ମହିଳାମାନଙ୍କ ଗର୍ଭାଶୟ ବା ୟୁଟ୍ରେସ ଭିତରେ କିମ୍ବା ବାହାରେ ବଢ଼ିଥିବା ମାଂସପିଣ୍ଡୁଳା ଗର୍ଭାଶୟରେ ଟ୍ୟୁମର କୁହାଯାଏ। ତେବେ ଏହି ଟ୍ୟୁମର କ’ଣ ଏବଂ ଏହାର ଚିକିତ୍ସା କିପରି ହୋଇଥାଏ। ଆସନ୍ତୁ ଜାଣିବା।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁନି ଉପବାସ, ଶିଶୁ ଉପରେ ପଡ଼ିପାରେ କୁପ୍ରଭାବ
ମହିଳାମାନଙ୍କ ଗର୍ଭାଶୟରେ କୌଣସି କାରଣରୁ ମାଂସ ବଢ଼ି ପିଣ୍ଡୁଳା ଭଳି ହୋଇଯାଏ। ଏହି ମାଂସପିଣ୍ଡୁଳା ଧୀରେ ଧୀରେ ଟ୍ୟୁମର ରୂପ ନେଇଥାଏ। ଗର୍ଭାଶୟ ଟ୍ୟୁମରକୁ ୟୁଟ୍ରେସ ଫାଇବ୍ରିଡୋ କୁହାଯାଏ। ଏହା ନନକ୍ୟାନସରିୟସ ଅର୍ଥାତ କ୍ୟାନସର ନୁହେଁ। ଏହି ମାଂସପିଣ୍ଡୁଳା ସାଧାରଣ ଗର୍ଭାଶୟ ମାଂସପେଶୀ କୋଷଗୁଡ଼ିକରୁ ବିକଶିତ ହୋଇଥାଏ। ଅସ୍ୱାଭାବିକ ଭାବେ ଏହି ମାଂସପିଣ୍ଡୁଳା ବଢ଼ିଥାଏ। କୋଷଗୁଡ଼ିକ ବଢ଼ି ବଢ଼ି ଟ୍ୟୁମରରେ ପରିଣତ ହୋଇଥାଏ ଯାହାକି କ୍ଷତିକାରକ ନୁହେଁ।
ଗର୍ଭାଶୟରେ ଟ୍ୟୁମର ଏକ ସାଧାରଣ କଥା। ଅନେକ ମହିଳା କେବେ ନା କେବେ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଅଧିକାଂଶ ମହିଳାଙ୍କଠାରେ ହେଉଥିବା ଗର୍ଭାଶୟ ଟ୍ୟୁମର ବହୁତ ଛୋଟ। ସେଗୁଡ଼ିକ କୌଣସି କ୍ଷତି ପହଞ୍ଚାନ୍ତି ନାହିଁ। ଏପରିକି ଅନେକ କ୍ଷେତ୍ରରେ ମହିଳାମାନେ ଜାଣିପାରନ୍ତି ନାହିଁ କି ସେମାନଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଛି।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟାର କିପରି କରିବେ ଚିକିତ୍ସା?
ଗର୍ଭାଶୟରେ ଟ୍ୟୁମର କାହିଁକି ହୁଏ?
ଗର୍ଭାଶୟରେ ଟ୍ୟୁମର ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଏହି ଟ୍ୟୁମର ମହିଳାମାନଙ୍କ ଶରୀରରେ ଥିବା ଇଷ୍ଟ୍ରୋଜେନ ନାମକ ଏକ ହରମୋନ ଯୋଗୁଁ ହୋଇଥାଏ। ସାଧାରଣତଃ ୩୦ ବର୍ଷ ପରେ ମହିଳାମାନେ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହୁଅନ୍ତି।
ଯେଉଁ ମହିଳାମାନଙ୍କର ମାସିକ ଋତୁସ୍ରାବ ୧୦ ବର୍ଷରୁ କମ ବୟସରେ ଆରମ୍ଭ ହୋଇଯାଇଥାଏ ସେମାନେ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହେବାର ଅଧିକ ଆଶଙ୍କା ରହିଥାଏ। ପୂର୍ବରୁ କୌଣସି ମହିଳାମାନଙ୍କ ମା’ ଏବଂ ଭଉଣୀ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହୋଇଥାଆନ୍ତି ତେବେ ସେମାନଙ୍କଠାରେ ଗର୍ଭାଶୟ ଟ୍ୟୁମର ହେବାର ଆଶଙ୍କା ମଧ୍ୟ ରହିଛି।
ପ୍ରସବ ପରେ ଗର୍ଭାଶୟରେ ଟ୍ୟୁମର ହେବାର ସମ୍ଭାବନା କମ ଥାଏ। ଗର୍ଭନିରୋଧକ ବଟିକା ଖାଉଥିବା ମହିଳାମାନଙ୍କ କ୍ଷେତ୍ରରେ ଗର୍ଭାଶୟରେ ଟ୍ୟୁମର କମ ଦେଖାଯାଇଥାଏ।
ଟ୍ୟୁମରର ପ୍ରକାର
ସମସ୍ତ ପ୍ରକାରର ଗର୍ଭାଶୟ ଟ୍ୟୁମର ଅସ୍ୱାଭାବିକ ଭାବେ ଗର୍ଭାଶୟ କୋଷରୁ ମାଂସପିଣ୍ଡୁଳା ଆକାରରେ ବଢ଼ି ଥାଆନ୍ତି। ତେବେ ଗର୍ଭାଶୟରେ ଟ୍ୟୁମରଗୁଡ଼ିକର ବୃଦ୍ଧିକୁ ନେଇ ସେଗୁଡ଼ିକୁ ଶ୍ରେଣୀଭୁକ୍ତ କରାଯାଇଛି।
ମାୟୋମେଟ୍ରିଆଲ ଟ୍ୟୁମରଗୁଡ଼ିକ ଗର୍ଭାଶୟର ମସକୁଲାର ୱାଲ ବା ମାଂସପେଶ ଉପରେ ବିକଶିତ ହୋଇଥାଏ। ପ୍ରାୟ ମହିଳାଙ୍କ ନିକଟରେ ଏହି ପ୍ରକାର ଅଧିକ ଦେଖାଯାଏ।
ସବମ୍ୟୁକୋସାଲ ଟ୍ୟୁମର ଗର୍ଭାଶୟର ଆଭ୍ୟନ୍ତରୀଣ ବା ଭିତର ପାଖର ସାମାନ୍ୟ ତଳେ ବିକଶିତ ହୋଇଥାଆନ୍ତି। ଏହା ଦ୍ୱାରା ପ୍ରବଳ ରକ୍ତସ୍ରାବ ହୋଇଥାଏ।
ସବସେରୋସାଲ ଟ୍ୟୁମର ଗର୍ଭାଶୟର ବାହାର ଆସ୍ତରଣରେ ହୋଇଥାଏ।
ପେଡୁନକୁଲେଟେଡ ଟ୍ୟୁମର ସାଧାରଣତଃ ଗର୍ଭାଶୟ ବାହାରେ ବଢ଼ିଥାଏ।
ଗର୍ଭାଶୟରେ ହେଉଥିବା ଟ୍ୟୁମରଗୁଡ଼ିକର ଆକାର ବିଭିନ୍ନ ପ୍ରକାରର ହୋଇଥାଏ। ଏହି ଟ୍ୟୁମର ଅତି କ୍ଷୁଦ୍ର ବା ମାଇକ୍ରୋସ୍କୋପିକ ୬ ରୁ ୭ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଆନ୍ତି।
ଲକ୍ଷଣ
ଅଧିକାଂଶ କ୍ଷେତ୍ରରେ ଗର୍ଭାଶୟରେ ଟ୍ୟୁମରର ଆଦୌ କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ନାହିଁ। ତେଣୁ ଅଧିକାଂଶ ମହିଳା ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଛି। ଲକ୍ଷଣଗୁଡ଼ିକ ଟ୍ୟୁମରଗୁଡ଼ିକର ସଂଖ୍ୟା, ଆକାର ଓ ପ୍ରକାର ଉପରେ ନିର୍ଭର କରେ।
ତେବେ ଏହି ସବୁ ଲକ୍ଷଣ ମହିଳାମାନେ ଅନୁଭବ କରିଥାନ୍ତି।
ଅଧିକ ଦିନ ପର୍ଯ୍ୟନ୍ତ ମାସିକ ଋତୁସ୍ରାବ ହେବା
ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେବା
ପେଟ ଭାରୀ ଭାରୀ ଭଳି ଲାଗିବା
ତଳିପେଟରେ ଯନ୍ତ୍ରଣା ହେବା
କୋଷ୍ଠକାଠିନ୍ୟ
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଶିଶୁ ଏବଂ ମା’ ପାଇଁ ଆଣେ ବିପଦ
କିପରି ଚିହ୍ନଟ କରିବେ ଗର୍ଭାଶୟ ଟ୍ୟୁମର?
ମଧ୍ୟମ ଏବଂ ବଡ଼ ଆକାରର ଗର୍ଭାଶୟ ଟ୍ୟୁମରଗୁଡ଼ିକୁ ଡାକ୍ତର ସହଜରେ ଜାଣିପାରନ୍ତି। ସାଧାରଣ ତଳି ପେଟ ପରୀକ୍ଷା ବେଳେ ଡାକ୍ତର ଏସଂପର୍କରେ ଜାଣିପାରନ୍ତି। ଅଲଟ୍ରାସାଉଣ୍ଡ ଏମଆରଆଇ ଓ ହିଷ୍ଟେରୋସ୍କୋପି ଆଦି କରାଯାଇ ଗର୍ଭାଶୟରେ ଟ୍ୟୁମର ଚିହ୍ନଟ କରାଯାଇଥାଏ।
ତେବେ ଗର୍ଭାଶୟରେ ଟ୍ୟୁମର ଚିହ୍ନଟ ପାଇଁ ସବୁ ମହିଳା କ୍ଷେତ୍ରରେ ଏହି ପରୀକ୍ଷାଗୁଡ଼ିକ ଲାଗୁ ହୋଇ ନ ଥାଏ। ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ କେବଳ ତଳି ପେଟ ଯାଞ୍ଚ ବା ଅଲଟ୍ରାସାଉଣ୍ଡ ଯଥେଷ୍ଟ ହୋଇଥାଏ।
ଗର୍ଭାଶୟରେ ଟ୍ୟୁମରର ଚିକିତ୍ସା
ଅଧିକାଂଶ ଗର୍ଭାଶୟ ଟ୍ୟୁମର ଚିକିତ୍ସା ଆବଶ୍ୟକ ହୁଏ ନାହିଁ। କେତେକ ଟ୍ୟୁମର ଔଷଧ ମାଧ୍ୟମରେ ପେଟରେ ମିଳେଇ ଯାଇଥାଏ। ଅଧିକ ସମସ୍ୟା ସୃଷ୍ଟି କରୁଥିବା ଗର୍ଭାଶୟ ଟ୍ୟୁମରଗୁଡ଼ିକୁ ଔଷଧ ଅବା ଅସ୍ତ୍ରୋପଚାର କରି ଚିକିତ୍ସା କରାଯାଏ।
ଯେଉଁ ମହିଳାମାନେ ଅସ୍ତ୍ରୋପଚାର ପାଇଁ ଉପଯୁକ୍ତ ନ ଥାଆନ୍ତି ସେମାନଙ୍କୁ ଔଷଧ ଖାଇବାକୁ ଦିଆଯାଏ ଓ ଟ୍ୟୁମର ଉପରେ ନିୟମିତ ପରୀକ୍ଷା କରାଯାଏ। ଯେଉଁ ମହିଳାମାନେ ମେନୋପଜ ବୟସ ପାଖାପାଖି ପହଞ୍ଚି ଯାଇଥାଆନ୍ତି ସେମାନଙ୍କଠାରେ ମଧ୍ୟ ଅସ୍ତ୍ରୋପଚାର କରାଯାଏ ନାହିଁ।
ବୟସ ଏବଂ ପ୍ରଜନନ କ୍ଷମତାକୁ ନଜରରେ ରଖି ଅସ୍ତ୍ରୋପଚାର କରାଯାଇଥାଏ।