ଇଟିଂ ଡିସଅର୍ଡର ହେବାର କାରଣ କ’ଣ? ଏହାର ନିରାକରଣ ଏବଂ ଚିକିତ୍ସାକୁ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଖାଦ୍ୟ ଖାଇବାରେ ଏକ ପ୍ରକାର ବିକୃତିକୁ ଆମେ ଇଟିଂ ଡିସଅର୍ଡର କହିଥାଉ। ଏହା ଏକ ମାନସିକ ସମସ୍ୟା। ଯଦି କୌଣସି ବ୍ୟକ୍ତି ମୋଟା ହୋଇଯିବା ଭୟରେ ଖାଦ୍ୟ ଖାଉନି ଏବଂ ବ୍ୟକ୍ତିର ଉଚ୍ଚତା ଅନୁସାରେ ଓଜନ ବହୁତ କମ ରହୁଛି, ତେବେ ଏହା ଏକ ମାନସିକ ସମସ୍ୟା ହୋଇପାରେ। ସେହିପରି କିଛି ବ୍ୟକ୍ତି ଭୋକ ଲାଗୁନଥିବା ସତ୍ତ୍ୱେ ବାରମ୍ବାର ଖାଦ୍ୟ ଖାଉଥା’ନ୍ତି। ଚାହିଁଲେ ମଧ୍ୟ ଏହାକୁ ରୋକି ପାରିନଥାନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏହା ମଧ୍ୟ ଏକ ପ୍ରକାରର ଇଟିଂ ଡିସଅର୍ଡର।
ଅଧିକ ପଢ଼ନ୍ତୁ: ମାନସିକ ସମସ୍ୟା ସୋମାଟୋଫର୍ମ ଡିସଅର୍ଡର, ଜାଣନ୍ତୁ ଏହାର ଲକ୍ଷଣ
ଇଟିଂ ଡିସଅର୍ଡର କେତେ ପ୍ରକାର? (What are the types of eating disorders in Odia)
ଇଟିଂ ଡିସଅର୍ଡର ମୁଖତଃ ତିନି ପ୍ରକାରର – ଆନୋରେକ୍ସିଆ ନର୍ଭୋସା, ବୁଲିମିଆ ନର୍ଭୋସା ଓ ବିଞ୍ଜ୍ ଇଟିଂ ଡିସ୍ଅର୍ଡର।
ଆନୋରେକ୍ସିଆ ନର୍ଭୋସା (Anorexia nervosa): ଏହି ସମସ୍ୟା ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ମହିଳାଙ୍କ ମନରେ ଥାଏ ଯେ, ସେ ଅଧିକ ମୋଟା ହୋଇଯାଇଛନ୍ତି, ତାଙ୍କୁ ପତଳା ହେବା ଦରକାର। ଏହି ସମସ୍ୟା ଥିବା ଲୋକମାନେ ମୋଟା ହୋଇଯିବା ଚିନ୍ତାରେ ଖାଦ୍ୟ କମ୍ ଖାଇଥା’ନ୍ତି। ତାଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ଥାଏ ଯେ, ସେମାନେ ମୋଟା ହୋଇଯାଉଛନ୍ତି ଓ ତାଙ୍କୁ ପତଳା ହେବା ଦରକାର।
ବୁଲିମିଆ ନର୍ଭୋସା (Bulimia nervosa): ଏହି ସମସ୍ୟା ଥିଲେ ବ୍ୟକ୍ତିଙ୍କୁ ଖାଇବାକୁ ବେଶି ଇଛା ହୁଏ। ଏହି ଲୋକମାନେ ୨ ଘଣ୍ଟାରେ ମଝିରେ ମିରେ ଖାଉଥା’ନ୍ତି। କିନ୍ତୁ, ପରେ ତାଙ୍କୁ ଲାଗେ ଯେ ସେ ଅଧିକ ଖାଇଦେଉଛନ୍ତି ମୋଟା ହୋଇଯିବେ କି? ଏହି ଭୟରେ ସେ ପାଟିରେ ହାତ ପୁରାଇ ବାନ୍ତି କରନ୍ତି। ଏହି ସମସ୍ୟା ଥିଲେ ବ୍ୟକ୍ତିଙ୍କୁ ଖାଇବାରେ ଇଛା ଥିବା ସଙ୍ଗେ ସଙ୍ଗେ ଓଜନ ବଢ଼ିଯିବାକୁ ନେଇ ବି ଭୟ ଥାଏ। ସେଥିପାଇଁ ସେମାନେ ଖାଇଥିବା ଖାଦ୍ୟକୁ କେମିତି ବାହାର କରିବେ ଚିନ୍ତା କରନ୍ତି।
ବିଞ୍ଜ୍ ଇଟିଂ ଡିସ୍ଅର୍ଡର (binge eating disorder in Odia): ଏଥିରେ ବ୍ୟକ୍ତି ଲୁଚେଇକି ଖାଆନ୍ତି, ଭୋକ ନ ଲାଗିଲେ ଖାଇଥା’ନ୍ତି, ରାତିରେ ସମସ୍ତେ ଶୋଇସାରିବା ପରେ ଖାଇଥା’ନ୍ତି ଏବଂ ଏତେ ଖାଉଥିବା ଯୋଗୁଁ ତାଙ୍କୁ ଖରାପ ମଧ୍ୟ ଲାଗୁଥାଏ। ଏହି ସମସ୍ୟା ଥିଲେ ବ୍ୟକ୍ତି ତାଙ୍କ ଓଜନକୁ ନେଇ ଚିନ୍ତିତ ନଥା’ନ୍ତି।
ଅଧିକ ପଢ଼ନ୍ତୁ: ଅଧିକ ଦିନ କଥା ମନେ ରହୁନି କି? ହୋଇପାରେ ଅଲଝାଇମର ରୋଗ
ଇଟିଂ ଡିସ୍ଅର୍ଡରର କାରଣ (Causes of Eating Disorder in Odia)
ଜେନେଟିକ୍ – ଯଦି ପରିବାରରେ ବାପା କିମ୍ବା ମା’ଙ୍କୁ ଇଟିଂ ଡିସ୍ଅର୍ଡର ସମସ୍ୟା ରହିଛି, ତେବେ ପିଲାମାନଙ୍କୁ ହେବାର ଆଶଙ୍କା ରହିଛି।
ପାରିପାର୍ଶ୍ୱିକ କାରଣ – କେତେକ ଲୋକଙ୍କ ମନରେ ଧାରଣା ଥାଏ ଯେ, ବର୍ତ୍ତମାନ ସମୟରେ ପତଳା ହେବା ଜରୁରୀ। କାରଣ ଲୋକେ ଭାବନ୍ତି ଯେ ପତଳା ହେଲେ ବ୍ୟକ୍ତି ସୁନ୍ଦର ଦେଖାଯାଏ, ଲୋକେ ପସନ୍ଦ କରିଥା’ନ୍ତି। ତେଣୁ ସେମାନେ ଖାଇବା କମ୍ ଖାଇଥା’ନ୍ତି।
କେଉଁ ବୟସରେ ଇଟିଂ ଡିସ୍ଅର୍ଡର ଅଧିକ ଦେଖାଯାଏ? (At what age do you have an eating disorder in Odia)
୧୩ରୁ ୧୪ ବର୍ଷ ବୟସରୁ ଇଟିଂ ଡିସ୍ଅର୍ଡର ସମସ୍ୟା ଆରମ୍ଭ ହୋଇଯାଉଛି। ହେଲେ ୨୩ କିମ୍ବା ୨୫ ବର୍ଷ ବୟସରେ ଏହି ସମସ୍ୟା ଅଧିକ ଦେଖାଦେଉଛି। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଇଟିଂ ଡିସ୍ଅର୍ଡର ବେଶି ଦେଖାଯାଉଛି।
ଇଟିଂ ଡିସ୍ଅର୍ଡରର ଜଟିଳତା (Complications of Eating Disorder in Odia)
ପତଳା ହେବା ଚକ୍କରରେ କେତେକ ଲୋକ କମ୍ ଖାଆନ୍ତି ଓ କେତେକ ଲୋକ ଅଧିକ ଖାଇ ବାନ୍ତି କରିଥା’ନ୍ତି। ହେଲେ ଏହାଦ୍ୱାରା ଶାରୀରିକ ସମସ୍ୟା ଅଧିକ ଦେଖାଦିଏ। ଯେପରିକି ଶେ ଝଡ଼ିବା, ହିମୋଗ୍ଲୋବିନ୍ କମିଯିବ, ଶ୍ୱେତ ରକ୍ତ କଣିକା କମିଯିବ, ହୃଦୟ ଜନିତ ସମସ୍ୟା ହେବ, ସୋଡିୟମ୍-ପୋଟାସିୟମ୍-କ୍ଲୋରାଇଡ୍ କମିଯିବ, ବଦ୍ହଜମି ହେବ, ଅତ୍ୟଧିକ ଓଜନ କମିଯିବ, କେତେକ କ୍ଷେତ୍ରରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିପାରନ୍ତି।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ଯୌନ ସମସ୍ୟା? ଜାଣନ୍ତୁ କ’ଣ ରହିଛି ଏହାର ଚିକିତ୍ସା
ପରୀକ୍ଷା କରି କେମିତି ଚିହ୍ନିବା ସମସ୍ୟା
ଇଟିଂ ଡିସ୍ଅର୍ଡର ସମସ୍ୟା ଅଛି କି ନାହିଁ ଜାଣିବା ପାଇଁ ବ୍ୟକ୍ତିଙ୍କ ପ୍ରଥମେ ଚିନ୍ତାଧାରା ଜାଣିବାକୁ ପଡ଼ିଥାଏ। ଏହାପରେ ବ୍ୟକ୍ତିଙ୍କ ଓଜନ ମପାଯାଇଥାଏ। ଯଦି ଜଣଙ୍କର ଓଜନ ଦୁଇ ତିନି ମାସ ମଧ୍ୟରେ ୧୦ କେଜି କମିଯାଇଛି, ତେବେ ଆମେ ଜାଣିବା ଯେ କିଛି ସମସ୍ୟା ହୋଇଛି। ଏହାଛଡ଼ା ବଡି ମାସ୍ ଇଣ୍ଡେକ୍ସ ୧୭.୫ରୁ କମ୍ ଥିଲେ, ଋତୁସ୍ରାବରେ ଅନିୟମିତତା ଥିଲେ ଇଟିଂ ଡିସ୍ଅର୍ଡର ହୋଇଛି ବୋଲି ଭାବିବା।
ଇଟିଂ ଡିସ୍ଅର୍ଡରର ଚିକିତ୍ସା (Treatment of Eating Disorder in Odia)
ଇଟିଂ ଡିସ୍ଅର୍ଡର ସମସ୍ୟା ଥିବା ବ୍ୟକ୍ତିଙ୍କୁ ସାଇକୋ ଥେରାପି ଦେବାକୁ ପଡ଼ିଥାଏ। ଯଦି ଇଟିଂ ଡିସ୍ଅର୍ଡର ସହ ଏଙ୍ଗଜାଇଟି, ଡିପ୍ରେସନ୍ ରହିଛି, ତେବେ ଔଷଧ ଦିଆଯାଏ।
ଇଟିଂ ଡିସ୍ଅର୍ଡରର ନିରାକରଣ (Elimination of Eating Disorder in Odia)
ବର୍ତ୍ତମାନ ଲୋକମାନେ ସେମାନଙ୍କ ସୁନ୍ଦରତାକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ସେଥିପାଇଁ ସେମାନେ ସବୁବେଳେ ପତଳା ରହିବାକୁ ନେଇ ଚେଷ୍ଟିତ ଅଛନ୍ତି। ଏହାଛଡ଼ା କେତେକ ଲୋକ ଭାବନ୍ତି ମୋଟା ହେଲେ ବାହା ହେଇ ପାରବୁନି। ଏଭଳି ମାନସିକତାରେ ଲୋକମାନେ ଖାଇବା ଉପରେ ନିୟନ୍ତ୍ରଣ ଆଣନ୍ତି।
ସବୁବେଳେ ସୁସ୍ଥ ରହିବାକୁ ଚେଷ୍ଟା କରିବା। ସଠିକ୍ ପରିମାଣର ଖାଇବେ ଓ ସଠିକ୍ ବ୍ୟାୟାମ କରିବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Causes & Treatment of Eating Disorder, in Odia language, is based on an extensive interview with psychiatrist Dr. Amrit Pattojoshi.