କରୋନାରେ ସଂକ୍ରମିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ହିଁ ଫାଭିପିରାଭିର ଔଷଧ ଖାଇପାରିବେ। ସଂକ୍ରମଣ ହେବାର ପ୍ରାଥମିକ ଅବସ୍ଥାରେ ରୋଗୀକୁ ଏହି ଔଷଧ ଦେଲେ ତା’ର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ।

ଫାଭିପିରାଭିର ବଟିକା କ’ଣ?

ଫାଭିପିରାଭିର ହେଉଛି ଏକ ଆଣ୍ଟିଭାଇରାଲ ଡ୍ରଗ୍‌, ଯାହାକି ଆରଏନ୍‌ଏ RNA ପଲିମେରାଇଜ୍‌ ଇନିବିଟର। ଏହି ଔଷଧ ଭୂତାଣୁର ସଂଖ୍ୟା କମାଇବା ସହ ଭୂତାଣୁକୁ ନିୟନ୍ତ୍ରଣରେ ରଖିଥାଏ। ଏହି ଔଷଧ ରୋଗୀଙ୍କୁ ସଂକ୍ରମଣ ହେବାର ପ୍ରାଥମିକ ଅବସ୍ଥାରେ ଦିଆଗଲେ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥାଏ।

ଏହି ଔଷଧକୁ ସଠିକ୍‌ ମାତ୍ରାରେ ସେବନ କଲେ ଜ୍ୱର, କାଶ, ଥଣ୍ଡାର ପାଦୁର୍ଭାବ କମିବାର ସମ୍ଭାବନା ଅଛି।

ଅଧିକାଂଶ କରୋନା ସଂକ୍ରମିତ ରୋଗୀଙ୍କଠାରେ ଜ୍ୱର, କାଶ, ଦେହ ହାତ ବିନ୍ଧା, ପତଳାଝାଡ଼ା ଓ ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ଦେଖାଦେଉଛି। ଯଦି ଠିକ୍‌ ସମୟରେ ଏହି ଫାଭିପିରାଭିର ଔଷଧ ସେବନ କରାଯାଏ, ତେବେ ଭୂତାଣୁର ପାଦୁର୍ଭାବ କମିଯାଇପାରେ ଓ ଏହିସବୁ ଲକ୍ଷଣକୁ ଏଡ଼ାଯାଇପାରିବ।

Corona 1

କେଉଁମାନେ ଫାଭିପିରାଭିର ଔଷଧ ଖାଇପାରିବେ?

ଯେଉଁ ବ୍ୟକ୍ତିମାନଙ୍କର କୋଭିଡ୍‌-୧୯ ଲକ୍ଷଣ ରହିଛି ବା କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଏହି ଔଷଧ ଖାଇପାରିବେ।

କୋଭିଡ୍‌-୧୯ ଉପରେ ଫାଭିପିରାଭିର ଔଷଧର ପ୍ରଭାବ

କରୋନା ଭାଇରସ୍‌ ରୋଗ ନୂଆ ଓ ଫାଭିପିରାଭିର ଔଷଧ ବି ନୂଆ। ଏହି ଔଷଧ କେବଳ ସଠିକ୍‌ ଡାକ୍ତରଙ୍କ ପରାମର୍ଶରେ ସେବନ କରାଯାଇପାରିବ।

ରୋଗ ଚିହ୍ନଟ ହେବା ମାତ୍ରେ ହିଁ ଏହି ଔଷଧ ବ୍ୟବହାର କରାଯାଇପାରିବ। ଯେତେ ଶୀଘ୍ର ଏହି ଔଷଧ ବ୍ୟବହାର କରିବେ, ସେତେ ଜଲଦି ସ୍ୱାସ୍ଥ୍ୟରେ ସୁଧାର ଆସିବ।

ଫାଭିପିରାଭିର ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଫାଭିପିରାଭିର ଔଷଧ କେମିତି ଖାଇବେ?

ଫାଭିପିରାଭିର ପ୍ରଥମ ଦିନ ସକାଳେ ୯ ଓ ରାତିରେ ୯ଟି ବଟିକା ଖାଇବେ।

୨ରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ ୪ଟି ଓ ରାତିରେ ୪ଟି ବଟିକା ଖାଇବେ।

ଫାଭିପିରାଭିର ଖାଇବା ଦ୍ୱାରା ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନକରିବା ଉଚିତ।

ଫାଭିପିରାଭିର ଔଷଧ ସହ ଆପଣ ପୂର୍ବରୁ କୌଣସି ରୋଗ ପାଇଁ ଖାଉଥିବା ଔଷଧ ବି ଖାଇପାରିବେ।

କେଉଁମାନେ ଫାଭିପିରାଭିର ଔଷଧ ଖାଇବେ ନାହିଁ?

କୋଭିଡ୍‌-୧୯ ଲକ୍ଷଣ ନ ଥିବା ଲୋକଙ୍କୁ ଫାଭିପିରାଭିର ଔଷଧ ଖାଇପାରିବେ ନାହିଁ।

କରୋନାରେ ଆକ୍ରାନ୍ତ ହୋଇଥିବା ଶିଶୁ ଏବଂ ଗର୍ଭବତୀ ମହିଳାମାନେ, ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହି ଔଷଧ ଦିଆଯାଇପାରିବ ନାହିଁ।

ଯେଉଁ କରୋନା ସଂକ୍ରମିତ ଲୋକଙ୍କର ଲିଭର ସମସ୍ୟା, ଯକୃତ, ଗାଉଟ୍‌ ସମସ୍ୟା ବା ଯେଉଁମାନେ ଟିବି ମେଡିସିନ୍ ଖାଉଛନ୍ତି କିମ୍ବା ଯାହାର ବାତ ରୋଗ ଅଛି, ସେମାନେ ଫାଭିପିରାଭିର ଖାଇବା ଆଗରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର।

ଫାଭିପିରାଭିରର ପାର୍ଶ୍ୱ ପ୍ରତିକ୍ରିୟା

ଫାଭିପିରାଭିର ଔଷଧର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ। ହେଲେ ସାମାନ୍ୟ ଗ୍ୟାଷ୍ଟ୍ରିକ୍‌, ଏସିଡିଟି ଭଳି ସମସ୍ୟା ଦେଖାଯାଏ।

ଏହି ମେଡିସିନ୍ ଖାଇବା ଦ୍ୱାରା ଅଳ୍ପ ରୋଗୀଙ୍କର କିଡ୍‌ନି ଓ ଲିଭର ଉପରେ ପ୍ରଭାବ ପଡ଼ିଥାଏ।