ଫୋବିୟା କ’ଣ ଓ ଏହାର ନିରାକରଣ କେମିତି କରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Phobia: Causes and treatment in Odia)
ଯେକୌଣସି କାର୍ଯ୍ୟ, ପରିସ୍ଥିତି ଏବଂ ବସ୍ତୁକୁ ଅହେତୁକ ଭୟ କରିବାକୁ ଫୋବିୟା କୁହାଯାଏ। କିଛି ଲୋକେ ସାଧାରଣରେ ସଠିକ ଭାବେ କଥା କହିଥା’ନ୍ତି, ଗୀତ ଗାଇଥା’ନ୍ତି, ଭାଷଣ ଦେଇଥା’ନ୍ତି। ହେଲେ ସେମାନଙ୍କୁ ଷ୍ଟେଜ ଉପରେ ଏହି ସବୁ କାର୍ଯ୍ୟ କରିବାକୁ ବହୁତ ଡର ଲାଗେ। କିଛି ଲୋକ ଅତ୍ୟଧିକ ଭୟ ଯୋଗୁଁ ଅଚେତ ମଧ୍ୟ ହୋଇଯାଆନ୍ତି।
ଫୋବିୟାର ପ୍ରକାର (Types of Phobia in Odia)
ଫୋବିୟାର ବିଭିନ୍ନ ପ୍ରକାର ରହିଛି। କିଛି ଲୋକ ଉଚ୍ଚତାକୁ ଯିବାକୁ ଭୟ କରନ୍ତି, କିଛି ଲୋକ ଗହଳି ଅଞ୍ଚଳକୁ ଯିବାକୁ ଭୟ କରନ୍ତି, ସେମାନଙ୍କୁ ଅଣନିଶ୍ୱାସି ଲାଗିଥାଏ। ସେହିପରି କିଛି ଲୋକ ଅଧିକ ପାଣି ଦେଖିଲେ ଭୟ କରନ୍ତି।
କିଛି ଲୋକ ସମସ୍ତ କାମ ଭଲ ଭାବରେ କରୁଥିବ, କିନ୍ତୁ ଘରୁ ବାହାରକୁ ଏକା ଯାଇପାରିବେ ନାହିଁ। ଯଦି ବାହାରକୁ ଯିବେ ସାଙ୍ଗ ବା କୌଣସି ପରିବାର ଲୋକକୁ ସାଙ୍ଗରେ ଡାକିବେ। ଯଦି ଉକ୍ତ ସାଙ୍ଗ ଯିବାକୁ ମନା କରିଦିଏ, ତେବେ ବ୍ୟକ୍ତି କୌଣସି ବାହାନା ମାରିକରି ବାହାରକୁ ଯିବେ ନାହିଁ।
ଭିଡ଼କୁ ଗଲେ ଭୟ କରନ୍ତି, ସେମାନଙ୍କୁ ରୁନ୍ଧି ହେବା ଭଳି ଲାଗିଥାଏ।
କାହିଁକି ହୋଇଥାଏ ଫୋବିୟା (Causes of Phobia in Odia)
ସାଧାରଣତଃ ଫୋବିୟା ବଂଶଗତ କାରଣ ଯୋଗୁଁ ହୋଇପାରେ। ତା’ଛଡ଼ା ପିଲା ଦିନରୁ ମାନସିକ ଚାପ ପଡ଼ିଥିଲେ ପିଲା ଫୋବିୟାର ଶିକାର ହୋଇଥାଏ। ମସ୍ତିଷ୍କରେ ସେରୋଟିନିନ୍ ହରମୋନ୍ର ବିଶୃଙ୍ଖଳତା କାରଣରୁ ବି ଫୋବିୟା ହୋଇଥାଏ।
ଫୋବିୟାର ଜଟିଳତା
ଫୋବିୟା ଯୋଗୁଁ ଜଣକୁ ପାନିକ ଆଟାକ ଆସିପାରେ। ହଠାତ୍ ବ୍ୟକ୍ତିଙ୍କ ଛାତି ଧଡ୍ଧଡ୍ ହେବ, ଝାଳ ବାହାରିଯିବ, ଭୟରେ ଝାଡ଼ା ପରିସ୍ରା ଲାଗିବ। ଏହି ସବୁ ଲକ୍ଷଣ ଦେଖାଗଲେ ବ୍ୟକ୍ତି ହୃଦରୋଗ ଜନିତ ସମସ୍ୟା ଭାବି ହାର୍ଟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତି। ହେଲେ ଏହା ହୃଦରୋଗ ସମ୍ବନ୍ଧୀୟ କୌଣସି ସମସ୍ୟା ନୁହେଁ, ଏହା ପାନିକ ଆଟାକ। ଏଥିପାଇଁ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଫଳ ମିଳିଥାଏ।
ଫୋବିୟାର ଚିକିତ୍ସା (Treatment of phobiya in Odia)
ଉଭୟ ମେଡିସିନ୍ ଓ ସାଇକୋଥେରାପି ମାଧ୍ୟମରେ ଫୋବିୟାର ଚିକିତ୍ସା କରାଯାଏ। ଉଭୟ ଚିକିତ୍ସା ଦ୍ୱାରା ବ୍ୟକ୍ତି ଶୀଘ୍ର ଠିକ୍ ହୋଇଥାଏ।
ମେଡିସିନ୍ ଦ୍ୱାରା ବ୍ୟକ୍ତିଙ୍କର ଝାଳ ବାହାରିବା, ଗୋଡ଼ ହାତ ଥରିବା ଲକ୍ଷଣକୁ ଭଲ କରାଯାଇପାରେ। ହେଲେ କାଉନସେଲିଂ ଦ୍ୱାରା ବ୍ୟକ୍ତି କ’ଣ ଭାବୁଛି, ବ୍ୟକ୍ତିଙ୍କର ଡରିବାର କାରଣର ଇତିହାସ ପଚାରି ବୁଝାଯାଏ। କେଉଁ କାରଣରୁ ବ୍ୟକ୍ତିଙ୍କ ମନରେ ଭୟ ଆସୁଛି, ତାହାକୁ ଦୂର କରିବା ପାଇଁ କାଉନସେଲିଂ ଏକ ମାତ୍ର ମାଧ୍ୟମ। ଏହାପରେ ଧୀରେ ଧୀରେ କରି ରୋଗୀଙ୍କର ବିଭିନ୍ନ ଫୋବିୟା ଭଲ ହୋଇଥାଏ।
(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ସମ୍ରାଟ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)
Note: A brief medical advice, in Odia language, on causes and treatment of Phobia based on the interview with Dr. Samrat Kar, Psychiatrist Doctor.