କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ବି ସଂକ୍ରମଣ ହେବାର ଭୟ ରହିଛି।
ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଅନେକ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ମଧ୍ୟ କେତେକ ଲୋକଙ୍କୁ ପୁଣିଥରେ କରୋନା ସଂକ୍ରମଣ ହେଉଛି। ଯଦି ସୁସ୍ଥ ହେବା ପରେ କୋଭିଡ୍-୧୯ ହେବ ନାହିଁ ବୋଲି ଭାବୁଥା’ନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି। ତେଣୁ ସୁସ୍ଥ ହେବା ପରେ ମଧ୍ୟ ଆପଣଙ୍କୁ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ।
ଅନ୍ୟପକ୍ଷରେ ସୁସ୍ଥ ହେବା ପରେ ମଧ୍ୟ ରୋଗୀଙ୍କ ପାଖରେ ଥଣ୍ଡା, କାଶ ଭଳି କୋଭିଡ୍ର ସାମାନ୍ୟ ଲକ୍ଷଣ ରହୁଛି। ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରିବା ପରେ ଅନେକ ଲୋକ ଶାରୀରିକ ତଥା ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥା’ନ୍ତି। ତେଣୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜର ସଠିକ ଯତ୍ନ ନେବା ଉଚିତ। ତେବେ ଆସନ୍ତୁ ଜାଣିବା କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ କିଭଳି ନିଜର ସ୍ୱାସ୍ଥ୍ୟର ଯତ୍ନ ନେବେ।
କୋଭିଡ୍ ନିୟମ ପାଳନ କରିବେ
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ମଧ୍ୟ କୋଭିଡ୍ ନିୟମକୁ ପାଳନ କରିବେ। ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବେ, ସର୍ବସାଧାରଣରେ ସାମାଜିକ ଦୂରତା ରଖିବେ, ନିୟମିତ ବ୍ୟବଧାନରେ ହାତ ଧୋଇବେ। କାହିଁକି ନା ଆପଣଙ୍କ ଶରୀରରୁ କରୋନା ଭୂତାଣୁ ମରିଯାଇଛି କିନ୍ତୁ ଆମ ପରିବେଶରେ ଏବେ ବି ଭୂତାଣୁ ରହିଛି। ତେଣୁ ପୁନଃ ସଂକ୍ରମଣର ଭୟ ରହିଛି। ଏଥିପାଇଁ ସୁସ୍ଥ ହେବା ପରେ ମଧ୍ୟ କୋଭିଡ୍ ନିୟମ ପାଳନ କରିବା ଦରକାର।
ନିୟମିତ ଯୋଗ, ବ୍ୟାୟାମ କରନ୍ତୁ
ଯୋଗ ଆମ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରୁଥିବା ବେଳେ ବ୍ୟାୟାମ ଶାରୀରିକ ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ। ତେଣୁ କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ନିୟମିତ ବ୍ୟାୟାମ କରିବା ଉଚିତ। ସୁସ୍ଥ ହେବା ପରେ ଆମ ଶରୀର ଦୁର୍ବଳ ହୋଇପଡ଼ିଥାଏ। ତେଣୁ ପ୍ରଥମେ ଧୀରେ ଧୀରେ ବ୍ୟାୟାମ ଆରମ୍ଭ କରନ୍ତୁ। ସମୟ ସହିତ ଏହାକୁ ବଢ଼ାଇପାରିବେ। ମାନସିକ ଓ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ନିୟମିତଯୋଗ, ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ।
ପୌଷ୍ଟିକ ଖାଦ୍ୟ ଖାଆନ୍ତୁ
କରୋନା ସଂକ୍ରମଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ଫଳରେ ଶାରୀରିକ ଭାବେ ଆମେ ଦୁର୍ବଳ ଅନୁଭବ କରିଥାଉ। ଏଥିପାଇଁ କୋଭିଡ୍-୧୯ରୁ ସୁସ୍ଥ ହେବାପରେ ଆମକୁ ପୌଷ୍ଟିକ ଆହାର ଗ୍ରହଣ କରିବା ଉଚିତ। ନିଜ ଖାଦ୍ୟରେ ସବୁଜ ପନପରିବା, କ୍ଷୀର, ଅଣ୍ଡା ଆଦି ସାମିଲ କରନ୍ତୁ ଏବଂ ସଠିକ ମାତ୍ରାରେ ଖାଦ୍ୟ ଖାଆନ୍ତୁ। ଫଳରେ ଖୁବଶୀଘ୍ର ଆପଣ ପୂର୍ବଭଳି ଅନୁଭବ କରିପାରିବେ।
ଆରାମ କରନ୍ତୁ
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ଅଧିକ ଆରାମ କରିବା ଦରକାର। ଫଳରେ ଶରୀର ପୂର୍ବ ଭଳି ଅବସ୍ଥାକୁ ଫେରିପାଇବ। ଏଭଳି ପରିସ୍ଥିତିରେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ପ୍ରତି ପରିବାର ସଦସ୍ୟ ଧ୍ୟାନ ଦେବା ଉଚିତ। ସୁସ୍ଥ ହେବା ପରେ ହଠାତ ପୂର୍ବ ଜୀବନଶୈଳୀକୁ ଆପଣାନ୍ତୁ ନାହିଁ। ଆରାମ କରନ୍ତୁ ଏବଂ ଧୀରେ ଧୀରେ ନିଜ ନିଜ କାର୍ଯ୍ୟ ଆରମ୍ଭ କରନ୍ତୁ।
ସୁସ୍ଥ ହେବା ପରେ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ବ୍ୟକ୍ତିଠାରେ ଯଦି କିଛି ଲକ୍ଷଣ ଦେଖାଯାଇଛି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଅତ୍ୟଧିକ ଦୁର୍ବଳ ଲାଗୁଥାଏ, ମୁଣ୍ଡ ବ୍ୟଥା ହେଉଥିଲେ,ଛାତି ବ୍ୟଥା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଦେଖିବାକୁ ମିଳିଛି ଯେ, କୋଭିଡରୁ ସୁସ୍ଥ ହେବା ପରେ ବ୍ୟକ୍ତବିଶେଷଙ୍କଠାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେଣୁ ଭୟଭୀତ ହୁଅନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରନ୍ତୁ।