ଫ୍ୟାଟି ଲିଭର ସମସ୍ୟା କ’ଣ? ଏହାର କାରଣ ଓ ଚିକିତ୍ସା ସମ୍ପର୍କରେ ଜାଣନ୍ତୁ। (Fatty Liver: Causes, symptoms and treatment in Odia)
ଆମ ସମସ୍ତଙ୍କର ଯକୃତରେ କିଛି ପରିମାଣର ଚର୍ବି ରହିଛି। ତେବେ ସମୟ ସମୟରେ ଯକୃତର କୋଷିକାରେ ଅନାବଶ୍ୟକ ଭାବେ ଅଧିକ ଚର୍ବି ଜମିଯାଇଥାଏ। ଏହା ଏକ ଗୁରୁତର ରୋଗ। ଏହାକୁ ଫ୍ୟାଟି ଲିଭର ସମସ୍ୟା କୁହାଯାଏ। ଏହା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ୍ ଏବଂ ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ୍।
ଦୀର୍ଘ ବର୍ଷ ଧରି ମଦ୍ୟପାନ କରିବା ଆଲକୋହୋଲିକ୍ ଫ୍ୟାଟି ଲିଭରର କାରଣ ପାଲଟିଥାଏ। ଏଥିରେ ଯକୃତର କୋଷିକାଗୁଡ଼ିକରେ ଚର୍ବି ଜମା ହୋଇଯାଉଥିବାରୁ ଯକୃତ ତା’ର କାମ ଠିକ୍ ଭାବେ କରିପାରେନାହିଁ। ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ରୋଗରେ ଲିଭରରେ ଚର୍ବି ଜମିବା ସହିତ ତାହା ଫୁଲିଯାଏ। ଲିଭରର କୋଷିକାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ। ଲିଭର ଫୁଲିବା ଓ କୋଷିକା କ୍ଷତିଗ୍ରସ୍ତ ହେବା ପରବର୍ତ୍ତୀ ସମୟରେ ଫାଇବ୍ରୋସିସ୍ର ରୂପ ନେଇଥାଏ। ଭବିଷ୍ୟତରେ ତାହା ଲିଭର ସିରୋସିସ୍ କିମ୍ବା ଲିଭର କର୍କଟର କାରଣ ପାଲଟେ। ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ରୋଗର କିଛି ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଫ୍ୟାଟି ଲିଭରର ଲକ୍ଷଣ (Symptoms of Fatty liver in Odia)
ଅଧିକାଂଶ ସମୟରେ ଫ୍ୟାଟି ଲିଭର ରୋଗର ଲକ୍ଷଣ ଜଣାପଡ଼େନାହିଁ। ରୋଗ ବଢ଼ିବା ପରେ ଧୀରେ ଧୀରେ ଅଳ୍ପ ଲକ୍ଷଣ ଦେଖାଯାଇଥାଏ। କିଛି ଲୋକଙ୍କୁ ଥକ୍କାପଣ, ବାନ୍ତି ହେବା, ଶରୀରର ଓଜନ କମିଯିବା, ପେଟରେ ଯନ୍ତ୍ରଣା ହେବା, ଭୋକ କମିଯିବା ଭଳି ଲକ୍ଷଣ ଦେଖାଯାଏ। ସାଧାରଣତଃ ୪୦-୬୦ ବର୍ଷ ପରେଏ ସଂପର୍କରେ ଜଣାପଡ଼ିଥାଏ। ଏହି ଅବସ୍ଥା ସେତେ ଗୁରୁତର ନୁହେଁ। କିନ୍ତୁ ଏହାର ଉପଚାର ନ କଲେ ଲିଭର କ୍ଷତିଗ୍ରସ୍ତ ହୋଇଯିବାର ଆଶଙ୍କା ରହେ।
କାରଣ (Causes of Fatty liver in Odia)
-ଅତ୍ୟଧିକ ମଦ୍ୟପାନ କରିବା ଫ୍ୟାଟି ଲିଭର ରୋଗର ଅନ୍ୟତମ ପ୍ରମୁଖ କାରଣ। ଏହାଦ୍ୱାରା ଲିଭରରେ ଚର୍ବି ଜମା ହୋଇଥାଏ। ଫଳରେ ଲିଭର ଠିକ୍ ଭାବେ କାମ କରିପାରେନାହିଁ।
-ଯେଉଁ ବାପା ମା’ମାନେ ଫ୍ୟାଟି ଲିଭର ରୋଗରେ ପୀଡ଼ିତ ସେମାନଙ୍କ ପିଲାମାନେ ଏହାଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଖୁବ୍ ବଢ଼ିଯାଇଥାଏ।
-ମେଦବହୁଳତା ଫ୍ୟାଟି ଲିଭର ରୋଗର ଅନ୍ୟ ଏକ କାରଣ। ଏହାଦ୍ୱାରା ମଧ୍ୟ ଲିଭରରେ ଚର୍ବି ଜମା ହୋଇଥାଏ। ଏହାଛଡ଼ା ମଧୁମେହରେ ପୀଡ଼ିତ ଲୋକ ଏବଂ ଅଧିକ କୋଲେଷ୍ଟେରୋଲ ଥିବା ଲୋକମାନେ ଫ୍ୟାଟି ଲିଭର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
-ସମୟ ସମୟରେ କିଛି ନିର୍ଦ୍ଦିଷ୍ଟ ଔଷଧ ଖାଇବା ଯୋଗୁ ଏହି ସମସ୍ୟା ବଢ଼ିଯାଇଥାଏ।
-ଏହାଛଡ଼ା ଖାଦ୍ୟରେ ଲୌହର ପରିମାଣ ଅଧିକ ରହିବା, ଅଧିକ ତୈଳାକ୍ତ ଖାଦ୍ୟ ଖାଇବା, ବହୁତ ସମୟ ଶୋଇ ରହିବା ଦ୍ୱାରା ମଧ୍ୟ ଲିଭର ଫ୍ୟାଟି ହୋଇଯାଇଥାଏ।
କେଉଁମାନଙ୍କୁ ହେବାର ଅଧିକ ଆଶଙ୍କା ରହେ?
-ଟାଇପ-୨ ମଧୁମେହ ରୋଗୀ
-ମେଦବହୁଳତାର ଶିକାର ବ୍ୟକ୍ତି
-ଯେଉଁମାନଙ୍କର କୋଲେଷ୍ଟେରୋଲ ଅଧିକ ଥିବ
-ହେପାଟାଇଟିସ୍ ସି ସଂକ୍ରମଣର ଶିକାର ହୋଇଥିବା ଲୋକେ
-ଶାରୀରିକ କାର୍ଯ୍ୟକଳାପ କରୁନଥିବା ଲୋକେ
ରୋଗ ଚିହ୍ନଟ
ଫ୍ୟାଟି ଲିଭର ସଂପର୍କରେ ଜାଣିବା ପାଇଁ ଡାକ୍ତରମାନେ ଅଲଟ୍ରାସାଉଣ୍ଡର ସାହାଯ୍ୟ ନେଇଥାନ୍ତିି। ସେହିପରି ସିଟି ସ୍କାନ, ଏମଆରଆଇ ବି କରାଯାଇଥାଏ। ଏହାଛଡ଼ା ଅଲଟ୍ରାସାଉଣ୍ଡ ଭଳି ଆଉ ଏକ ଇମେଜିଂ ପରୀକ୍ଷଣ ଫାଇବ୍ରୋସ୍କାନ ମଧ୍ୟ କରାଯାଇଥାଏ। ଏସବୁ ବ୍ୟତୀତ ଲିଭର ବାୟୋପ୍ସି ମାଧ୍ୟମରେ ରୋଗ ଚିହ୍ନଟ କରାଯାଇଥାଏ।
ଉପଚାର (Treatment of Fatty liver in Odia)
ଜୀବନଶୈଳୀରେ ପରିବର୍ତ୍ତନ, ଔଷଧ, ସର୍ଜରୀ, ଲିଭର ପ୍ରତ୍ୟାରୋପଣ ମାଧ୍ୟମରେ ଫ୍ୟାଟି ଲିଭର ରୋଗୀଙ୍କର ଚିକିତ୍ସା କରାଯାଇଥାଏ। ବ୍ୟାୟାମ କରିବା ଏବଂ ଓଜନ କମାଇବା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ସମସ୍ୟାରେ ଆକ୍ରାନ୍ତ ରୋଗୀଙ୍କୁ ଅତି କମ୍ରେ ଶରୀରର ୧୦% ଓଜନ କମାଇବାକୁ ପଡ଼ିଥାଏ। ସେହିପରି ଫ୍ୟାଟି ଲିଭର ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ ଔଷଧ ଦିଆଯାଏ। ଏହାଛଡ଼ା ବାରିଆଟ୍ରିକ୍ ସର୍ଜରୀ ମାଧ୍ୟମରେ ରୋଗୀଙ୍କର ଓଜନ କମାଯାଇଥାଏ। ତେବେ ଯେତେବେଳେ ରୋଗ ଅତି ଗୁରୁତର ଅବସ୍ଥାରେ ପହଞ୍ଚିଯାଏ ସେତେବେଳେ ଲିଭର ପ୍ରତ୍ୟାରୋପଣ କରାଯାଇଥାଏ।