ଫାଇବ୍ରଏଡ୍ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ଫାଇବ୍ରଏଡ୍ କ’ଣ?
- ଫାଇବ୍ରଏଡ୍ କେତେ ପ୍ରକାରର
- ଫାଇବ୍ରଏଡର ଲକ୍ଷଣ କ’ଣ?
- ମହିଳାଙ୍କୁ କାହିଁକି ହୁଏ ଫାଇବ୍ରଏଡ୍?
- ଫାଇବ୍ରଏଡକୁ କେମିତି ଚିହ୍ନିବେ?
- ଚିକିତ୍ସାରେ ବିଳମ୍ବ ହେଲେ କ’ଣ ସମସ୍ୟା ହେବ?
- ଫାଇବ୍ରଏଡର ଚିକିତ୍ସା କେମିତି କରିବେ?
- ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
ଫାଇବ୍ରଏଡ୍ କ’ଣ? (What is Fibroids in Odia)
ଗର୍ଭାଶୟର କୌଣସି ଗୋଟିଏ ସ୍ତରରେ ମାଂସପିଣ୍ଡୁଳା ଭଳି ସୃଷ୍ଟି ହୁଏ, ତାହାକୁ ଫାଇବ୍ରଏଡ୍ସ୍ କୁହାଯାଏ।
ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡ୍ସ କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ହେଲେ ଠିକ୍ ସମୟରେ ଫାଇବ୍ରଏଡ୍ର ଚିକିତ୍ସା କରାନଗଲେ ଏହା କ୍ୟାନସରର ରୂପ ନେଇପାରେ। ଫାଇବ୍ରଏଡ୍ସ ଗର୍ଭାଶୟର ଯେକୌଣସି ସ୍ତରରେ ସୃଷ୍ଟି ହୋଇପାରେ।
ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ କେମିତି ନେବେ?
ଫାଇବ୍ରଏଡ୍ କେତେ ପ୍ରକାରର? (Types of Fibroids in Odia)
ଗର୍ଭାଶୟର ତିନୋଟି ମୁଖ୍ୟ ସ୍ତର ରହିଛି।
ଏଣ୍ଡୋମେଟ୍ରିୟମ୍ – ଏହା ଗର୍ଭାଶୟର ଭିତର ସ୍ତର, ଯାହା ଋତୁଚକ୍ର ବେଳେ ଝଡ଼ିଯାଏ।
ମାୟୋମେଟ୍ରିୟମ୍ – ଏହା ଗର୍ଭାଶୟର ମଝି ସ୍ତର।
ସେଲୋସଲ ସ୍ତର – ଏହା ଗର୍ଭାଶୟର ବାହାର ସ୍ତର।
ଏଣ୍ଡୋମେଟ୍ରିୟମ୍ରେ ଫାଇବ୍ରଏଡ୍ ହେବାକୁ ସବ୍ମ୍ୟୁକୋସାଲ ଫାଇବ୍ରଏଡ୍ସ୍ ବୋଲି କୁହାଯାଏ।
ଫାଇବ୍ରଏଡ୍ ମଝି ସ୍ତର ବା ମାୟେମେଟ୍ରିୟମ୍ରେ ହୁଏ, ତାହାକୁ ଇଣ୍ଟ୍ରାମ୍ୟୁରାଲ ଫାଇବ୍ରଏଡ୍ସ କୁହାଯାଏ।
ବାହାର ସ୍ତରରେ ଫ୍ରାଇବ୍ରଏଡ୍ସ୍ ହେଲେ, ତାହାକୁ ସବ୍ସେରୋସାଲ ଫାଇବ୍ରଏଡ୍ସ୍ ବୋଲି କୁହାଯାଏ।
ଫାଇବ୍ରଏଡ୍ର ଲକ୍ଷଣ କ’ଣ? (Symptoms of Fibroids in Odia)
ଅଧିକାଂଶ କ୍ଷେତ୍ରରେ ଫାଇବ୍ରଏଡ୍ର କୌଣସି ଲକ୍ଷଣ ନଥାଏ। ଯେତେବେଳେ ଅନ୍ୟ କୌଣସି କାରଣ ଯୋଗୁଁ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି, ସେତେବେଳେ ଅଲଟ୍ରାସାଉଣ୍ଡ କରିବା ଦ୍ୱାରା ଫାଇବ୍ରଏଡ୍ ବିଷୟରେ ଜଣାପଡ଼େ।
ଏହାଛଡ଼ା ଫାଇବ୍ରଏଡ୍ ହେଲେ କେତେକ ଲକ୍ଷଣ ଜଣାପଡ଼ିଥାଏ। ଯେପରିକି ଋତୁସ୍ରାପ ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ବହୁତ ଦିନ ଯାଏଁ ରକ୍ତସ୍ରାବ ହେବା , ପରିସ୍ରା କରିବା ବେଳେ କଷ୍ଟ ହୋଇପାରେ, ଅଳ୍ପ ଅଳ୍ପ ପରିସ୍ରା ହୋଇପାରେ।
ଫାଇବ୍ରଏଡ୍ ଯୋଗୁଁ ବନ୍ଧ୍ୟାଦୋଷ ହୋଇପାରେ। ଯଦି ଫାଇବ୍ରଏଡ୍ ଫାଲୋପିଆନ୍ ଟ୍ୟୁବ୍ ପାଖାପାଖି ରହିଯାଇଛି, ତେବେ ଗର୍ଭ ରହିବାରେ ଅସୁବିଧା ହୋଇପାରେ।
ଗର୍ଭଧାରଣ ସମୟରେ ଫାଇବ୍ରଏଡ୍ ଜଣାପଡ଼ିଲେ, ଫାଇବ୍ରଏଡ୍ର ଆକାର ବଢ଼ିଯାଇପାରେ, ଯନ୍ତ୍ରଣା ସୃଷ୍ଟି କରିପାରେ। ପ୍ରସବ ବେଳେ ଅସୁବିଧା ହୋଇପାରେ, ଫଳରେ ସଜରିଆନ୍ କରିବାକୁ ପଡ଼ିଥାଏ।
ମହିଳାଙ୍କୁ କାହିଁକି ହୁଏ ଫାଇବ୍ରଏଡ୍? (Causes of Fibroids in Odia)
ବଂଶାନୁଗତ କାରଣ, ହରମୋନ୍ ପରିବର୍ତ୍ତନ ଯୋଗୁଁ ଫାଇବ୍ରଏଡ୍ ହୋଇପାରେ।
ଅଧିକ ପଢ଼ନ୍ତୁ: କେମିତି କରିବେ ଗର୍ଭାବସ୍ଥାରେ ମୋଟାପଣକୁ ନିୟନ୍ତ୍ରଣ?
ଫାଇବ୍ରଏଡ୍କୁ କେମିତି ଚିହ୍ନିବେ? (Diagnosis of Fibroids in Odia)
ଅଲଟ୍ରାସାଉଣ୍ଡ କରି ଗର୍ଭାଶୟରେ ଫାଇବ୍ରଏଡ୍ ହୋଇଛି କି ନାହିଁ ଜଣାପଡ଼ିଥାଏ। ଗୋଟେରୁ ଅଧିକ ଫାଇବ୍ରଏଡ୍ ଥିଲେ ଏମ୍ଆର୍ଆଇ କରି ଜାଣିହୁଏ। ଏମ୍ଆର୍ଆଇ ସ୍କାନ ଦ୍ୱାରା କେତୋଟି ଫାଇବ୍ରଏଡ୍, କେତେ ଆକାର ବିଶିଷ୍ଟ ସବୁ ଜଣାପଡ଼ିଥାଏ।
ଚିକିତ୍ସାରେ ବିଳମ୍ବ ହେଲେ କ’ଣ ସମସ୍ୟା ହେବ? (Complication of Fibroids in Odia)
ବେଳେ ବେଳେ ଫାଇବ୍ରଏଡ୍ର କୌଣସି ଲକ୍ଷଣ ଜଣାପଡ଼େ ନାହିଁ। ଏହାର ଆକାର ବହୁତ ବଡ଼ ହେଲା ପରେ ହିଁ ମହିଳାଙ୍କୁ ଲାଗେ କି ତାଙ୍କ ପେଟରେ କିଛି ବଢ଼ୁଛି। ଏହାପରେ ସେମାନେ ପରୀକ୍ଷା ପାଇଁ ଯାଆନ୍ତି।
ଫାଇବ୍ରଏଡ୍ର ଆକାର ବଡ଼ ହୋଇଥିଲେ ପରିସ୍ରା କରିବାରେ ଅସୁବିଧା ହୋଇପାରେ, ଝାଡ଼ା କରିବାରେ ଅସୁବିଧା ହୋଇପାରେ, କିଡ୍ନି ଉପରେ ପ୍ରଭାବ ପଡ଼ିପାରେ।
ଫାଇବ୍ରଏଡ୍ ଟ୍ୟୁମର କ୍ୟାନ୍ସରସ୍ ହେବାର ଆଶଙ୍କା ୧ ପ୍ରତିଶତ। ହେଲେ କ୍ୟାନ୍ସରସ୍ ହେଲେ ଏହାର ଜଟିଳତା ଅଧିକ। ତେଣୁ ଫାଇବ୍ରଏଡ୍ ହେଲେ ଏହାର ଚିକିତ୍ସା ଶୀଘ୍ର କରାଇନେବା ଉଚିତ।
ଗର୍ଭାଶୟର ବାହାର ସ୍ତରରେ ଯେଉଁ ଫାଇବ୍ରଏଡ୍ ହୁଏ ବା ସବ୍ସେରୋସାଲ ଫାଇବ୍ରଏଡ୍ଗୁଡ଼ିକ ପେଡନ୍କୁଲେଟେଡ୍ ଥାଏ। ଅର୍ଥାତ୍, ଫାଇବ୍ରଏଡ୍ର ଉପରି ଭାଗ ମୋଡ଼ି ହୋଇଗଲେ, ତାହା ଯନ୍ତ୍ରଣାଦାୟକ ହୋଇଥାଏ। ଏହି ପ୍ରକାର ଫାଇବ୍ରଏଡ୍ର ସର୍ଜରି ତୁରନ୍ତ କରିବା ଆବଶ୍ୟକ। ନଚେତ୍ ଏହା ମହିଳାଙ୍କ ଜୀବନ ପ୍ରତି ଘାତକ ହୋଇପାରେ।
ଅଧିକ ପଢ଼ନ୍ତୁ: ମହିଳାଙ୍କ ଫିଟନେସ୍ ପାଇଁ ୬ଟି ସୁପରଫୁଡ୍
ଫାଇବ୍ରଏଡ୍ର ଚିକିତ୍ସା (Treatment of Fibroid in Odia)
ଫାଇବ୍ରଏଡ୍ର ଆକାର ଛୋଟ ହୋଇଥିଲେ, ଏହା ଯନ୍ତ୍ରଣାଦାୟକ ହୋଇନଥିଲେ ଏବଂ ଋତୁସ୍ରାବ ଠିକ୍ ଭାବେ ହେଉଥିଲେ ଚିକିତ୍ସାର କୌଣସି ଆବଶ୍ୟକତା ପଡ଼େ ନାହିଁ। କେବଳ ଫାଇବ୍ରଏଡ୍ର ଆକାର ବଢ଼ୁଛି କି ନାହିଁ ଜାଣିବା ପାଇଁ ଛଅ ମାସରେ ଥରେ ସ୍କାନ କରିବାକୁ ହୋଇଥାଏ।
ସାଧାରଣତଃ ୨୦ରୁ ୪୫ ବର୍ଷ ମହିଳାଙ୍କଠାରେ ଫାଇବ୍ରଏଡ୍ ଦେଖାଦେଇଥାଏ। ଯଦି ଫାଇବ୍ରଏଡ୍ର ଆକାର ବଡ଼ ଥାଏ ବା ଏହା ପରିସ୍ରାଗୃହରେ ଚାପ ସୃଷ୍ଟି କରେ ବା ଗର୍ଭଧାରଣରେ ଅବସୁଧା ସୃଷ୍ଟି କରାଯାଏ, ତେବେ ସର୍ଜରିର ଆବଶ୍ୟକତା ପଡ଼େ।
୪୫ ବର୍ଷ ପରେ ମହିଳାଙ୍କର ଫାଇବ୍ରଏଡ୍ ହେଲେ ଓ ଏହା ଋତୁଚକ୍ରରେ ସମସ୍ୟା ସୃଷ୍ଟି କଲେ, ସର୍ଜରି କରି ଗର୍ଭାଶୟକୁ କାଢ଼ିଦିଆଯାଏ।
ଫାଇବ୍ରଏଡ୍ର ଆକାର ଓ ଏହା କେଉଁ ଜାଗାରେ ହୋଇଛି, ସେହିଅନୁଯାୟୀ ଏହାର ଚିକିତ୍ସା ଭିନ୍ନ ଭିନ୍ନ। ଗର୍ଭାଶୟର ଉପରସ୍ତରରେ ଫାଇବ୍ରଏଡ୍ ହୋଇଥିଲେ ହିଷ୍ଟେରୋସ୍କୋପିକ୍ ଜରିଆରେ ସର୍ଜରି କରାଯାଏ।
ଲାପ୍ରୋସ୍କୋପି ସାହାଯ୍ୟରେ ମଧ୍ୟ ଗର୍ଭାଶୟରୁ ଫାଇବ୍ରଏଡ୍ କଢ଼ାଯାଏ। କେତେକ କ୍ଷେତ୍ରରେ ଲାପ୍ରୋସ୍କୋପି ସାହାଯ୍ୟରେ ସର୍ଜରି କରିବା ସମ୍ଭବ ହୁଏ ନାହିଁ। ସେହି କ୍ଷେତ୍ରରେ ଓପନ୍ ସର୍ଜରି କରିବାକୁ ପଡ଼ିଥାଏ।
ବର୍ତ୍ତମାନ ଔଷଧ ସାହାଯ୍ୟରେ ଫାଇବ୍ରଏଡ୍ର ଆକାରକୁ ଛୋଟ କରାଯାଇପାରୁଛି। ଏହି ମେଡିସିନ୍ କେତେକ ମହିଳାଙ୍କଠାରେ କାମ କରେ ତ କେତେକଙ୍କଠାରେ କରେ ନାହିଁ।
ବର୍ତ୍ତମାନ ଏମ୍ଆର୍ଆଇ-ଅଲଟ୍ରାସାଉଣ୍ଡ ଚିକିତ୍ସା ପଦ୍ଧତିରେ ମଧ୍ୟ ଫାଇବ୍ରଏଡ୍ର ଚିକିତ୍ସା କରାଯାଉଛି। ଏହି ଚିକିତ୍ସା ପଦ୍ଧତିରେ ଏମ୍ଆର୍ଆଇ ଓ ଅଲଟ୍ରାସାଉଣ୍ଡର ସାହାଯ୍ୟରେ ଫାଇବ୍ରଏଡ୍କୁ ମିଳେଇ ଦିଆଯାଇପାରୁଛି।
ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ଫାଇବ୍ରଏଡ୍କୁ ରୋକିବା ଆମ ହାତରେ ନାହିଁ। କିନ୍ତୁ, ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଓ ବ୍ୟାୟାମ କରିବା ଦ୍ୱାରା ଆମେ କିଛିଟା ପରିବର୍ତ୍ତନ ଆଣିପାରିବା।
୩୦ ବର୍ଷ ପରେ ପ୍ରତ୍ୟେକ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ଏହାଦ୍ୱାରା କୌଣସି ସମସ୍ୟା ଥିଲେ ପ୍ରାଥମିକ ଅବସ୍ଥାରୁ ଏହାର ଚିକିତ୍ସା କରାଯାଇପାରିବ।
(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଚିନ୍ମୟୀ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Uterine Fibroids, in Odia language, is based on an extensive interview with a Gynaecologist Dr Chinmayee Kar.