହୁଛି। କାରଣ ତା’ଙ୍କ ଶରୀରରେ ଭୂତାଣୁ ମୃତ ଅବସ୍ଥାରେ ରହିଛି।
କେତେକ କ୍ଷେତ୍ରରେ ଭାଇରସ୍ ଶରୀରରେ ୯୦ ଦିନ ପର୍ଯ୍ୟନ୍ତ ସଂକ୍ରମଣ କରିପାରୁଛି। ହେଲେ ଜଣେ କୋଭିଡ୍ରୁ ସୁସ୍ଥ ହେବା ପରେ ବି ସାବଧାନତା ଅବଲମ୍ବନ କରିବା ଜରୁରୀ। କାରଣ ପୁନଃ ସଂକ୍ରମଣର ଭୟ ରହିଛି।
କେଉଁମାନଙ୍କୁ ପୁନଃ ସଂକ୍ରମଣର ଭୟ ରହିଛି? (Who is at risk of re-infection in Odia)
ଜଣେ ବ୍ୟକ୍ତି କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ ଫଳରେ ପୁନଃ ସଂକ୍ରମଣର ଭୟ ଥାଏ। ଭାରତରେ ଯେଉଁ ୧୦ ପ୍ରତିଶତ ଲୋକଙ୍କୁ ପୁନଃ ସଂକ୍ରମଣ ହେଉଛି, ତା’ର କାରଣ ହେଉଛି ସଚେତନତାର ଅଭାବ। କାରଣ ସେମାନେ ଭାବନ୍ତି ତାଙ୍କୁ କରୋନା ହୋଇ ଭଲ ହୋଇଯାଇଛି ଓ ପରେ କୌଣସି ଅସୁବିଧା ହେବ ନାହିଁ। ତେଣୁ, ସେମାନେ ଯେଉଁ ଯେଉଁ ସତର୍କତା ଅବଲମ୍ବନ କରିବା କଥା ତାହାକୁ ଆଉ ପାଳନ କରୁ ନାହାନ୍ତି। ଫଳରେ ସେମାନେ ପୁନଃ ସଂକ୍ରମିତ ହେଉଛନ୍ତି।
ଯଦି ଜଣେ ବ୍ୟକ୍ତି କୋଭିଡ୍ରୁ ସୁସ୍ଥ ହୋଇଛନ୍ତି ଓ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଅଛି, ତେବେ ତାଙ୍କୁ ଆଉଥରେ ସଂକ୍ରମଣ ହୋଇପାରେ।
କେଉଁ ପରୀକ୍ଷାରୁ ଜାଣିବେ ପୁନଃ ସଂକ୍ରମଣ? (Which test will determine the re-infection in Odia)
କୋଭିଡ୍-୧୯ ପୁନଃ ସଂକ୍ରମଣ ଭୟ ଅଛି କି ନାହିଁ ତାହା ଜାଣିବା ପାଇଁ ଆଣ୍ଟିବଡି ପରୀକ୍ଷା କରିବାକୁ ପଡ଼ିଥାଏ। ହେଲେ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କୋଭିଡ୍ରୁ ସୁସ୍ଥ ହେବା ପରେ ପୁନଃ ସଂକ୍ରମଣର ଭୟ ରହୁଛି, କିନ୍ତୁ ଏତେ ମାତ୍ରାରେ ନାହିଁ। ଯେତେ ପର୍ଯ୍ୟନ୍ତ କରୋନା ସମ୍ପୂର୍ଣ୍ଣ ମୂଳପୋଚ୍ଛ ହୋଇନି, ସେତେ ପର୍ଯ୍ୟନ୍ତ ଆମକୁ ସଚେତନ ରହିବାକୁ ହେବ। ଏଥିପାଇଁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ, ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ।
ସୁସ୍ଥ ହେବା ପରେ କ’ଣ ସତର୍କତା ଅବଲମ୍ବନ କରିବେ? (What precautions should you take after recovery in Odia)
କରୋନାରୁ ସୁସ୍ଥ ହୋଇ ଘରକୁ ଯିବା ପରେ ବି ଆପଣଙ୍କ ଶରୀରରେ ଭୂତାଣୁ ଥାଇପାରେ। ତେଣୁ ଘରକୁ ଯିବା ପରେ ସଙ୍ଘରୋଧରେ ରହିବାକୁ ପଡ଼ିବ। କୋଭିଡ୍ର ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ପାଖାପାଖି ୨ରୁ ତିନି ସପ୍ତାହ ଧରି ସକ୍ରିୟ ରହିପାରିବ। ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ୪ରୁ ୬ ସପ୍ତାହ ଧରି ଭୂତାଣୁ ସକ୍ରିୟ ରହିବ। କିନ୍ତୁ, କେତେକ କ୍ଷେତ୍ରରେ ସଂକ୍ରମଣ ଅଧିକ ଦିନ ଧରି ରହୁଛି ବୋଲି ପ୍ରମାଣ ମିଳିଛି। ତେଣୁ କୋଭିଡ୍ରୁ ସୁସ୍ଥ ହୋଇ ଘରକୁ ଯିବା ପରେ ୭ରୁ ୧୪ ଦିନ ସଙ୍ଘରୋଧରେ ରହିବା ଜରୁରୀ। କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଶରୀରର ସମସ୍ତ ଅଙ୍ଗ ସୁସ୍ଥ ନଥା’ନ୍ତି। ଏହାପରେ ଯଦି ଜ୍ଵର, କାଶ, ଥଣ୍ଡା, ଧଇଁସଇଁ ହେବାର କୌଣସି ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।
ଏହାଛଡ଼ା ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ। ଘରେ ରହି ବ୍ୟାୟାମ କରିବେ। ଯଦି ମଧୁମେହ, ଉଚ୍ଚ ରକ୍ତଚାପ ବା ଆସ୍ଥମା ରହିଛି, ତେବେ ସେନେଇ ଔଷଧ ଖାଆନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମନୋଜ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on COVID-19 reinfections, in Odia language, is based on an extensive interview with gastroenterologist, Dr Manoj Kumar Sahu