ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ସମସ୍ତ ଉପାଦାନ ଯୋଗାଇ ଦେଇଥାଏ।
ଶିଶୁ ଜନ୍ମ ହେବା ମାତ୍ରେ ତାକୁ ମା’ କ୍ଷୀର ଖୁଆଇବା ଉଚିତ୍। ପ୍ରଥମ କିଛି ଦିନର ମାଆ କ୍ଷୀରରେ ବିଭିନ୍ନ ପୋଷକତତ୍ୱ ସହିତ ବହୁ ପରିମାଣର କୋଲଷ୍ଟ୍ରମ୍ ରହିଥାଏ, ଯାହାକି ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ।
ବିଭିନ୍ନ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ଛଅ ମାସ ପର୍ଯ୍ୟନ୍ତ ଶିଶୁଙ୍କ ମଧ୍ଯରେ ବାହାର ଖାଦ୍ୟ ଖାଉଥିବା ଶିଶୁ ଓ କେବଳ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ଭିତରେ କେବଳ ସ୍ତନ୍ୟପାନ କରୁଥିବା ଶିଶୁମାନେ ଅଧିକ ସୁସ୍ଥ ଓ ନିରୋଗ ରହିଥାନ୍ତି।
ତେଣୁ ଶିଶୁ ଜନ୍ମ ହେବାଠାରୁ ୬ ମାସର ହେବା ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଖାଇବାକୁ ଦିଅନ୍ତୁ। ଯଦି ଶିଶୁ ଦିନକ ମଧ୍ୟରେ ୬ ଥରରୁ ଅଧିକ ପରିସ୍ରା କରୁଛି ତେବେ ଆଉ କୌଣସି ଖାଦ୍ୟ ଖୁଆଇବାର ଆବଶ୍ୟକତା ନାହିଁ। ଶିଶୁକୁ ବାହାର ପାଣି ମଧ୍ୟ ପିଆଇବା ଦରକାର ପଡ଼େ ନାହିଁ। ଏହା ହେଲେ ଶିଶୁର କୋମଳ ଶରୀର ନିରୋଗ ଭାବରେ ବିକଶିତ ହୋଇଥାଏ।
ଅନ୍ୟପକ୍ଷରେ ବାହାରେ ମିଳୁଥିବା ଡବା ଖାଦ୍ୟ ବା ଅନ୍ୟାନ୍ୟ ଘର ତିଆରି ଶିଶୁଖାଦ୍ୟ ପ୍ରସ୍ତୁତ କରିବା ଦରକାର ହୋଇଥାଏ। ସେଥିପାଇଁ ବାସନକୁସନ, ଗିନାଚାମଚ, ବୋତଲ ଇତ୍ୟାଦି ବ୍ୟବହାର କରାଯାଇଥାଏ ଯାହା ମଧ୍ୟ ଦେଇ ଜୀବାଣୁ ଶିଶୁ ଶରୀରରେ ପ୍ରବେଶ କରିବାର ଆଶଙ୍କା ରହିଥାଏ। କିନ୍ତୁ ମା’ କ୍ଷୀର ସବୁ ସମୟରେ ପ୍ରସ୍ତୁତ ଶିଶୁପାଇଁ ଉପଯୁକ୍ତ ତାପମାତ୍ରାରେ କୌଣସି ପ୍ରଦୂଷକ ପଦାର୍ଥ ବ୍ୟତୀତ ଉପଲବ୍ଧ ରହିଥାଏ। ବାହାର କ୍ଷୀରରେ ହେଉଥିବା ଖର୍ଚ୍ଚ ତୁଳନାରେ ମାଆକୁ ସୁଷମ ଖାଦ୍ୟ ଖୁଆଇବାରେ ଖୁବ୍ କମ୍ ଖର୍ଚ୍ଚ ହୋଇଥାଏ।
ମା’ ମାନେ ମଧ୍ୟ ସ୍ତନ୍ୟପାନ କରାଇବା ଫଳରେ ଗର୍ଭଧାରଣ ସମୟରେ ଲାଭ କରିଥିବା ଓଜନ ଧୀରେ ଧୀରେ କମିଯାଇଥାଏ ଏବଂ ସେମାନେ ପୂର୍ବର ଚେହେରା ଫେରିପାଇଥାନ୍ତି। ମାଆର ଜରାୟୁ ଶୀଘ୍ର ସଙ୍କୁଚିତ ହୋଇ ପୂର୍ବାବସ୍ଥାକୁ ଫେରିଥାଏ। ଏହା ମଧ୍ୟ ପରିବାର ନିୟୋଜନର ମାଧ୍ୟମ ଭାବରେ କାମ କରିଥାଏ।
କର୍ମଜୀବୀ ମହିଳାମାନେ ମଧ୍ୟ ଶିଶୁ ପାଇଁ ସ୍ତନରୁ କ୍ଷୀର ବାହାର କରି ଫ୍ରିଜ୍ରେ ରଖି ଶିଶୁକୁ ଖୁଆଇ ପାରିବେ। ସ୍ତନ୍ୟପାନ ଉପରେ ଗୁରୁତ୍ୱ ଦିଆଗଲେ ବହୁ ଶିଶୁଙ୍କୁ ଅକାଳ ମୃତ୍ୟୁ ଓ ରୋଗମୁଖରୁ ରକ୍ଷା କରାଯାଇପାରିବ। ମା’ କ୍ଷୀର ଶିଶୁ ପାଇଁ ଅମୃତ ସଦୃଶ ହୋଇଥାଏ।