ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍)
ଲକ୍ ଡାଉନ୍ ପରିସ୍ଥିତି ଫଳରେ ଲୋକମାନେ ଘରୁ ବାହାରକୁ ନ ଗଲାରୁ ଗୃହବନ୍ଦୀ ହେଲା ପରି ରହି ବିରକ୍ତ ହେଉଛନ୍ତି। ଅନିଶ୍ଚିତ ଭବିଷ୍ୟତ ବିଷୟରେ ଭାବି ଥଳକୂଳ ପାଉନାହାନ୍ତି। ଏଇ ଅବସ୍ଥାରେ ସେମାନେ କେମିତି ମନକୁ ଶାନ୍ତ ରଖିବେ ବା ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ – ଏହା ଗୋଟିଏ ବଡ଼ ପ୍ରଶ୍ନ।
ସ୍ଵାଭାବିକ ଜୀବନରେ ଆଞ୍ଚ ଆସିଲେ ସମସ୍ତଙ୍କୁ କଲବଲ ଲାଗେ, ଅଥୟ ଲାଗେ। ସେଥିପାଇଁ ସ୍ଵାଧୀନତା ଆନ୍ଦୋଳନ ବେଳେ ‘ଗୃହବନ୍ଦୀ’ କରି ବହୁ ଲୋକଙ୍କୁ ଶାସ୍ତି ଦିଆଯାଉଥିଲା। ତେଣୁ ଏପରି ପରିସ୍ଥିତି ନିଶ୍ଚିତ ଭାବେ ଅସହନୀୟ। ମାତ୍ର ମଣିଷ ନିଜର ବୁଦ୍ଧିବଳ ଯୋଗୁଁ, ଅବସ୍ଥା ଅନୁସାରେ ବ୍ୟବସ୍ଥା କରି, ସଙ୍କଟ ସମୟରେ ନିଜକୁ ରକ୍ଷା କରି କେଉଁ ଆଦିମ ଯୁଗରୁ ଏ ଯାକେ ବଞ୍ଚି ରହିଛି। ଅନ୍ୟର ସହଯୋଗିତା ସହ ନିଜ ମନର ଆଶାବାଦୀ ଗୁଣ ଏ ଦିଗରେ ତା’କୁ ସବୁବେଳେ ସାହାଯ୍ୟ କରିଆସିଛି।
ଆଜି କରୋନା ସଂକ୍ରମଣ ରୋକିବା ଲାଗି ଯେଉଁ ଲକ୍ଡାଉନ୍ ସ୍ଥିତି ତିଆରି ହୋଇଛି ତା’ ଭିତରେ ଆମେ ନିଜକୁ କିପରି ପରିଚାଳିତ କରିବା ସେଇଟା ବଡ଼ କଥା। ତେଣୁ ଯେଉଁମାନେ ଘର ଭିତରେ ଏକପ୍ରକାର ବନ୍ଦୀ ଭଳି ଅବସ୍ଥାରେ ରହିଛନ୍ତି ସେମାନେ ଯଦି ନିଜର ପୁରୁଣା ରାଗ, ଅଭିମାନ ଓ ଅବିଶ୍ଵାସକୁ ସାମୟିକ ଭାବରେ ପାସୋରି ଯାଇ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରନ୍ତି, ତାହା ହେଲେ ଜୀବନ ସହନୀୟ ହେବ।
ଆଗରୁ ବାହାରକୁ ଗଲା ବେଳେ କାହା ପରେ କ’ଣ କରିବାକୁ ହେବ ବୋଲି ପ୍ରତିଦିନର ଯେଉଁ ରୁଟିନ ଥିଲା ଘରେ ରହିଲେ ତାହା ପାଳନ କରିବା ଦରକାର। ପ୍ରତିଦିନ ଭଳି ସେମିତି ନିତ୍ୟକର୍ମ ସାରି ଗାଧୋଇ, ସମୟରେ ଖାଇ ବାହାରକୁ ଯିବାର ଲୁଗାପଟା ପିନ୍ଧି, ସଫା ସୁତୁରା ହୋଇ କାମ ଆରମ୍ଭ କଲେ ଅନେକ ସମୟରେ ଏଇ ପରିସ୍ଥିତି ସେତେ ଅଲଗା ଲାଗିବ ନାହିଁ। କିନ୍ତୁ, ତା’ ନକରି ଡେରିରେ ଉଠିଲେ, ଅଳସୁଆ ହେଇ ବସି ଖାଲି ଟେଲିଭିଜନ୍ ଦେଖିଲେ କି ଭିଡିଓ ଗେମ୍ ଖେଳିଲେ, ଅବେଳାରେ ଖାଇଲେ ଓ ଦିନରାତି କେଉଁ ଦେଶରେ କେତେ ଲୋକ କରୋନା ଭାଇରସରେ ମଲେ ସେ ବିଷୟ ସୋସିଆଲ୍ ମିଡିଆରେ ପଢ଼ିଲେ ଜୀବନଟା ଓଲଟ ପାଲଟ ହେଲା ପରି ଲାଗିବ। କରୋନ୍ ଭାଇରସ୍ର ସଂକ୍ରମଣ ଯେମିତି ଆମ ଦେହକୁ ଆକ୍ରମଣ କରୁଛି ସେହି ଭୟରେ ମନ ଥରିବ ଓ ଆତଙ୍କ ବଢ଼ିବ।
ଦ୍ଵିତୀୟରେ, ସମସ୍ତେ ଜାଣନ୍ତି ଯେ ଆଜିର ଆଧୁନିକ ଜୀବନରେ କାମର ସମୟ ବଢ଼ି ଚାଲିଲାରୁ ଘର ଲୋକଙ୍କ ସାଙ୍ଗରେ ଆମେ କେବଳ ଦରକାରି କଥାବାର୍ତ୍ତା କରିଥାଉ। ଏସବୁ କଥାବାର୍ତ୍ତାର ବିଷୟ ହେଲା ଘରର ଜଞ୍ଜାଳ, ଅଭାବ ଅସୁବିଧା, ପିଲାଙ୍କର ସମସ୍ୟା ଓ ଅବୁଝାପଣ ଏବଂ ବୁଢ଼ାବୁଢ଼ୀଙ୍କର ରୋଗ ଓ ଚିକିତ୍ସା। କିନ୍ତୁ କରୋନା ବଂଦୀ ହେଲାରୁ ବର୍ତ୍ତମାନ ବାପାମାଆଙ୍କ ସାଙ୍ଗରେ କଥା କହିବାକୁ ବେଳ ମିଳିଲା। ପିଲାଙ୍କ ମନକଥା ଶୁଣିବାକୁ ହାତରେ ସମୟ ରହିଲା। ସେହିପରି ସ୍ଵାମୀ ସ୍ତ୍ରୀ ଉଭୟେ ନିଜ ନିଜ କର୍ମଜୀବନରେ ବ୍ୟସ୍ତ ରହି, ଘର କଥା ବୁଝି ନିରୁପାୟ ହୋଇ ନିଜର ଅନ୍ତରଙ୍ଗ ଜୀବନକୁ ବେଶ୍ ଅଣହେଳା କରିଛନ୍ତି। ଏବେ ସେ ସଂପର୍କକୁ ପୁଣି ଟିକେ ମଜଭୁତ କରିବାର ସୁଯୋଗ ଆସିଲା। ତେଣୁ, ଏଇ ସମୟରେ ଘର ଭିତରେ ପ୍ରତିଟି ସମ୍ପର୍କରେ ଉନ୍ନତି କରି ହେବ।
ତୃତୀୟରେ, ମଣିଷ ନିଜର ଅତୀତ କଥା ଭାବି ଦୁଃଖ ପାଏ। ତା’ ଛଡ଼ା ଭବିଷ୍ୟତ ତ ସବୁବେଳେ ଅନିଶ୍ଚିତ! ‘କ’ଣ ହେବ – କ’ଣ ହେବ ନାହିଁ’ ଭାବି ମଣିଷ ବିଚଳିତ ହୁଏ। ତେଣୁ ନିଜ କଥା କମ୍ ଭାବି ଅନ୍ୟମାନଙ୍କ ପାଇଁ କ’ଣ କରିବି ଭାବିଲେ ନିଜର ଚିନ୍ତା କମେ ଓ ମନରେ କରୁଣା ତଥା ଦୟା ଭାବ ବଢ଼େ। ଏହା ଫଳରେ ମନର ନିରାନନ୍ଦ ବା ନିରାଶା ଭାବ ଆପେ ଆପେ କମିଯାଏ।
ଓଡ଼ିଆ ଲୋକମାନେ ସ୍ଵଭାବତଃ ସାହାଯ୍ୟ ପରାୟଣ। ଯିଏ ତାଙ୍କ ପ୍ରତି ଭଲ ବ୍ୟବହାର କରେ, ସେମାନେ ତା’ର ଯଥାସାଧ୍ୟ ଉପକାର କରନ୍ତି। ତେଣୁ ଗୃହବନ୍ଦୀ ଭଳି ପରିସ୍ଥିତି ହେଲେ ମଧ୍ୟ ବର୍ତ୍ତମାନ ଯୁଗର ଟେକନୋଲୋଜି ମାଧ୍ୟମରେ ସମସ୍ତେ ପ୍ରାୟ ବାହାର ଦୁନିଆରୁ ଅଲଗା ନ ହୋଇ ବେଶୀ ପାଖକୁ ଆସିଛନ୍ତି, ପରସ୍ପର ସହ ଯୋଡ଼ି ହୋଇପାରିଛନ୍ତି।
ଶେଷରେ, ମଣିଷ ନିଜର ମନ ଅନୁସାରେ ନିଜର ପରିସ୍ଥିତିକୁ ସଙ୍କଟମୟ ଭାବି ଆତଙ୍କିତ ହେଇ ବା ନିଷ୍କ୍ରିୟ ହୋଇ ମୁଣ୍ଡପୋତି ବସିପାରେ କିମ୍ବା ନିଜର ପୁରୁଣା ଜୀବନଯାତ୍ରାକୁ ବଦଳାଇବା ଲାଗି ସୁଯୋଗ ମିଳିଲା ଭାବି ନିଜକୁ ଉନ୍ନତିର ନୂଆ ବାଟରେ ଆଗେଇ ନେଇପାରେ। ସେଇଥିପାଇଁ ଭାଗବତରେ ଅଛି: ‘ମନର ମୂଳେ ଏ ଜଗତ, କହଇ ବିପ୍ର ଜଗନ୍ନାଥ’’।
(ପ୍ରସ୍ତୁତି: ନୀଳାମ୍ବର ରଥ)